ଶୁକ୍ରବାରଠୁ ପ୍ରବଳ ଛେଚିବ : ଅଗଷ୍ଟ ୨୧ ଯାଏଁ କମିବନି ବର୍ଷା ଓ ପବନ

Published By : Prameya-News7 Bureau | August 19, 2022 IST

ଭୁବନେଶ୍ୱର, ୧୯|୦୮: ମହାନଦୀର ଜଳସ୍ତର ଖସୁଛି । ହୀରାକୁଦର ଗେଟ୍‌ କ୍ରମଶଃ ବନ୍ଦ ହେଉଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ଧିମେଇ ଧିମେଇ ସୁଧୁରୁଛି । କେତେକ ଅଞ୍ଚଳରେ ବନ୍ୟା ପାଣି କମୁଛି, ଆଉ କିଛି ଅଞ୍ଚଳରେ ପାଣି କମିବାର ନାଁ ଧରୁନି । ସେପଟେ ଚିନ୍ତା ବଢ଼ାଇଲାଣି ସମ୍ଭାବ୍ୟ ବର୍ଷା । ପାଣିପାଗ ବିଭାଗ ସତର୍କ କରାଇ ଦେଇଛି, ଉତ୍ତର ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଶୁକ୍ରବାର ସକାଳ ସୁଦ୍ଧା ଅବପାତ (ଡିପ୍ରେସନ୍‌) ରୂପ ନେବ । ଏହା ପ୍ରଭାବରେ ଆସନ୍ତା ଦୁଇଦିନ ପ୍ରବଳ ବର୍ଷା ଢାଳିବ । ବୋଝ ଉପରେ ନଳିତା ବିଡ଼ା ଭଳି ବନ୍ୟାରେ କଲବଲ ହେଉଥିବା ଅଞ୍ଚଳରେ ବି ପ୍ରବଳ ବର୍ଷା ଅଜାଡ଼ିବ ।

ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବିଶେଷ କରି ଉତ୍ତର ଓଡ଼ିଶାର କେନ୍ଦୁଝର ଓ ମୟୂରଭଞ୍ଜରେ ଶୁକ୍ରବାର ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଛେଚିବ । କେତେକ ଜାଗାରେ ୭୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ଅଜାଡ଼ିପାରେ । ଏହାବାଦ୍‌ ବର୍ତ୍ତମାନ ବନ୍ୟାରେ କଲବଲ ହେଉଥିବା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ସମ୍ବଲପୁର, ସୋନପୁର, ବୌଦ୍ଧ, ଭଦ୍ରକରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ଛେଚିବ । ଏହାବାଦ ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, ବାଲେଶ୍ୱରରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗ । ନୟାଗଡ଼, ଖୋର୍ଦ୍ଧା, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା ଓ ପୁରୀରେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି । ଏମିତି ପୂର୍ବାନୁମାନ ଡରାଇଲାଣି ବନ୍ୟା ବିପନ୍ନଙ୍କୁ । ଘରଦ୍ୱାର ହରାଇ ଖୋଲା ଆକାଶ ତଳେ ମୁଣ୍ଡ ଗୁଞ୍ଜିଥିବା ବିପନ୍ନଙ୍କ ଚିନ୍ତା ବଢ଼ିଯାଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଅନୁମାନ କରାଯାଉଛି । ୨୧ରୁ କ୍ରମଶଃ ବର୍ଷା କମିବ ।

ବର୍ଷା ସହ ପବନ ମଧ୍ୟ ବନ୍ୟା ବିପନ୍ନଙ୍କୁ କଲବଲ କରିବ । ପାଣିପାଗ ବିଭାଗର ସୂଚନା ମୁତାବକ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ସହ ପବନ ବେଗ ମଧ୍ୟ ବଢ଼ିବ । ୪୫ରୁ ୫୫ କିମି ବେଗରେ ପବନ ସହ ସ୍ଥଳବିଶେଷରେ ୬୫ କିମି ପର୍ଯ୍ୟନ୍ତ ବେଗ ଛୁଇଁବ । ବନ୍ୟା ପ୍ରଭାବିତ ଅଞ୍ଚଳରେ ଅନେକ ଘର ଓ ଗଛ ଦୁର୍ବଳ ଅବସ୍ଥାରେ ରହିଛି । ପବନରେ ଏଗୁଡ଼ିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ।

