ଧିରେ ଧିରେ ଦୁର୍ବଳ ହେଉଛି ଘୂର୍ଣ୍ଣିବଳୟ ପ୍ରଭାବ : ଦୁଇ ଦିନ ବର୍ଷା ପରେ ପାଗ ଶୁଖିଲା

Published By : Prameya-News7 Bureau | July 24, 2022 IST

ଭୁବନେଶ୍ୱର ୨୪/୦୭: ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ଘୂର୍ଣ୍ଣିବଳୟ ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ରହିଛି । ଏହାର ପ୍ରଭାବ ଧୀରେ ଧୀରେ ଦୁର୍ବଳ ହେଉଛି । ଆଗାମୀ ଦୁଇ ଦିନ ରାଜ୍ୟର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ । ପରେ ପାଗ ଶୁଖିଲା ରହିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ ଦେଇଛି । ରବିବାର ଓ ସୋମବାର ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ଦିଆଯାଇଛି ।

ସେହିଭଳି ସୋମବାର ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, ଜଗତସିଂହପୁର ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ । ୨୬ ଓ ୨୭ ବର୍ଷା ସମ୍ଭାବନା ନାହିଁ ଓ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଆଗାମୀ ଦୁଇ ଦିନ ସାମାନ୍ୟ ବର୍ଷା ହୋଇପାରେ । ଏହାପରେ ୫ ତାରିଖ ଯାଏ ବର୍ଷା ନାହିଁ ବୋଲି ସୋଆ ଜଳାବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଆକଳନ କରିଛନ୍ତି ।

ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହୋଇଛି । ଛତ୍ରପୁରରେ ୯୧.୬ ମିଲିମିଟର, ଟିଟିଲାଗଡ଼ରେ ୬୩.୨ ମିଲିମିଟର, ଭବାନୀପାଟଣାରେ ୫୦.୬, ତାଳଚେରରେ ୩୫, ବାରିପଦାରେ ୨୪, ପୁରୀରେ ୨୩.୭, ଭଦ୍ରକରେ ୨୨.୪, ସୁନ୍ଦରଗଡ଼ରେ ୨୧.୩, କେନ୍ଦୁଝରରେ ୨୧.୧, ଦେବଗଡ଼ରେ ୨୯.୪ ମିଲିମିଟର ବର୍ଷା ହୋଇଛି । ଶନିବାର ସକାଳୁ ସନ୍ଧ୍ୟା ଭିତରେ ଯାଜପୁରରେ ୪୧, ସୋନପୁରରେ ୩୫, ବାଲେଶ୍ୱରରେ ୨୨, କଟକରେ ୧୧ ଓ ଭୁବନେଶ୍ୱରରେ ୨.୫ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ତଥ୍ୟ ରଖିଛି ।

ଜଳସମ୍ପଦ ବିଭାଗର ସୂଚନା ଅନୁସାରେ, ମହାନଦୀ ତଳମୁଣ୍ଡ ଆଠମଲ୍ଲିକରେ ୮୦, କାକଟପୁରରେ ୭୦, ଟିଟିଲାଗଡ଼ରେ ୬୩.୨, ପାଇକମାଳରେ ୬୦, ସିନାପାଲିରେ ୫୫.୬, ଭବାନୀପାଟଣାରେ ୫୦.୬ ମିମି ବର୍ଷା ହୋଇଛି । ମହାନଦୀର ଉପରମୁଣ୍ଡରେ ଥିବା ଝରାବନ୍ଧରେ ୬୪, ଗାଇସିଲଟରେ ୩୫ ମିମି ବର୍ଷା ହୋଇଛି । ବୁଢ଼ାବଳଙ୍ଗ ନଦୀ ଅଞ୍ଚଳର ସୋରରେ ୬୮ ଓ ବାହାଙ୍ଗାରେ ୭୦ମିମି ବର୍ଷା ହୋଇଛି । ଋଷିକୂଲ୍ୟାର ଛତ୍ରପୁରରେ ୯୧ ଓ ପୋଲସରାରେ ୭୦.୮ ମିମି ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.