ମୌସୁମୀ ସକ୍ରିୟ, ଜାରି ରହିବ ବର୍ଷା

Published By : Prameya-News7 Bureau | July 10, 2022 IST

ଭୁବନେଶ୍ୱର,୧୦/୦୭: ଓଡିଶାର ଦକ୍ଷିଣାଞ୍ଚଳ ଉପରେ ରହିଛି ଲଘୁଚାପ । ମୌସୁମୀ ବି ସକ୍ରିୟ । ଏବେ ଭଲ ବର୍ଷା ଜାରି ରହିବ । ଆସନ୍ତା ୫/୭ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ରାଜ୍ୟରେ । ମଝିରେ ପ୍ରବଳ ବର୍ଷା ବି ହୋଇପାରେ । ସପ୍ତାହକ ଭିତରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି। ଏମିତି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ।

ପ୍ରବଳ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟରୁ ସମସ୍ତ ଜିଲ୍ଲାପାଳ, କୃଷି ବିଭାଗ, ପୌର କର୍ତ୍ତୃପକ୍ଷଙ୍କୁ ସତର୍କ କରାଯାଇଛି । ୧୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କ ପ୍ରବେଶ ବାରଣ କରାଯାଇଛି ।

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ଭଲ ବର୍ଷା ହୋଇଛି । କୋରାପୁଟରେ ୧୦୫ ମିଲିମିଟର ବର୍ଷା ହୋଇଥିବାବେଳେ ମାଲକାନଗିରିରେ ୫୭.୮ ମିମି, ଯାଜପୁରରେ ୫୯, ନବରଙ୍ଗପୁରରେ ୬୭ ମିିମି ବର୍ଷା ହୋଇଥିବାବେଳେ ଅନେକ ଜାଗାରେ ସ୍ୱଳ୍ପ ବର୍ଷା ହୋଇଥିଲା । ଶନିବାର ସକାଳ ୮ଟା ୩୦ରୁ ଅପରାହ୍ନ ୫ଟା ୩୦ ଭିତରେ ଅନୁଗୁଳରେ ୫୦ ମିମି, ପାରଳାଖେମୁଣ୍ଡିରେ ୩୨.୮, ହୀରାକୁଦରେ ୧୪.୪, କଟକରେ ୧୪ ମିମି ବର୍ଷା ହୋଇଥିଲା । ଏହାବାଦ ଭୁବନେଶ୍ୱର, ବାଲେଶ୍ୱର, ଦାରିଙ୍ଗିବାଡ଼ି ସମେତ ରାଜ୍ୟର ଅନେକ ଜାଗାରେ ବର୍ଷା ହୋଇଛି ।

ରବିବାର ସକାଳ ସୁଦ୍ଧା ଦକ୍ଷିଣରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ପାଣିପାଗ ପୂର୍ବାନୁମାନ ହେଲା, ୧୨ ତାରିଖ ପର୍ଯ୍ୟନ୍ତ ଅନେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ବାକି ଅଞ୍ଚଳରେ ବି ବର୍ଷା ହୋଇପାରେ । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ବରଗଡ଼ ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଆସନ୍ତା ଦୁଇଦିନ ଏଭଳି ବର୍ଷା ହେବ । ୧୨ରୁ ବର୍ଷା ଆହୁରି ବଢ଼ିପାରେ । ୧୨ ଓ ୧୩ରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି ।

ଗତ ଜୁନ୍‌ ମାସରେ ରାଜ୍ୟରେ ବର୍ଷା ନିଅଣ୍ଟିଆ ଥିବାବେଳେ ଜୁଲାଇ ଆରମ୍ଭରୁ ଭଲ ବର୍ଷା ଲାଗି ରହିଛି । ଏଥିଯୋଗୁ ରାଜ୍ୟରେ ବର୍ଷା ଅଭାବ ସ୍ଥିତିରେ ସୁଧାର ଆସିଛି । ଜୁନ୍‌ ପହିଲାରେ ଏପର୍ଯ୍ୟନ୍ତ ମୋଟ ବର୍ଷାକୁ ଦେଖିଲେ, ସ୍ଥିତି ସ୍ୱାଭାବିକ ଧରାଯିବ । ବିଶେଷ କରି ଜୁଲାଇ ପ୍ରଥମ ସପ୍ତାହରେ ଅତ୍ୟଧିକ ବର୍ଷା ହୋଇଛି । ଯେତିକି ବର୍ଷା ହେବା କଥା, ତା’ଠାରୁ ୨୬% ଅଧିକ ବର୍ଷା ହୋଇଛି ଜୁଲାଇ ୧ରୁ ୬ ତାରିଖ ଭିତରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.