AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଟଳିନି ବନ୍ୟା ବିପଦ, ପୁଣି ଡରାଇଲାଣି ଲଗାଣ ବର୍ଷା

20/08/2022 at 8:19 AM

ନୂଆଦିଲ୍ଲୀ, ୨୦|୦୮:  ଉପକୂଳ ଓଡ଼ିଶାରେ ବନ୍ୟା ବିପତ୍ତି ଦୂର ହୋଇନି । ଏବେ ବି ୬୪୨ଟି ଗାଁ ପାଣି ଘେରରେ । ୩ ଲକ୍ଷ ୯୧ ହଜାର ୫୨୮ ଲୋକେ ଜଳବନ୍ଦୀ ଯନ୍ତ୍ରଣାରେ କଲବଲ ହେଉଛନ୍ତି । ଏ ବିପଦ ଦୂର ହୋଇନଥିବାବେଳେ ଉତ୍ତର ଓଡ଼ିଶାକୁ ଡରାଇଲାଣି ଲଗାଣ ବର୍ଷା, ପବନ ଓ ସମ୍ଭାବ୍ୟ ବନ୍ୟା । ଯଦିଓ ସନ୍ଧ୍ୟାରେ ଗଭୀର ଅବପାତ ପଶ୍ଚିମବଙ୍ଗର ଦୀଘା ପାଖରେ (ବାଲେଶ୍ୱରରୁ ସାଗର ଦ୍ୱୀପ ମଧ୍ୟରେ) ସ୍ଥଳଭାଗ ଛୁଇଁଛି, ତଥାପି ଓଡ଼ିଶାରୁ ବିପଦ ପୂରା ଟଳିଯାଇନି ।

ଉତ୍ତର ଓଡ଼ିଶାରେ ଯେଉଁଭଳି ବର୍ଷା ଆଶଙ୍କା କରାଯାଉଛି, ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ ସହ ସାଳନ୍ଦୀ, ଇବ ଫୁଲିପାରେ । ଏସବୁ ନଦୀର ସ୍ଥିତି ଉପରେ ସରକାର ସତର୍କ ନଜର ରଖିଛନ୍ତି । ସନ୍ଧ୍ୟାରୁ ବାଲେଶ୍ୱରରେ ବର୍ଷା ଆରମ୍ଭ ହୋଇଯାଇଛି । କ୍ରମଶଃ ବଢ଼ି ଚାଲିବ । ବାରିପଦା ସମେତ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ବି ବର୍ଷା ହୋଇଛି ।

ଶନିବାର ସକାଳ ଭିତରେ ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା (୭୦ରୁ ୨୦୦ ମିଲିମିଟର) ବର୍ଷା ଅଜାଡ଼ିପାରେ । ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜରେ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ଓ ପବନର ଝଟକା ୭୦ କିମିକୁ ଛୁଇଁପାରେ। ଶନିବାର ବି ଅନେକ ଜିଲ୍ଲାରେ ଲଗାଣ ବର୍ଷା ସହ ପବନ ଆଶଙ୍କା ଅଛି । ଜଳକା ବିପଦ ସଙ୍କେତ ଡେଇଁସାରିଛି । ମଥାନିରେ ଜଳସ୍ତର ୬.୦୩ ମିଟର ଥିଲା ସନ୍ଧ୍ୟା ୬ଟାବେଳେ । ଏଠି ବିପଦ ସଙ୍କେତ ସ୍ତର ୫.୫୦ ମିଟର । ସୁବର୍ଣ୍ଣରେଖା ରାଜଘାଟରେ ବଢ଼ୁଥିବାବେଳେ ବୈତରଣୀ ଆନନ୍ଦପୁରରେ ବୃଦ୍ଧି ପାଉଛି । ବ୍ରାହ୍ମଣୀ ନଦୀ ପାନପୋଷରେ ଫୁଲୁଛି ।