ଉତ୍ତର ପୂର୍ବ ବଙ୍ଗୋପସାଗରରେ ଅବପାତ ହେବା ପରେ ଏହା ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଦେଇ ଉତ୍ତର ଛତିଶଗଡ଼ ଉପରକୁ ଯିବ ।ଅର୍ଥାତ୍‌ ଓଡ଼ିଶା ସହ ଛତିଶଗଡ଼ରେ ବି ବର୍ଷା ବଢ଼ିପାରେ । ସମ୍ଭାବ୍ୟ ବର୍ଷା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ବନ୍ୟା ସ୍ଥିତି ସହ ସମ୍ଭାବ୍ୟ ବର୍ଷାଜନିତ ସ୍ଥିତି ମୁକାବିଲା ପାଇଁ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ଶୁକ୍ରବାର ପାହାନ୍ତିଆରୁ ଉତ୍ତର ଉପକୂଳରେ ବର୍ଷା ଆରମ୍ଭ ହେବ। କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକରେ ପ୍ରବଳ ବର୍ଷା ହେବ । ୨୧ରେ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଶୁଖିଲା ବା ବିକ୍ଷିପ୍ତ ବର୍ଷା ହେବ । ଛତିଶଗଡ଼ ଓ ସଂଲଗ୍ନ ଓଡ଼ିଶାରେ ଭାରି ବର୍ଷା ହେବ । ଲଘୁଚାପ ପ୍ରଭାବ ଓଡ଼ିଶା ଉପରେ ପ୍ରାୟ ୩୬ ଘଣ୍ଟା ରହିବ । ତେବେ ପୂର୍ବ ଲଘୁଚାପ ତୁଳନାରେ ଏଥର କମ ବର୍ଷା ହେବ । ଏଥର ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା ସମ୍ଭାବନା ନାହିଁ । ସୁବର୍ଣ୍ଣରେଖା ପ୍ରତି ବିଶେଷ ବିପଦ ନାହିଁ ।

ସେହିପରି ଦକ୍ଷିଣ ଓଡ଼ିଶା ପାଇଁ ମଧ୍ୟ ବିପଦର ଆଶଙ୍କା ନାହିଁ । ବାଲେଶ୍ୱର ଜିଲ୍ଲାରେ ଥିବା ଛୋଟ ଛୋଟ ନାଳ ଓ ନଦୀଗୁଡିକରେ କିନ୍ତୁ ପ୍ରଭାବ ପଡ଼ିପାରେ । ମହାନଦୀର ତଳମୁଣ୍ଡରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ତଥାପି ମହାନଦୀ ଫୁଲିବା ସହିତ ବ୍ରାହ୍ମଣୀ ଫୁଲିବାର ଅଧିକ ସମ୍ଭାବନା ରହିଛି । ବ୍ରାହ୍ମଣୀର ଉଭୟ ଉପର ଓ ତଳମୁଣ୍ଡରେ ବର୍ଷା ହେବ । ମହାନଦୀର ତଳମୁଣ୍ଡରେ ବର୍ଷା ସମ୍ଭାବନା ନାହିଁ । ବୈତରଣୀ ଆରମ୍ଭ ଗୋନାସିକାରୁ ସମୁଦ୍ରରେ ମିଶିବା ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବା ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଲଘୁଚାପ ପ୍ରଭାବରେ ପଟ୍ଟାମୁଣ୍ଡାଇରେ ପ୍ରାୟ ୧୦୦ ମିଲିମିଟର, ଭଦ୍ରକରେ ୧୨୫, ଦେବଗଡ଼ ୧୧୫, ପାଲଲହଡ଼ାରେ ୧୧୫, କେନ୍ଦୁଝରଗଡ଼ରେ ୧୦୦, ଆନନ୍ଦପୁରରେ ୧୧୦, ସମ୍ବଲପୁର, ବରଗଡ, ଝାରସୁଗୁଡ଼ା, ରେଙ୍ଗାଲିରେ ୧୦୦ରୁ ୧୧୫ ମିଲିମିଟର ବର୍ଷା ହୋଇପାରେ ।

