ପହିଲି ରଜରେ ହେବନି ବର୍ଷା, ୧୭ରେ ଓଡିଶା ଛୁଇଁପାରେ ମୌସୁମୀ

Published By : Prameya-News7 Bureau | June 14, 2022 IST

ନୂଆଦିଲ୍ଲୀ ୧୪/୦୬: ରଜକୁ ବର୍ଷା ଭିଜାଇବ । ଏଭଳି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ଗତ ଦୁଇଦିନ ତଳେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଥଣ୍ଡା ରହିଥିଲା । ଏଭଳି ରଜ ପାଗ ଜାରି ରହିବ ବୋଲି ଆଶା ଥିଲା । ହେଲେ ପାଣିପାଗ ବିଭାଗର ସାନି ଆକଳନକୁ ବିଶ୍ୱାସ କଲେ ଆସନ୍ତା ଦୁଇ ଦିନ ଭିତରେ ମୌସୁମୀ ଆସି ବର୍ଷା କରାଇବା ସମ୍ଭାବନା କମ୍‌ । ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ତାତିରୁ ତ୍ରାହି ମିଳିନପାରେ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କହୁଛି, ୧୬ ବା ୧୭ ତାରିଖରେ ମୌସୁମୀ ଓଡିଶା ଛୁଇଁପାରେ । ଏହା ପୂର୍ବରୁ ରାଜ୍ୟରେମୌସୁମୀ ଛୁଇଁବାର ସମ୍ଭାବନା ବିଶେଷ ନାହିଁ । ଯଦିଓ ଏ ସମୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି, କିନ୍ତୁ ମୌସୁମୀ ପ୍ରଭାବରୁ ବର୍ଷା ହେବନି । ଏଣୁ ପହିଲି ରଜ ସମେତ ଏହା ପରବର୍ତ୍ତୀ ଦୁଇ ଦିନ ବି ପାଗରେ ବିଶେଷ ପରିବର୍ତ୍ତନ ନ ହୋଇପାରେ । ଆସନ୍ତା ୪୮ଘଣ୍ଟା ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହା ପରେ ପାଗ ବଦଳିବ ଓ ଗରମ କମିଯିବ ବୋଲି ଆକଳନ କରାଯାଇଛି ।

ସୋମବାର ରାଜ୍ୟର ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ଥିଲା । ୯ଟି ସ୍ଥାନର ତାପମାତ୍ରା ୪୨ଡିଗ୍ରୀ ଉପରେ ରହିଛି । ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ସର୍ବାଧିକ ୪୩. ୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବଲାଙ୍ଗିରରେ ୪୨.୮, ଝାରସୁଗୁଡାରେ ୪୨.୬, ହୀରାକୁଦରେ ୪୨.୬, ବାରିପଦାରେ ୪୨.୪, ତାଳଚେରରେ ୪୨.୨, ବରଗଡ଼ ଓ ସୁନ୍ଦରଗଡରେ ୪୨, ଟିଟିଲାଗଡ଼ରେ ୪୧.୭ ଓ ଅନୁଗୁଳରେ ୪୧.୭, ବୌଦ୍ଧରେ ୪୧.୫, ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱର, କଟକ ଭଳି ଉପକୂଳ ଅଞ୍ଚଳରେ ତାତି କମ୍‌ ଥିଲା । ଏଠାରେ ତାପମାତ୍ରା ପ୍ରାୟ ୩୭ରୁ ୩୮ ଡିଗ୍ରୀ ବା ଏହାଠାରୁ କମ୍‌ ଥିଲା । କିନ୍ତୁ ଏଠାରେ ୪୩ଡିଗ୍ରୀ ଭଳି ଗରମ ଅନୁଭବ ହୋଇଥିଲା । ଅଧିକାଂଶ ସ୍ଥାନରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା ।

ତେବେ ୧୪ ଓ ୧୫ ତାରିଖ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି । ଦକ୍ଷିଣ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ଅଛି । ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ମୌସୁମୀ ଆସିବାକୁ ପାଗ ବିଶେଷ ଅନୁକୂଳ ନାହିଁ । ରାଜ୍ୟରେ ମୌସୁମୀ ପହଞ୍ଚିଲେ ବି ଏହା ବିଶେଷ ବର୍ଷା କରାଇବନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.