ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ଚାଲିଲା ପ୍ରଥମ ସ୍ୱତନ୍ତ୍ର ଟ୍ରେନ୍

Published By : Prameya-News7 Bureau | May 01, 2020 IST

ଲିଙ୍ଗମପଲ୍ଲୀ ୦୧/୦୫ : ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଘରକୁ ପହଞ୍ଚାଇବା ପାଇଁ ପ୍ରଥମ ଟ୍ରେନ ଆରମ୍ଭ ହୋଇଛି | ତେଲେଙ୍ଗାନା ଲିଙ୍ଗମପଲ୍ଲୀରୁ ଝାରଖଣ୍ଡ ହଟିଆ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ ଆରମ୍ଭ ହୋଇଛି | ଏହି ଟ୍ରେନ ଆଜି ସକାଳୁ ଲିଙ୍ଗମପଲ୍ଲୀରୁ ବାହାରିଛି ଯାହା ରାତି ୧୧ଟା ରେ ହଟିଆରେ ପହଞ୍ଚିବ |

ଅନେକ ରାଜ୍ୟ ନିଜ ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଲାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଦାବି କରିଥିଲେ | ତେବେ ଆଜି ଏନେଇ ପ୍ରଥମ ସ୍ୱତନ୍ତ୍ର ଟ୍ରେନ ଆରମ୍ଭ ହୋଇଛି ଯାହାକୁ ନେଇ ପ୍ରଶ୍ନ ଉଠିଛି | ଏନେଇ ରେଳବାଇର ଅଧିକାରୀ ବୟାନ ଜାରି କରିଛନ୍ତି | ସେ କହିଛନ୍ତି ଯେ, ଆଜି ସକାଳୁ ଏକ ସ୍ୱତନ୍ତ୍ର ଟ୍ରେନ ଲିଙ୍ଗମପଲ୍ଲୀରୁ ହଟିଆକୁ ଯାଇଛି | ତେଲେଙ୍ଗାନା ସରକାରଙ୍କ ଅପିଲ ଓ ରେଳ ମନ୍ତ୍ରାଳୟର ନିର୍ଦେଶ ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି | ସମସ୍ତ ଆବଶ୍ୟକୀୟ ସାବଧାନତା ଅବଲମ୍ବନ କରାଯାଇଛି | ଯାତ୍ରୀଙ୍କ ସ୍କ୍ରିନିଙ୍ଗ, ଷ୍ଟେସନ ଓ ଟ୍ରେନରେ ସାମାଜିକ ଦୂରତା ପାଳନ କରାଯାଇଛି | ବର୍ତ୍ତମାନ କେବଳ ଗୋଟିଏ ହିଁ ସ୍ୱତନ୍ତ୍ର ଟ୍ରେନ ଆରମ୍ଭ ହୋଇଛି | ଆଗକୁ ରେଳ ମନ୍ତ୍ରାଳୟର ନିର୍ଦେଶ ଓ ରାଜ୍ୟ ସରକାରଙ୍କ ଅପିଲ ପରେ ଅନ୍ୟ ରାଜ୍ୟକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀ କହିଛନ୍ତି | କିନ୍ତୁ ଏଥିପାଇଁ ରେଳ ମନ୍ତ୍ରାଳୟ ସହ ଉଭୟ ପକ୍ଷ ରାଜ୍ୟ ସରକାର ରାଜି ହେଲେ ସ୍ୱତନ୍ତ୍ର ଟ୍ରେନ ଆରମ୍ଭ ହେବ ବୋଲି ସେ କହିଛନ୍ତି | ବସ ବଦଳରେ ଟ୍ରେନ ଚଲାଇବା ପାଇଁ ରାଜସ୍ତାନ, ପଞ୍ଜାବ, ତେଲେଙ୍ଗାନା, କେରଳ, ବିହାର ଓ ଝାରଖଣ୍ଡ ସରକାର ଅପିଲ କରିଥିଲେ | ଏହି ଅପିଲ ପରେ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟର ମହା ସଚିବ ପୁଣ୍ୟ ସଲିଲ ଶ୍ରୀବାସ୍ତବ ଏପ୍ରିଲ ୩୦ ତାରିଖରେ କହିଥିଲେ ଯେ, ବର୍ତ୍ତମାନ ମିଳିଥିବା ଆଦେଶ ଅନୁଯାୟୀ ପ୍ରବାସୀ ଶ୍ରମିକଙ୍କୁ ବସରେ ନିଜ ନିଜ ରାଜ୍ୟକୁ ଫେରିବାକୁ ଅନୁମତି ମିଳିଛି |

ରାଜସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମାଙ୍କ ବୟାନ ମଧ୍ୟ ଆସିଛି | ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ପ୍ରବାସୀ ଶ୍ରମିକ ନିଜ ଘରକୁ ଫେରିବା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଲାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଦାବି କରିଥିଲେ | ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବରେ କେନ୍ଦ୍ର ସରକାର ରାଜି ହୋଇଥିଲେ |

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭିଡିଓ କନ୍ଫରେନସିଂ ଜରିଆରେ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ସୂଚନା ଦିଆଯାଇଛି ଯେ ସେମାନେ ରେଳବାଇର ଜିଏମ ଓ ଅଧିକାରୀଙ୍କ ସହ ଆଲୋଚନା କରି ଟ୍ରେନର ରୁଟ ପ୍ରସ୍ତୁତ କରନ୍ତୁ ଏବଂ ଶ୍ରମିକଙ୍କୁ ନିଜ ଘରକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରନ୍ତୁ | ଅଶୋକ ଗେହଲତ କହିଛନ୍ତି, ସେ କେ ପୋର୍ଟାଲ ତିଆରି କରିଛନ୍ତି ଯେଉଁଥିରେ ରାଜସ୍ତାନ ଆସୁଥିବା କିମ୍ବା ରାଜସ୍ତାନରୁ ଯାଉଥିବା ଲୋକଙ୍କ ପଞ୍ଜିକରଣ କରାଯାଉଛି | ଗତକାଲି ରାତି ସୁଦ୍ଧା ଏଥିରେ ୧୦ ଲକ୍ଷ ଲୋକଙ୍କ ନା ପଞ୍ଜିକରଣ ହୋଇସାରିଛି | ବସରେ ୧୦ ଲକ୍ଷ ଲୋକଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ନେବା ସହଜ ନୁହେଁ ବୋଲି ସେ କହିଛନ୍ତି |

ରଘୁ ଶର୍ମା କହିଛନ୍ତି ଯେ, ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ତାଙ୍କ ପାଇଁ କ୍ଵାରେଣ୍ଟିନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି | ଗାଁ ବାହାରେ କ୍ଵାରେଣ୍ଟିନ କେନ୍ଦ୍ର କରାଯାଇଛି | ସମସ୍ତଙ୍କୁ ୧୪ ଦିନ ପାଇଁ କ୍ଵାରେଣ୍ଟିନରେ ରଖାଯିବ |

ସୂଚନାଯୋଗ୍ୟ ଯେ, ରାଜସ୍ତାନର ୮ଟି ଜିଲ୍ଲା ରେଡ ଜୋନ ଅନ୍ତର୍ଗତ କରାଯାଇଛି | ଏହିସବୁ ସ୍ଥାନରେ ସମସ୍ତ ନିୟମ କଡାକଡି କରାଯାଇଛି | ଏହିସବୁ ଜିଲ୍ଲାକୁ ଶୀଘ୍ର ଅରେଞ୍ଜ ଜୋନ କରିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.