ଭଦ୍ରକରେ ଏବେ ରେଲଓ୍ବେ ମେଲ୍ ସର୍ଭିସ୍ ରୁଗ୍ଣ , କମ୍ପ୍ୟୁଟର ଅଚଳ ଆଳ ଦେଖାଇ ରେଜିଷ୍ଟ୍ରି ପୋଷ୍ଟ ବନ୍ଦ
20/07/2019 at 4:55 PM

ଭଦ୍ରକ ୨୦|୭: ଭଦ୍ରକରେ ଏବେ ରେଲଓ୍ବେ ମେଲ୍ ସର୍ଭିସ ରୁଗ୍ଣ ହୋଇଯାଇଛି । ଭଦ୍ରକ ଜିଲ୍ଲାରୁ ଉଠି ଗଲାଣି ସ୍ପିଡ୍ ପୋଷ୍ଟ ହବ୍ ଆଉ ପାର୍ସଲ ହବ୍ । ସ୍ପିଡ୍ ପୋଷ୍ଟ ହବ୍ ବାଲେଶ୍ବରକୁ ଉଠି ଯାଇଥିବାବେଳେ ପାର୍ସଲ ହବ୍ ଉଠିଯାଇଛି ଯାଜପୁରକୁ । କେବଳ ରେଜିଷ୍ଟ୍ରି ହବ୍ ରହିଛି ଭଦ୍ରକରେ । ତେବେ ଦୁଇ ମାସ ହେଲା କଂପ୍ୟୁଟର ଅଚଳ ହୋଇ ପଡି ରହିଛି, ଭଦ୍ରକ ରେଳ ଷ୍ଟେସନ ପରିସରରେ ଥିବା ଆରଏମଏସ ଡାକ ଘରେ ରେଜିଷ୍ଟ୍ରି ପୋଷ୍ଟ ହୋଇପାରୁ ନାହିଁ ।

ଭଦ୍ରକ ରେଳ ଷ୍ଟେସନ ଭିତରେ ଥିବା ଆରଏମଏସ ଡାକଘର ଏବେ କୋମାରେ ଅଛି । ଧିରେ ଧିରେ ପକ୍ଷ ଛେଦ କରାଯାଉଛି । ସ୍ପିଡ୍ ପୋଷ୍ଟ ହବ୍ ଆଉ ପାର୍ସଲ ହବ୍ ଭଦ୍ରକରୁ ଉଠିଗଲାଣି । ଆଉ ଏବେ ଗୋଟିଏ କଂପ୍ୟୁଟର ଅଚଳ ବାହାନା କରି ରେଜିଷ୍ଟର ପୋଷ୍ଟ ବି ବନ୍ଦ ହୋଇଛି । ସଂଧ୍ୟା ୭ଟା ୪୫ ଯାଏଁ ଲୋକେ ଏଠାରେ ରେଜିଷ୍ଟ୍ରି ଡାକ କରିପାରୁଥିଲେ । ତେବେ ଏହି ସୁବିଧା ଏବେ ଠପ୍ ହୋଇଯାଇଛି ।

ସରକାରୀ କର୍ମଚାରୀ ନିଜ ଡ୍ୟୁଟି ସାରି ଏହି ଆରଏମଏସରେ ନିଜ ନିଜର ଚିଠି ପଠାଇଥାନ୍ତି । ତେବେ ଗୋଟିଏ କଂପ୍ୟୁଟର ଅଚଳ ବାହାନା କରି ଏହି ସେବାକୁ ବନ୍ଦ କରିଦେଇଛନ୍ତି କର୍ତ୍ତୃପକ୍ଷ । ଫଳରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଉପଭୋକ୍ତା ନିରାଶ ହୋଇ ଫେରୁଛନ୍ତି ।

ଏହି ବିଷୟରେ ଭଦ୍ରକ ସାଂସଦ ମଂଜୁଲତା ମଂଡଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ, ସେ ତୁରନ୍ତ ପଦକ୍ଷେପ ନବେ ବୋଲି କହିଛନ୍ତି। ଭଦ୍ରକରୁ କାହିଁକି ସ୍ପିଡ୍ ପୋଷ୍ଟ ହବ୍ ଆଉ ପାର୍ସଲ ହବ୍ ଉଠିଯାଇଛି ସେ ବିଷୟରେ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଭଦ୍ରକ ସାଂସଦ କହିଛନ୍ତି।