ଜୁଲାଇ ପହିଲାରୁ ବଢିଛି ବର୍ଷା, ତଥାପି ୭ ଜିଲ୍ଲା ଶୁଖିଲା

Published By : Prameya-News7 Bureau | July 07, 2022 IST

ନୂଆଦିଲ୍ଲୀ ୦୭/୦୭: ଜୁଲାଇ ପହିଲାରୁ ରାଜ୍ୟରେ ବର୍ଷା ବଢ଼ିଛି ।୪ ତାରିଖରେ ଉତ୍ତର ଓଡ଼ିଶାରେ ହୋଇଥିବା ଲଘୁଚାପ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷୁଛି । ତଥାପି କିଛି ଜିଲ୍ଲାରେ ଏବେ ବି ମୌସୁମୀ ବର୍ଷାର ପରିମାଣ ନିଅଣ୍ଟିଆ ରହିଛି । ଆଇଏମ୍‌ଡି ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ରାଜ୍ୟର ୨୧ ଜିଲ୍ଲାରେ ଅତ୍ୟଧିକ ବର୍ଷା ଓ ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ଆଇଏମ୍‌ଡିର ତଥ୍ୟ ଅନୁସାରେ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ନୟାଗଡ଼, କଟକ, ଭଦ୍ରକ, ଯାଜପୁର, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ୱର ଭଳି ୨୧ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ଏହି ସମସ୍ତ ଜିଲ୍ଲାରେ ସ୍ୱାଭାବିକଠାରୁ ୬୦%ରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ବା ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି । କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ବଲାଙ୍ଗୀର, ନୂଆପଡ଼ାରେ ନିଅଣ୍ଟିଆ ବର୍ଷା ହୋଇଛି । ରାୟଗଡ଼ା ଓ କଳାହାଣ୍ଡିରେ ଅଧିକ ନିଅଣ୍ଟିଆ ବା ୬୦ରୁ ୯୯% କମ୍ ବର୍ଷା ହୋଇଥିବା ସୂଚନା ମିଳିଛି । ଗଜପତି ଓ କନ୍ଧମାଳ ଭଳି ଦୁଇ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।

ଉତ୍ତର ଓଡିଶାରେ ସୃଷ୍ଟି ହୋଇଥିବା ଲଘୁଚାପର କେନ୍ଦ୍ରସ୍ଥଳ ଏବେ ବାଲେଶ୍ୱରରେ ଅଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ । ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ରାୟଗଡ଼, ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ବରଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.