ସ୍ଵପ୍ନ ଚୂରମାର କଲା ବର୍ଷା, ଟି-୨୦ ବିଶ୍ଵକପ୍‌ରୁ ବିଦା ପାକିସ୍ତାନ; ସୁପର-୮ରେ ଆମେରିକା

Published By : Prameya-News7 Bureau | June 14, 2024 IST

abp live

ନୂଆଦିଲ୍ଲୀ: ଫ୍ଲୋରିଡ଼ାରେ ଖେଳା ଯିବାକୁ  ଥିବା ଆମେରିକା ବନାମ ଆୟରଲାଣ୍ଡ ଗୁରୁତ୍ଵପୂର୍ଣ୍ଣ ଲିଗ୍ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଛି। ଏଥିରେ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିବା ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ଆମେରିକା ପାଞ୍ଚ ପଏଣ୍ଟ ସହ ଗ୍ରୁପ ଏରୁ ଦ୍ଵିତୀୟ ଦଳ ଭାବେ ସୁପର-୮ରେ ପ୍ରବେଶ କରିଥିବା ବେଳେ ମ୍ୟାଚ୍ ବାତିଲ ହେବାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡ଼ିଛି। ୨୦୦୯ର ଚାମ୍ପିଅନ ପାକିସ୍ତାନ ସୁପର-୮ ଦୌଡ଼ରୁ ବାଦ୍ ପଡ଼ିବା ସହ ଦଳର ବିଶ୍ଵକପ୍ ଅଭିଯାନ ସମାପ୍ତ  ହୋଇଛି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ପରି ବଡ଼ ଦଳ ବିଶ୍ଵକପ୍‌ରୁ ବିଦା ହୋଇ ସାରିଛନ୍ତି। ଚଳିତ ବିଶ୍ଵକପରେ ଏକାଧିକ ବିପର୍ଯ୍ୟୟ ଦେଖିବାକୁ ମିଳିଛି।

ମ୍ୟାଚ୍ ଆୟୋଜନ ପାଇଁ ସାଢେ ତିନି ଘଣ୍ଟା ଅପେକ୍ଷା କରାଯାଇଥିଲା। ପଡ଼ିଆ କର୍ମଚାରୀ ମଧ୍ୟ ପଡ଼ିଆକୁ ଖେଳ ଉପଯୋଗୀ କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ଖରାପ ଆଉଟ୍ ଫିଲ୍ଡ ଏବଂ ବର୍ଷା ଯୋଗୁଁ ବିନା ଟସ୍‌ରେ ମ୍ୟାଚ୍ ରଦ୍ଦ ହୋଇଛି। ମ୍ୟାଚ୍‌ ବାତିଲ ହେବାର ଫାଇଦା ଆମେରିକାକୁ ମିଳିଛି। ଟି-୨୦ ବିଶ୍ଵକପ୍ ଇତିହାସରେ ଏମିତି ସପ୍ତମ ଥର ଘଟିଛି, ଯେଉଁଠି ଆସୋସିଏଟ ଦେଶ ଟି-୨୦ ବିଶ୍ଵକପ୍‌ର ସୁପର-୮ରେ ପ୍ରବେଶ କରିଛି। ଏହା ପୂର୍ବରୁ ୨୦୦୯ରେ ଆୟରଲାଣ୍ଡ, ୨୦୧୪ରେ ନେଦରଲ୍ୟାଣ୍ଡ, ୨୦୧୬ରେ ଆଫଗାନିସ୍ତାନ, ୨୦୨୧ରେ ନାମିବ୍ୟା, ୨୦୨୧ରେ ସ୍କଟଲ୍ୟାଣ୍ଡ ଏବଂ ୨୦୨୨ରେ ନେଦରଲ୍ୟାଣ୍ଡ ସୁପର-୮ରେ ପହଞ୍ଚିଥିଲେ। 

ଆମେରିକା ଓ ଆୟରଲାଣ୍ଡ ମ୍ୟାଚ୍ ରଦ୍ଦ ହେବାରୁ ପାକିସ୍ତାନ ସହିତ ଆୟରଲାଣ୍ଡ ଓ କାନାଡ଼ା ବି ସୁପର-୮ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। ଗ୍ରୁପ ଏରୁ ଭାରତ ଓ ଆମେରିକା ସୁପର-୮ରେ ପ୍ରବେଶ କରିଛି। କାରଣ ପାକିସ୍ତାନ ଆୟରଲାଣ୍ଡ ବିପକ୍ଷ ନିଜର ଶେଷ ଲିଗ୍ ମ୍ୟାଚ୍ ଜିତିଲେ ମଧ୍ୟ ଦଳର ପଏଣ୍ଟ ୪ରେ ପହଞ୍ଚିବ।  ଏ ପର୍ଯ୍ୟନ୍ତ ୬ଟି ଦଳ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛି। ଏଥିରେ ଭାରତ, ଆମେରିକା, ଓ୍ଵେଷ୍ଟଇଣ୍ଡିଜ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସାମିଲ। ଏବେ ଇଂଲଣ୍ଡ ଓ ବାଂଲାଦେଶ ଦୁଇ ଦଳ ସୁପର-୮ରେ ପହଞ୍ଚିବାର ସମ୍ଭାବନା ରହିଛି। 

ଗତ କିଛି ଦିନ ହେବ ଫ୍ଲୋରିଡ଼ାରେ ଲଗାତାର ବର୍ଷା ଜାରି  ରହିଛି। ମ୍ୟାଚ୍‌ରେ ୮୦ ପ୍ରତିଶତ ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ଏହି ଷ୍ଟାଡିୟମରେ ମଧ୍ୟ ଆସନ୍ତାକାଲି ଭାରତ ଓ କାନାଡ଼ା ମଧ୍ୟରେ ମ୍ୟାଚ୍ ଖେଳାଯିବ। କିନ୍ତୁ ବର୍ଷାରେ ମ୍ୟାଚ୍ ଧୋଇ ହୋଇଯିବାର ସମ୍ଭାବନା ରହିଛି। 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.