ଅଫେରା ରାଇଜରେ ରାଇମୋହନ, ମୃତ୍ୟୁ ପରେ କଲେ ଚକ୍ଷୁଦାନ

Published By : Prameya-News7 Bureau | June 24, 2022 IST

ଭୁବନେଶ୍ଵର: ହେଇ ଅନାନୀ...ଲଭଲି...ମୋ ନାଁ ନାଗିନା... ମୋର ସବୁଠି ଚିହ୍ନା....। ଦମଦାର ଅଭିନୟ, ଜବରଦସ୍ତ ଡାଇଲଗ୍। ନେଗେଟିଭ୍ ଚରିତ୍ରର ମୃତ୍ୟୁ ଏମିତି ଯିଏ ଦେଖିବ ତାର ଲୋମ ଟାଙ୍କୁରି ଉଠିବ। ପରଦା ଉପରେ ଏଣ୍ଟ୍ରି ହେଲେ ବାଜେ ତାଳି, ଶୁଭେ ଗାଳି। ବିନ୍ଦାସ, ଖୁସ୍ ମିଜାଜ୍ ଲୋକ ପ୍ରିୟ ଅଭିନେତା ରାଇମୋହନ ଆଉ ଏଇ ଦୁନିଆରେ ନାହାନ୍ତି। ଚିର ନିଦ୍ରାରେ ଶୋଇ ଯାଇଛନ୍ତି ସଭିଙ୍କ ଅତି ପ୍ରିୟ ରାଇ ଭାଇ। ହେଲେ ତାଙ୍କ ଆଖି କିନ୍ତୁ ଦୁନିଆ ଦେଖିବ। କାରଣ ମୃତ୍ୟୁ ପରେ ଚକ୍ଷୁ ଦାନ କରିଛନ୍ତି ରାଇମୋହନ।

ଅଗଣିତ ସିନେ ପ୍ରେମୀଙ୍କ ଆଖିରେ ଲୁହ ଦେଇ ଅଫେରା ରାଇଜକୁ ଫେରିଗଲେ ବରିଷ୍ଠ ଓଲିଉଡ ଅଭିନେତା ତଥା ସଭିଙ୍କ ପ୍ରିୟର ଖଳନାୟକ ରାଇମୋହନ ପରିଡା। ତାଙ୍କ ମୃତ୍ୟୁ ଖବରରେ ପୂରା ଓଲିଉଡ, ଯାତ୍ରା ଜଗତ ଏବଂ ଓଡିଶାବାସୀ ସ୍ତବ୍ଧ। ଶୁକ୍ରବାର ଭୁବନେଶ୍ଵର ସ୍ଥିତ ପ୍ରାଚୀ ବିହାରରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି ରାଇମୋହନ। ତାଙ୍କର  ଅପ୍ରତ୍ୟାଶିତ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ତେବେ ମୃତ୍ଯୁ ପରେ ଚକ୍ଷୁଦାନ କରିଛନ୍ତି  ରାଇମୋହନ। କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଚକ୍ଷୁଦାନ କରାଯାଇଥିବା କ୍ଯାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

ଆଜିର ଦିନଟି ଓଡିଆ ସିନେ ଏବଂ ଯାତ୍ରା ଜଗତ ପାଇଁ ଏକ କଳାଦିନ। କଳା କ୍ଷେତ୍ର ପାଇଁ ଅପୂରଣୀୟ କ୍ଷତି। ଆଉ ଶୁଣିବାକୁ ମିଳିବନି ସିନେ ଏବଂ ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନଙ୍କ ଡାଇଲଗ୍। ତାଙ୍କ ସଂଳାପକୁ ଝୁରିବ ମଞ୍ଚ ଏବଂ ଝୁରିବେ ଜନତା। ପ୍ରାୟ ତିନି ଦଶନ୍ଧି ଧରି ସିନେ ଜଗତରେ ଏକ ସ୍ଵତନ୍ତ୍ର ଛାପ ଛାଡିଛନ୍ତି ରାଇମୋହନ। ୧୯୮୬ରେ ସେ ‘ ପକା କମ୍ବଳ ପୋତ ଛୋତା’ ଫିଲ୍ମରୁ ଓଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ୧୯୮୭ରେ ‘ସାଗର’ ଫିଲ୍ମରେ ତାଙ୍କୁ ପରିଚୟ ମିଳିଥିଲା।

ଚଳଚ୍ଚିତ୍ରରେ  ତାଙ୍କ  ଖଳନାୟକ ଚରିତ୍ରକୁ ପସନ୍ଦ କରିଥିଲେ ଲୋକେ। ୧୯୯୧ରେ ସେ ଓଡିଆ ଯାତ୍ରା ଇଣ୍ଡଷ୍ଟ୍ରୀରେ ପାଦ ଥାପିଥିଲେ। ତାରିଣୀ ଗଣନାଟ୍ୟର ଲୋକପ୍ରିୟ ନାଟକ ଭଙ୍ଗା ଆଇନରେ ନିର୍ଦ୍ଦେଶନା ଦେଇଥିଲେ।   ପାଖାପାଖି ୧୦୦ରୁ ଉର୍ଦ୍ଧ୍ଵ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି ରାଇମୋହନ।  ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.