ଫିଲିପିନରେ ଜଳ ପ୍ରଳୟ ! ବନ୍ୟାରେ ୩୨ ଜଣ ମୃତ, ଅନେକ ନିଖୋଜ
29/12/2022 at 5:12 PM

ନୂଆଦିଲ୍ଲୀ: ଫିଲିପିନରେ ପ୍ରବଳ ବର୍ଷା ଏବଂ ଏହାପରର ବନ୍ୟା ସ୍ଥିତି ଯୋଗୁଁ ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୨୪ ଜଣ ନିଖୋଜ ଥିବା ଖବର ମଧ୍ୟ ସାମନାକୁ ଆସିଛି । ବିପର୍ଯ୍ୟୟ ମୁକାବିଲାର କେନ୍ଦ୍ରୀୟ ଏଜେନ୍ସି ଗୁରୁବାର ଏହି ସୂଚନା ଦେଇଛି । ପୂର୍ବ, ମଧ୍ୟ ଏବଂ ଦକ୍ଷିଣ ଫିଲିପିନରେ ଖରାପ ପାଣିପାଗ ଯୋଗୁଁ ଖ୍ରୀଷ୍ଟମାସ ଉତ୍ସବ ଫିକା ପଡ଼ିଥିଲା । ଏଠାରେ ୫୬,୦୦୦ରୁ ଅଧିକ ଲୋକଙ୍କୁ ଆଶ୍ରୟ ଗୃହରେ ରଖାଯାଇଛି ।
ନ୍ୟାସନାଲ ଡିଜାଷ୍ଟର ରିକ୍ସ ରିଡକ୍ସନ ଆଣ୍ଡ ମ୍ୟାନେଜମେଣ୍ଟ କାଉନସିଲ ଅନୁସାରେ, ମୃତ ୩୨ ଜଣଙ୍କ ମଧ୍ୟରୁ ୧୮ ଜଣ ଉତ୍ତର ମିଣ୍ଡାନାଓର ବାସିନ୍ଦା । ଅନ୍ୟପଟେ ନିଖୋଜ ୨୪ ଜଣଙ୍କ ମଧ୍ୟରୁ ୨୨ ଜଣ ମଧ୍ୟ-ଫିଲିପିନ କଥା ବିକୋଲ କ୍ଷେତ୍ରରେ ବାସ କରୁଥିଲେ । ପାଣିରେ ବୁଡ଼ି ଅଧିକାଂଶ ଲୋକଙ୍କ ଜୀବନ ଯାଇଛି । ଅନ୍ୟପଟେ ନିଖୋଜଙ୍କ ମଧ୍ୟରେ ଅଧିକାଂଶ ମତ୍ସ୍ୟଜୀବୀ ।
ଏଜେନ୍ସି ଅନୁସାରେ ବନ୍ୟା ଯୋଗୁଁ ଚାରି ହଜାରରୁ ଅଧିକ ଘର ଭାଙ୍ଗି ଯାଇଛି । ଏହାସହ ରସ୍ତା-ପୋଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଅନେକ ସ୍ଥାନରେ ବିଜୁଳି ସେବା ଠପ୍ ହୋଇଯାଇଥିବା ବେଳେ ଲୋକଙ୍କ ପାଖରେ ପାନୀୟ ଜଳ ନାହିଁ । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟାରେ ବନ୍ୟା ପ୍ରଭାବିତ କିଛି ଅଞ୍ଚଳର ହାଲୁକାରୁ ମଧ୍ୟମ ଧରଣର ବର୍ଷ ହେବା ନେଇ ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ।