ସଂସଦରେ ରେଳମନ୍ତ୍ରୀଙ୍କ ସୂଚନା, ବରିଷ୍ଠ ନାଗରିକଙ୍କୁ ଏବେ ରିହାତି ଦେଇ ପାରିବେନି ରେଳବାଇ

Published By : Prameya-News7 Bureau | December 14, 2022 IST

ନୂଆଦିଲ୍ଲୀ ୧୪।୧୨: ବରିଷ୍ଠ ନାଗରିକଙ୍କୁ ରେଳବାଇ ଦେଉଥିବା ରିହାତି ଏବେ ଲାଗୁ କରାଯାଇ ପାରିବନି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ସଂସଦରେ  ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତବର୍ଷ ଯାତ୍ରୀ ସେବା ଲାଗି ୫୯ ହଜାର କୋଟି ଟଙ୍କା ସବସିଡି ଦିଆଯାଇଛି। ଏହା ଛଡା ରେଳବାଇଙ୍କ ବେତନ ଓ ପେନସନ୍ ସମ୍ପର୍କିତ ଭାର ମଧ୍ୟ ବହୁତ ଅଧିକ। ଲୋକସଭାରେ ମହାରାଷ୍ଟ୍ରର ସ୍ୱାଧୀନ ସାଂସଦ ନବନୀତ ରବି ରାଣାଙ୍କ ସପ୍ଲିମେଣ୍ଟ୍ରି ପ୍ରଶ୍ନର ଜବାବରେ ରେଳମନ୍ତ୍ରୀ ଏହା କହିଛନ୍ତି।

ନବନୀତ ରାଣା ତାଙ୍କ ପ୍ରଶ୍ନରେ ବରିଷ୍ଠ ନାଗରିକଙ୍କୁ ରେଳବାଇ ଦେଉଥିବା ରିହାତି କେବେ ଲାଗୁ କରିବେ ବୋଲି ପଚାରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଦେଶରେ କୋଭିଡ-୧୯ ମହାମାରୀ ପ୍ରସାର କାଳରେ ରେଳବାଇ ବରିଷ୍ଠ ନାଗରିକଙ୍କ ରିହାତି ବନ୍ଦ କରିଦେଇଥିଲେ। ତେବେ ରେଳମନ୍ତ୍ରୀ ଗତବର୍ଷ ରେଳ ଯାତ୍ରୀଙ୍କୁ ୫୯ କୋଟି ଟଙ୍କା ସବସିଡି ଦେଇଥିବା କହିଛନ୍ତି। ଏହା ଛୋଟମୋଟ ରାଶି ନୁହେଁ ଏପରିକି କେତେକ ରାଜ୍ୟର ବାର୍ଷିକ ବଜେଟ୍ ଠାରୁ ମଧ୍ୟ ଅଧିକ ବୋଲି ସେ ଗୃହରେ କହିଛନ୍ତି।

ତେବେ ରେଳବାଇରେ ନୂଆ ସୁବିଧା ଆସୁଥିବାର ସେ ଗୃହକୁ ସୂଚିତ କରିଛନ୍ତି। ହେଲେ ରେଳବାଇଙ୍କ ବର୍ତ୍ତମାନ ପରିସ୍ଥିତିକୁ ସମସ୍ତଙ୍କୁ ଅନୁଭବ କରିବାକୁ ପଡିବ ବୋଲି ବୈଷ୍ଣବ କହିଛନ୍ତି। ସେହିପରି ରେଳମନ୍ତ୍ରୀ ଗୃହରେ ବନ୍ଦେ ଭାରତ ଏକ୍ସପ୍ରେସ୍ ସମ୍ପର୍କରେ ମଧ୍ୟ ସୂଟିତ କରିଛନ୍ତି। ଏବେ ଏହି ଟ୍ରେନ ୫୦୦ରୁ ୫୫୦ କିଲୋମିଟରର ଅଧିକତମ ଦୂରତା ମଧ୍ୟରେ ଚଳାଚଳ କରୁଛି। ତେବେ ଏହାର ଇନଫ୍ରାଷ୍ଟ୍ରକ୍ଚର ତିଆରି ହୋଇଗଲେ ଦୀର୍ଘ ଦୂରତାରେ ମଧ୍ୟ ଏହି ଟ୍ରେନକୁ ଚଳାଚଳ କରିହେବ। ସେହିପରି ଅଯୋଧ୍ୟାରେ ରାମମନ୍ଦିରର ନିର୍ମାଣ ସରିଲେ ଦେଶର ସବୁ ରାଜ୍ୟଙ୍କୁ ରେଳ ଯୋଗେ ଅଯୋଧ୍ୟା ସହ ସଂଯୁକ୍ତ କରାଯିବ ବୋଲି ମଧ୍ୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.