ଖସିଲା ତାତି, ୨୭ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

Published By : Prameya-News7 Bureau | February 25, 2024 IST

ଭୁବନେଶ୍ୱର ୨୪ା୦୨ : ଶୁକ୍ରବାର ଭୁବନେଶ୍ୱରର ଦିନ ତାପମାତ୍ରା ପାଖାପାଖି ୩୩ ଡିଗ୍ରୀ ଥିଲା । ଶନିବାର ଏହା ୨୯.୭ଡିଗ୍ରୀକୁ କମିଛି । ଗୋଟିଏ ବି ସହର ୩୫ଡିଗ୍ରୀ ଉପରକୁ ଟପିନି । ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବର୍ଷା ପ୍ରଭାବରେ ଆଜି ତାତିର ଗ୍ରାଫ୍‌ ଏମିତି ତଳମୁହାଁ ହୋଇଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନତମାମ ପାଗ କୋହଲା ରହିଥିଲା । ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଅନୁଗୁଳ, କେନ୍ଦୁଝର ଓ ଢେଙ୍କାନାଳରେ ଆକାଶ ମେଘୁଆ ସହ କୋହଲା ପାଗ ରହିଥିଲା ।

ଶନିବାର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସହରରେ ସାମାନ୍ୟ ବର୍ଷା ହୋଇଛି । ଗୋପାଳପୁର ଓ ଢେଙ୍କାନାଳରେ ସର୍ବାଧିକ ୧୦ମିମି ବର୍ଷା ହୋଇଛି । ନୟାଗଡ଼ର ବରମୂଲରେ ୬.୨ମିମି, ଗଜପତିର ମହେନ୍ଦ୍ରଗଡ଼ରେ ୬.୬, ପୁରୀରେ ୬.୨, ଗଞ୍ଜାମର ପୋଲସରାରେ ୫.୨, ପୁରୀର କୃଷ୍ଣପ୍ରସାଦରେ ୫, ସମ୍ବଲପୁରରେ ୫, ସତ୍ୟବାଦୀରେ ୫, ନୟାଗଡ଼ର ରଣପୁରରେ ୪.୨ ଓ ପୁରୀର ଗୋପରେ ୪ମିମି ବର୍ଷା ରେକର୍ଡ ହୋଇଛି । ଭୋର୍‌ ସମୟରେ ଭୁବନେଶ୍ୱରରେ ଅସରାଏ ବର୍ଷା ହୋଇଛି । ଆହୁରି କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇଛି ।

ତେବେ ଅଧିକାଂଶ ସ୍ଥାନରେ ମେଘୁଆ ପାଗ ଅନୁଭୂତ ହୋଇଥିଲା । ୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୨୬ରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୨୭ରେ ଉତ୍ତର ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । ସେବେଯାଏ ରାଜ୍ୟର ଅଧିକାଂଶ ସ୍ଥାନର ଦିନ ତାପମାତ୍ରା ଅପେକ୍ଷାକୃତ କମ୍‌ ରହିବ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରି କହିଛନ୍ତି, ଆସନ୍ତା ୬ ତାରିଖ ଯାଏ ଦିନ ତାପମାତ୍ରା କମ୍‌ ରହିବ । ସମୁଦ୍ରରୁ ଆସୁଥିବା ଜଳୀୟବାଷ୍ପ ଯୋଗୁ ତାତି ଅନୁଭୂତ ହେବନି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨୦ଡିଗ୍ରୀ ପାଖାପାଖି ରହିବ ।

wp:embed {"url":"https://www.prameyanews7.com/indian-batsmen-trapped-in-the-spin-of-bashir-hartley-englands-return-on-the-second-day-of-ranchi-test/","type":"wp-embed","providerNameSlug":"prameya-news-7"}
https://www.prameyanews7.com/indian-batsmen-trapped-in-the-spin-of-bashir-hartley-englands-return-on-the-second-day-of-ranchi-test/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.