ତାତିରୁ ମିଳିବ ତ୍ରାହି : ଦୁଇ ଦିନ ବର୍ଷିବ, ୬ରେ ଲଘୁଚାପ ଆଶଙ୍କା

Published By : Prameya-News7 Bureau | April 03, 2022 IST

ଭୁବନେଶ୍ୱର ୦୩/୦୪ : ରବିବାରଠୁ ରାଜ୍ୟରେ ବର୍ଷିବ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିଭଳି ସୋମବାର ମଧ୍ୟ ରାଜ୍ୟର ଉତ୍ତର ଉପକୂଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୬ ତାରିଖରେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଲଘୁଚାପ ରୂପ ନେବ କି ନା ବାତ୍ୟା ରୂପ ନେବ ତାହା ସ୍ପଷ୍ଟ ହୋଇନି । କିନ୍ତୁ ଏହାର ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହୁଛି ।

୪ ତାରିଖରେ ଉତ୍ତର ଉପକୂଳ ଓଡ଼ିଶା ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବଲାଙ୍ଗୀରରେ ଆଜି ଦିନବେଳା ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ଥିଲା। ଟିଟିଲାଗଡର ୪୧.୭, ଝାରସୁଗୁଡ଼ାର ୪୧.୫, ସୁନ୍ଦରଗଡର ୪୦.୫, ସୋନପୁରର ୪୦.୨ ଓ ବୌଦ୍ଧର ୪୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନବେଳାର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ । କିଛି ସ୍ଥାନରେ ଏହି ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ।

ଏପ୍ରିଲ ମାସରେ ପଶ୍ଚିମ ଓଡ଼ିଶା ଜଳିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ମାର୍ଚ୍ଚ ମାସରେ ତାପମାତ୍ରା ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି । ଏ ବର୍ଷ ବହୁ ଶୀଘ୍ର ଗରମ ଆରମ୍ଭ ହୋଇଛି । ଏପ୍ରିଲ ମାସରେ ରାଜସ୍ଥାନ ଆଡୁ ରାଜ୍ୟକୁ ଶୁଷ୍କ ଓ ଗରମ ଉତ୍ତରା ପଶ୍ଚିମା ପବନ ବହିବ । ଗତ ସପ୍ତାହରୁ ଏହି ପବନ ବହିବା ଆରମ୍ଭ ହୋଇଛି । ପଶ୍ଚିମ ଓଡ଼ିଶାରେ ପଶ୍ଚିମା ପବନ ସୀମିତ ରହୁଛି ଓ ଏହା ପୁଞ୍ଜିଭୂତ ହେବା ପରେ ଗରମ ବଢୁଛି । ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯୋଗୁ ସୂର୍ଯ୍ୟକିରଣ ପ୍ରଖର ରହିବ ଓ ଗରମ ବଢ଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ଏପ୍ରିଲର ଦ୍ୱିତୀୟ ସପ୍ତାହ ଯାଏ ଉପକୂଳ ଓଡ଼ିଶାରେ ଗରମ ବଢ଼ିବନି ବୋଲି ସେ ଆକଳନ କରିଛନ୍ତି । ୧୦ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୬ଡିଗ୍ରୀ ରହିବ । ହେଲେ ପଶ୍ଚିମ ଓଡିଶାରେ ଗରମ ବଢ଼ିବ । ୯ ତାରିଖରେ ପଶ୍ଚିମର କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୫ଡିଗ୍ରୀ ପାର୍‌ କରିବ ବୋଲି ସେ ସତର୍କ କରାଇ ଦେଇଛନ୍ତି ।

ମେ ମାସରେ ରାଜ୍ୟର ତାପମାତ୍ରା ସ୍ୱାଭାବିକ ରହିବ । ମେ ମାସର ତୃତୀୟ ସପ୍ତାହ ଆଡ଼କୁ କାଳବୈଶାଖୀ ହେବାର ସମ୍ଭାବନା ଅଧିକ । ଏହାର ପ୍ରଭାବରେ ମେଘୁଆ ପାଗ ରହିବ । କିନ୍ତୁ ସ୍ୱାଭାବିକଠାରୁ ଅଧିକ ଆଦ୍ରତା ଯୋଗୁ ଉପକୂଳରେ ଅଧିକ ଗରମ ଅନୁଭୂତ ହେବ । ଆସନ୍ତା ସପ୍ତାହ ବେଳକୁ ଝାରସୁଗୁଡ଼ା, ରାଉରକେଲା, ବାରିପଦା ଓ ଚାନ୍ଦବାଲିରେ ଅଧିକ ଗରମ ରହିବ । ଚଳିତବର୍ଷ ବଙ୍ଗୋପସାଗରରେ ତାପମାତ୍ରା ଓ ବାୟୁର ଆଦ୍ରତା ଅଧିକ ଯୋଗୁ ଗ୍ରୀଷ୍ମ ପ୍ରବାହ ସଂଖ୍ୟା ବଢିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.