ଲଗାଣ ବର୍ଷା ଆଶଙ୍କା ଥିବା ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ ଅପିଲ କରିଛନ୍ତି । କେହି ଭୟଭୀତ ନ ହେବାକୁ ଅନୁରୋଧ କରିବା ସହ ସଜାଗ ଓ ସତର୍କ ରହି ପ୍ରଶାସନକୁ ସହଯୋଗ କରିବା ଲାଗି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଲଗାଣ ବର୍ଷା, ପବନ ଓ ସମ୍ଭାବ୍ୟ ସ୍ଥିତିକୁ ନେଇ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ପୁରୀ, ଯାଜପୁର ଜିଲ୍ଲାପାଳଙ୍କୁ ସତର୍କ କରିଦିଆଯାଇଛି । ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜକୁ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ଟିମ୍‌ ପଠାଯାଇଛି । ବାଲେଶ୍ୱରରେ ରାତି ୯ଟା ସୁଦ୍ଧା ୩ ହଜାର ଲୋକଙ୍କୁ ତଳି ଅଞ୍ଚଳରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଆବଶ୍ୟକ ସ୍ଥଳେ ଆହୁରି ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଗଭୀର ଅବପାତ ବର୍ତ୍ତମାନ ସ୍ଥଳଭାଗରେ ପ୍ରବେଶ କରିଥିବାବେଳେ ଏହା ଝାଡ଼ଖଣ୍ଡ ହୋଇ ଉତ୍ତର ଛତିଶଗଡ଼କୁ ଯିବ ।

ଓଡ଼ିଶା ଉପରେ ଏହାର ପ୍ରଭାବ ଆସନ୍ତାକାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ରହିପାରେ । କେବଳ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲା ନୁହେଁ, ଗଭୀର ଅବପାତ ଯୋଗୁ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିରରେ ବି ଶୁକ୍ରବାର ରାତିରୁ ଶନିବାର ସକାଳ ଭିତରେ ପ୍ରବଳରୁ ଅତି ପ୍ରବଳ (୭୦ ମିଲିମିଟରରୁ ୨୦୦ ମିମି ପର୍ଯ୍ୟନ୍ତ) ବର୍ଷା ଅଜାଡ଼ିପାରେ । ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ରାୟଗଡ଼ା, ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ପୁରୀରେ ବି ବିଳମ୍ବିତ ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା (୭୦ମିମିରୁ ୧୧୦ ମିମି) ହୋଇପାରେ ।

ଶୁକ୍ରବାର ରାତିରେ କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର ଜିଲ୍ଲାରେ ୪୦-୫୦ କିମି ବେଗରେ ପବନ ହୋଇପାରେ । ପବନର ଝଟକା ୬୦ କିମି ଛୁଇଁପାରେ । ଢେଙ୍କାନାଳ, ନୟାଗଡ଼, ଗଜପତିରେ ୩୦-୪୦ କିମି ବେଗରେ ପବନ ହୋଇପାରେ । ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ରଖାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି ।

ଶନିବାର ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗିର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି ଶନିବାର । ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ଢେଙ୍କାନାଳ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ ।

ରବିବାରଠାରୁ ବର୍ଷା କମିବ । ୨୩ରୁ ପୁଣି ବର୍ଷା ବଢ଼ିପାରେ । ଶନିବାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜରେ ୪୦-୫୦ କିମି ପବନ ହୋଇପାରେ । ଝଟକା ପବନ ମଝିରେ ମଝିରେ ୬୦ କିମି ଛୁଇଁପାରେ । ସେହିପରି ଯାଜପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ାରେ ୩୦-୪୦ କିମି ବେଗରେ ପବନ ବହିପାରେ । ପବନ ଝଟକା ମଝିରେ ମଝିରେ ଘଣ୍ଟା ପ୍ରତି ୫୦ କିମି ଛୁଇଁପାରେ ।