ଛତିଶଗଡ଼ରେ ଥିବା ମହାନଦୀ ଅବବାହିକା, ଉଭୟ ଦକ୍ଷିଣ ଓ ଉତ୍ତରରେ ଭାରି ବର୍ଷା ହେବ । ଆସନ୍ତା ୨୧ ସୁଦ୍ଧା ଚନ୍ଦ୍ରପୁର/ସିଓନାରାୟଣ/ବିଳାସପୁରରେ ପ୍ରାୟ ୧୦୦ ମିଲିମିଟର ବର୍ଷା ସମ୍ଭାବନା ଥିବାବେଳେ ରାଇପୁର, ଶିରିପୁର ଓ ନନ୍ଦାଘାଟରେ ଅଧିକ ବର୍ଷା ହୋଇପାରେ । ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହୋଇପାରେ । ବଲାଙ୍ଗିର/ନୂଆପଡ଼ା/ଭବାନୀପାଟଣା/ଜାମସେଦପୁର/ରାଞ୍ଚିରେ ୬୦ ମିଲିମିଟରରୁ ଅଧିକ, କଟକ/ଆଠଗଡ଼/ଭୁବନେଶ୍ୱରରେ ୫୦ରୁ ୬୦ମିଲିମିଟର ବର୍ଷା ଆସନ୍ତା ୩ଦିନରେ ହୋଇପାରେ । ଏହି ଜିଲ୍ଲାଗୁଡିକ ବ୍ୟତୀତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣରେ ଧାନ ରୁଆ-ବେଉଷଣ କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି ।

ଏସଆରସି ଶ୍ରୀ ଜେନା ସୂଚନା ଦେଇଛନ୍ତି, ଆଗାମୀ ଲଘୁଚାପ ବର୍ଷାକୁ ଆଖି ଆଗରେ ରଖି ହୀରାକୁଦ ଜଳଭଣ୍ଡାର ଗେଟ ପରିଚାଳନା କରାଯାଉଛି । ମହାନଦୀର ଜଳସ୍ତର ଗତକାଲିଠାରୁ କ୍ରମଶଃ କମୁଛି । ମୁଣ୍ଡଳିରେ ବି ଜଳସ୍ତର ଖସୁଛି । ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳପତ୍ତନ ୬୨୩.୪୩ ମିଟର ଥିବାବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୩,୯୦,୧୮୯ ଘନଫୁଟ ପ୍ରବେଶ କରୁଥିଲା । ୨୮ଟି ଗେଟ ଯୋଗେ ୪,୭୭,୦୩୪ ଘନଫୁଟ ପାଣି ଛଡ଼ାଯାଉଛି । ଖଇରମାଳରେ ୮.୪୦ ଲକ୍ଷ ଘନଫୁଟ ପାଣି ଚାଲିଥିବାବେଳେ ମୁଣ୍ଡଳିରେ ୯ ଲକ୍ଷ ୯୫ ହଜାର ୧୨୦ ଘନଫୁଟ ପାଣି ଥିଲା । ଲଘୁଚାପ ଜନିତ ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ହୀରାକୁଦ ଜଳଭଣ୍ଡାରର କିଛି ଗେଟ ବନ୍ଦ କରାଯାଇଛି । ସରକାରଙ୍କ ପ୍ରାଥମିକ ଆକଳନ ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୩ଟି ଜିଲ୍ଲାର ୭୧ଟି ବ୍ଲକ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଛି ।

ଏଥିରେ ୨୦୬୬ଟି ଗାଁ ପ୍ରଭାବିତ ହୋଇଛି । ବନ୍ୟା ଯୋଗୁ ୪୭୦ଟି ଗାଁ ପାଣି ଘେରରେ ଅଛି । ୨ ଲକ୍ଷ୫୫ ହଜାର ୩୨୫ଜଣ ଲୋକେ ଏବେ ବି ଜଳବନ୍ଦୀ ଅଛନ୍ତି । ପ୍ରାୟ ୫ ଲକ୍ଷ ଲୋକେ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି । ଏସବୁ ଅଞ୍ଚଳରେ ୧୯୦ଟି ରିଲିଫ କେନ୍ଦ୍ରରେ ୧ ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବନ୍ୟା ଓ ପ୍ରବଳ ବର୍ଷାରେ ଅନେକ ଘର କ୍ଷତିଗ୍ରସ୍ତ ହେବା ସହ ବହୁ ଚାଷ ଜମି ଜଳମଗ୍ନ ହୋଇଛି । ଆଗାମୀ ଲଘୁଚାପ ବର୍ଷା ପାଇଁ ବିପନ୍ନଙ୍କୁ ତୁରନ୍ତ ପଲିଥିନ ଯୋଗାଣ ଲାଗି କୁହାଯାଇଛି । ବନ୍ୟାଞ୍ଚଳରେ ୧୩ଟି ଜିଲ୍ଲାର ୬୪ଟି ଭ୍ରାମ୍ୟମାଣ ଡାକ୍ତରୀ ଦଳ ମୁତୟନ କରାଯାଇଛି । ୨୦ ହଜାର ଓଆରଏସ୍‌ ପ୍ୟାକେଟ ଓ ୧ ଲକ୍ଷ ୪୨ ହଜାର ହାଲୋଜିନ ବଟିକା ବଣ୍ଟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.