ରେଲଓ୍ଵେର କରୋନା ମୁକାବିଲା: ୨୨୨ ସ୍ଵତନ୍ତ୍ର ଟ୍ରେନରେ ନିଜ ଘରକୁ ଫେରିଲେ ୨ ଲକ୍ଷ ୫୦ ହଜାର ଲୋକ
8/05/2020 at 7:46 PM

ନୂଆଦିଲ୍ଲୀ ୦୮।୦୫: କରୋନା ଭାଇରସ୍ ସଂକ୍ରମଣ ପ୍ରତିରୋଧ ଲାଗି ଦେଶରେ ଲକ୍ଡାଉନ୍ ଜାରି ରହିଛି। ଲକ୍ଡାଉନ୍ କାରଣରୁ କାମଧନ୍ଦା ସବୁ ବନ୍ଦ ରହିଛି। ଫଳରେ ଲକ୍ଷାଧିକ ସଂଖ୍ୟାରେ ଶ୍ରମିକ ଯେଉଁଠି କାମ କରୁଥିଲେ ସେଠି ଫସି ରହିଥିଲେ। ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବା ଲାଗି କେନ୍ଦ୍ର ସରକାର ସ୍ଵତନ୍ତ୍ର ଟ୍ରେନ୍ ସଞ୍ଚାଳନ କରୁଛନ୍ତି। ଏବେ ସୁଦ୍ଧା ୨ ଲକ୍ଷ ୫୦ ହଜାର ଯାତ୍ରୀ ୨୨୨ଟି ସ୍ଵତନ୍ତ୍ର ଟ୍ରେନରେ ଯାତ୍ରା କରି ନିଜ ନିଜର ରାଜ୍ୟକୁ ଫେରିଲେଣି। ଶୁକ୍ରବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହାର ସୂଚନା ଦିଆଯାଇଛି।
ସାମ୍ଵାଦିକ ସମ୍ମିଳନୀକୁ ସମ୍ଵୋଧିତ କରି ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି, ଲକ୍ଡାଉନ୍ ଗାଇଡ୍ଲାଇନ୍ରେ ଲୋକଙ୍କୁ ରିହାତି ଦେବା ସରକାରଙ୍କ ଉଦ୍ଦେଶ୍ୟ। ସେଥିରୁ ଏହି ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ ଏକ ଅଂଶ। ଔରଙ୍ଗାବାଦ ଟ୍ରେନ୍ ଦୁର୍ଘଟଣା ଉପରେ ସେ କହିଛନ୍ତି ଯେ, ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା।

ବିଦେଶରେ ଫସିଥିବା ନାଗରିକଙ୍କୁ ସ୍ଵଦେଶ ଫେରାଇ ଆଣିବା ନେଇ ସରକାର ନେଉଥିବା ପଦକ୍ଷେପ ବିଷୟରେ ସବିଶେଷ ତଥ୍ୟ ଦେଇ ସେ କହିଛନ୍ତି ପର୍ଯ୍ୟାୟ କ୍ରମେ ବିଦେଶରୁ ନାଗରିକଙ୍କୁ ଅଣାଯାଉଛି। ଏହି ଅଭିଯାନ ଶୁକ୍ରବାରଠୁ ଆରମ୍ଭ ହୋଇଛି।
ବିଦେଶରୁ ଫେରୁଥିବା ସମସ୍ତ ନାଗରିକଙ୍କ ପଞ୍ଜୀକରଣ କରାଯାଇଛି। ବିମାନରେ ଚଢିବା ପୂର୍ବରୁ ଯାତ୍ରୀଙ୍କର ସ୍କ୍ରିନିଂ କରାଯାଉଛି। standard operating procedures ଆଧାରରେ ଭାରତୀୟଙ୍କୁ ଦେଶକୁ ଅଣାଯାଉଛି। ସେମାନେ ପହଞ୍ଚିବା ପରେ ୧୪ ଦିନିଆ ବାଧ୍ୟତାମୂଳକ କ୍ଵାରେଣ୍ଟାଇନ୍ରେ ରହିବେ। ଆରୋଗ୍ୟ ସେତୁରେ ସେମାନଙ୍କ ପଞ୍ଜୀକରଣ କରାଯିବ। ଏହା ସହିତ ମେଡିକାଲ ଟେଷ୍ଟିଂ ଜରୁରୀ ରହିବ।