ରାଜ୍ୟରେ ପଡ଼ିବ ପଶ୍ଚିମାଝଡ଼ ପ୍ରଭାବ : ଭିଜିବ ଅଧିକାଂଶ ସ୍ଥାନ, ହ୍ରାସ ପାଇବ ଦିନ ତାପମାତ୍ରା

Published By : Prameya-News7 Bureau | March 13, 2023 IST

ଭୁବନେଶ୍ବର ୧୩।୩: ରାଜ୍ୟରେ ପୁଣି ପଡ଼ିବ ପଶ୍ଚିମାଝଡ଼ ପ୍ରଭାବ । ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଘଡଘଡି ସହ ହେବ ବର୍ଷା । ୧୫ ତାରିଖରେ କିଛି ସ୍ଥାନରେ ବର୍ଷା ହେବା ସମ୍ଭାବନା ଥିବାବେଳେ ୧୬ ଆଉ ୧୭ ତାରିଖରେ ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାକୁ ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ । ବର୍ଷା ଯୋଗୁଁ ଦିନ ତାପମାତ୍ରା ହ୍ରାସ ପାଇବ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା । ପଶ୍ଚିମା ଝଡର ଅଧିକ ପ୍ରଭାବ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପଡ଼ିବ । 

ଏହି ପଶ୍ଚିମା ଝଡ଼ ଯୋଗୁଁ କାଳବୈଶାଖୀ ହେବାର ମଧ୍ୟ ସମ୍ଭାବନା ରହିଛି । ଅନେକ ସ୍ଥାନରେ ବର୍ଷା ସହ ପବନର ବେଗ ମଧ୍ୟ ୪୦ରୁ ୫୦କିଲୋମିଟର ପର୍ଯ୍ୟନ୍ତ ହେବାକୁ ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ  ରାଜ୍ୟ ରେ ତାପମାତ୍ରା କମ୍ ରହିବ ସହ ୩୨ରୁ ୩୩ ଡିଗ୍ରୀ ରହିବା ର ସମ୍ଭାବନା ରହିଚି । ଏହା ପରେ ୨୩ ତାରିଖରୁ ପୁଣି ତାତି ବୃଦ୍ଧି ପାଇବ । ୩୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଛୁଇଁବାକୁ ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । ତେବେ ୧୬ରୁ ୨୧ ମଧ୍ୟରେ କିଛି କିଛି ସ୍ଥାନରେ କୁଆପଥର ପଡ଼ିବାର ମଧ୍ୟ ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ କୁଆପଥର ପଡ଼ିବ । 

ଉଲ୍ଲେଖଯୋଗ୍ୟ ଯେ, ଗତ ନଭେମ୍ବର ମାସରୁ ରାଜ୍ୟରେ ବର୍ଷା ହୋଇନଥିବା ବେଳେ ମାର୍ଚ୍ଚ ଦ୍ଵିତୀୟ ସପ୍ତାହରୁ ବର୍ଷା ହେଉଥିବା ଦେଖାଦେଇଛି । ଗତ ୭ ତାରିଖରେ ପଶ୍ଚିମା ଝଡର ପ୍ରଭାବ ଥିବାବେଳେ ଏବେ ପୁଣି ୧୫ ତାରିଖରେ ଏହାର ପ୍ରଭାବ ରାଜ୍ୟରେ ପଡ଼ିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.