ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ କଲେ ରେଳମନ୍ତ୍ରୀ, ତଳେ ବସି ଆଦିବାସୀ ମହିଳାଙ୍କ ଠାରୁ ଖାଇଲେ ମକା ପୋଡ଼ା

Published By : Prameya-News7 Bureau | August 21, 2021 IST

ନବରଙ୍ଗପୁର, ୨୧/୦୮: କେନ୍ଦ୍ରୀୟ ରେଳ, ଯୋଗାଯୋଗ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତ କରି ଫେରିଯାଇଛନ୍ତି। ପ୍ରଥମେ ସେ  ନବରଙ୍ଗପୁର ଜିଲ୍ଲା ଆରମ୍ଭରେ ଥିବା ଇନ୍ଦ୍ରାବତୀ ପୋଲ ନିକଟରେ ପହଂଚିବା ପରେ ଶତାଧିକ ବିଜେପି କର୍ମୀ  ମନ୍ତ୍ରୀଙ୍କୁ ପୁଷ୍ପ ଗୁଛ ଓ ଫୁଲ ମାଳ ଦେଇ ସ୍ୱାଗତ କରିଥିଲେ । ଏହା ପରେ ଇନ୍ଦ୍ରାବତୀ ପୋଲ ନିକଟରେ ବର୍ଷର ବାର ମାସ ମକା ପୋଡି ବିକ୍ରି କରୁଥିବା ଆଦିବାସୀ ମହିଳାଙ୍କ ନିକଟକୁ ଯାଇ ତଳେ ବସି ଆଦିବାସୀ ମହିଳାଙ୍କୁ ମକା ଖାଇବାକୁ ମାଗିଥିଲେ । କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ନିଜ ପାଖରେ ପାଇ ଖୁସିରେ ଗଦ ଗଦ ଆଦିବାସୀ ମହିଳା ଜଣକ ମନ୍ତ୍ରୀଙ୍କ ପାଇଁ ମକା ପୋଡ଼ାଇ ମକାରେ ଲେମ୍ବୁ, ମରିଚ ଗୁଣ୍ଡ ଲଗାଇ ମନ୍ତ୍ରୀଙ୍କ ହାତକୁ ବଢ଼ାଇ ଦେଲେ, ମାନ୍ୟବର ମନ୍ତ୍ରୀ ଖୁସିର ସହ ଆଦିବାସୀ ମହିଳାଙ୍କ ହାତରୁ ମକା ନେଇ ଖାଇଥିଲେ ଏବଂ ମହିଳାଙ୍କ ଠାରୁ ତାଙ୍କ ବିଷୟରେ ପଚାରି ବୁଝିଥିଲେ ।

ଏହାପରେ ଏକ ବିରାଟ ପଟୁଆରରେ ଇନ୍ଦ୍ରାବତୀ ପୋଲ ନିକଟରୁ ନବରଙ୍ଗପୁର ସହର ମଧ୍ୟରେ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ  ଗାନ୍ଧୀ ଛକ ନିକଟରେ ପହଞ୍ଚି ଦଳୀୟ କଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କ ସହ ଆଲୋଚନା କରବା ସହ ବିଭିନ୍ନ ସଂଗଠନ ନିକଟରୁ ଦାବିପତ୍ର ଗ୍ରହଣ କରିଥିଲେ । ଶେଷରେ ଜିଲ୍ଲାପାଳ ଏବଂ ଏସ୍ପି, ମନ୍ତ୍ରୀଙ୍କୁ ସର୍କିଟ ହାଉସରେ ସ୍ୱାଗତ କରିବା ସହ ମନ୍ତ୍ରୀ ତାଙ୍କୁ ନବରଙ୍ଗପୁର ଜିଲ୍ଲାକୁ ରେଳ ସଂଯୋଗ ନେଇ ଜମି ଅଧିଗ୍ରହଣ ବିଷୟରେ ପଚାରି ବୁଝିଥିଲେ । ଆସନ୍ତା ଦିନରେ କିପରି ଶୀଘ୍ର ନବରଙ୍ଗପୁର ଜିଲ୍ଲା ରେଳ ସହ ସଂଯୋଗ ହୋଇପାରିବ ସେଥିପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି ମନ୍ତ୍ରୀ ।

ତେବେ ରେଳ ଲାଇନ ପାଇଁ ରାଜ୍ୟ ସରକାର କିପରି ତୁରନ୍ତ ଜମି ଯୋଗାଇବେ ସେଥିପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା ଜାରି ରହିଛି ଏବଂ ୭୦ ବର୍ଷ ପରେ ଯେତେବେଳେ ଏତିକି ପଦକ୍ଷେପ ନିଆଯାଇଛି ତେଣୁ ବିଳମ୍ବ ହୋଇପାରେ । କିନ୍ତୁ ଆଗାମୀ ଦିନରେ କିଭଳି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ସେ ଦିଗରେ ପ୍ରୟାସ ଜାରି ରହିଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି । ନବରଙ୍ଗପୁରରୁ ବାହାରି ଭବାନୀପାଟଣା ଯିବା ରାସ୍ତାରେ ଚାଷ ଜମିରେ ଚାଷୀଙ୍କୁ ଦେଖି ଗାଡିରୁ ଓହ୍ଲାଇ ଜମି ଭିତରକୁ ଯାଇ ଚାଷୀଙ୍କ ଶହ ଆଲୋଚନା କରିଥିଲେ ମନ୍ତ୍ରୀ । ଚାଷୀମାନେ ୟୁରିଆ ସାରର ଅଭାବକୁ ନେଇ ମନ୍ତ୍ରୀଙ୍କୁ କହିଥିଲେ, ଏହାପରେ ମନ୍ତ୍ରୀ ସେଠାରୁ ବାହାରି ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.