ଏସ୍‌ଆରସି ପ୍ରଦୀପ କୁମାର ଜେନା କହିଛନ୍ତି, ଏହି ବର୍ଷାକୁ ନଜରରେ ରଖି ଉତ୍ତର ଓଡ଼ିଶାର ଅଧିକାଂଶ ଜଳଭଣ୍ଡାରକୁ ୫୦% ଖାଲି କରାଯାଇଛି । କେବଳ ସାଳନ୍ଦୀରେ ୫୦% ପାଣି ଖାଲି କରାଯାଇନାହିଁ । ସାଳନ୍ଦୀ ଜଳଭଣ୍ଡାରରୁ ଏତେ ପରିମାଣର ଜଳ ନିଷ୍କାସନ କରାଗଲେ, ଭଦ୍ରକ ପାଇଁ ବିପଦ ଥିବାରୁ ଏଭଳି କରାଯାଇନାହିଁ । ତେବେ ସମସ୍ତ ନଦୀ ଉପରେ ପ୍ରଶାସନ ନଜର ରଖିଛି । ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଅଧିକାରୀ ସତର୍କ ପଦକ୍ଷେପ ନେଉଛନ୍ତି । ତେବେ ମହାନଦୀ ଉପରମୁଣ୍ଡରେ ସେଭଳି ବଡ଼ଧରଣର ବର୍ଷା ଆଶଙ୍କା ନାହିଁ । ଏହି ବର୍ଷା ପ୍ରଭାବରେ ମହାନଦୀ ଉପରମୁଣ୍ଡରେ ୩ ଲକ୍ଷ ଘନଫୁଟରୁ କମ୍‌ ପାଣି ହୀରାକୁଦ ଜଳଭଣ୍ଡାରକୁ ଆସିବ । ଅନୁମାନ କରାଯାଉଛି, ଆସନ୍ତାକାଲି ସନ୍ଧ୍ୟାବେଳକୁ ମୁଣ୍ଡଳିରେ ସାଢ଼େ ୮ ଲକ୍ଷ ପାଣି ପ୍ରବାହିତ ହେଉଥିବ । ଏହାପରଠୁ ବନ୍ୟା ଅଞ୍ଚଳ ସମେତ ସବୁ ନଦୀରେ ଜଳସ୍ତର ଖସିବ । ପାଣି କମିବା ମାତ୍ରେ ତୁରନ୍ତ ଘାଇଗୁଡ଼ିକର ମରାମତି କରାଯିବ ବୋଲି ଏସଆରସି ଶ୍ରୀ ଜେନା ଜଣାଇଛନ୍ତି । ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦର ଜଳପତ୍ତନ ୬୨୧.୬୭ ଫୁଟ ଥିଲା । ଜଳଭଣ୍ଡାରର ୨୦ଟି ଗେଟ ଖୋଲାଥିବାବେଳେ ପ୍ରତି ସେକେଣ୍ଡରେ ୩.୫୦ ଲକ୍ଷ ଘନଫୁଟ ପାଣି ଛଡ଼ାଯାଉଛି । ଜଳଭଣ୍ଡାରକୁ ପ୍ରବେଶ କରୁଛି ୨.୭୩ ଲକ୍ଷ ଘନଫୁଟ ପାଣି । ମୁଣ୍ଡଳିରେ ୯.୩୩ ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେଉଥିଲା ।

ବନ୍ୟାରେ ୧୩ଟି ଜିଲ୍ଲାର ୭୧ଟି ବ୍ଲକର ୨୧୪୯ଟି ଗାଁ ପ୍ରଭାବିତ ହୋଇଛି । ପ୍ରାୟ ୬ ଲକ୍ଷ ୪୪ ହଜାର ୬୬୨ ଲୋକେ ପ୍ରଭାବିତ ହୋଇଛନ୍ତି । ୨୨୭ଟି ରିଲିଫ କେନ୍ଦ୍ରରେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି । ବନ୍ୟା ପ୍ରଭାବିତ ୨ ଲକ୍ଷ ୭୭ ହଜାର ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ବନ୍ୟା ପାଣି କମିବାରୁ ସେଥିମଧ୍ୟରୁ ଅଧିକାଂଶଙ୍କ ବିଦ୍ୟୁତ ସଂଯୋଗ ଦିଆଯାଇଛି । ଏବେ ପ୍ରାୟ ୨୩ ହଜାର ଉପଭୋକ୍ତାଙ୍କୁ ପୁନଃ ବିଜୁଳି ସଂଯୋଗ ଦେବା ବାକି ରହିଛି । ପାଣି କମିବା ପରେ ରାସ୍ତା ଓ ଘାଇ ଶୀଘ୍ର ମରାମତି କରାଯିବ । ୬୧୪ ମେଟ୍ରିକ ଟନ ଗୋଖାଦ୍ୟ ଜିଲ୍ଲାରେ ପହଞ୍ଚିଥିବାବେଳେ ସେଥିରୁ ପ୍ରାୟ ୩ଶହ ମେଟ୍ରିକ ଟନ ଗୋଖାଦ୍ୟ ବଣ୍ଟା ସରିଛି । ପାନୀୟ ଜଳ ଯୋଗାଣ ପାଇଁ ୧୫୩ଟି ମୋବାଇଲ ଟ୍ୟାଙ୍କର ନିୟୋଜିତ ହୋଇଛି । ୬୧୮ଟି ନଳକୂପକୁ ପୁଣି ସଚଳ କରାଯାଇଛି ।

   Related Posts