ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ସୁପାରିସ, ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ବଡ଼ ଘୋଷଣା
4/06/2023 at 6:50 PM

ଭୁବନେଶ୍ଵର: ବାଲେଶ୍ଵରର ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ(ସିବିଆଇ) ତଦନ୍ତ ସୁପାରିସ କରାଯାଇଛି। ରବିବାର ଭୁବନେଶ୍ଵରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖୋଦ୍ ଏହାର ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ରେଲଓ୍ଵେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ୍ କରାଯାଇଛି। କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଦାୟୀ ଏହାର ତଦନ୍ତ ହେବ। ଉଲ୍ଲେଖନୀୟ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି।
ରେଳ ମନ୍ତ୍ରୀ କହିଛନ୍ତି, ସବୁ କିଛି ଦୃଷ୍ଟିରେ ରଖି ଏ ପର୍ଯ୍ୟନ୍ତ ଯାହା କିଛି ପ୍ରଶାସନିକ ସୂଚନା ମିଳିଛି ସେହି ଆଧାରରେ ଆଗାମୀ ତଦନ୍ତ ପାଇଁ ରେଲଓ୍ଵେ ବୋର୍ଡ ସିବିଆଇ ତଦନ୍ତ ସୁପାରିସ କରିଛି। ଦୁର୍ଘଟଣା ପରେ ବାଲେଶ୍ଵର, ସୋର, ଭଦ୍ରକର ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ସାଥୀଙ୍କ ସହ ମିଶି ତୁରନ୍ତ ରେସ୍କ୍ୟୁ କାମ ଆରମ୍ଭ ହୋଇଥିଲା। ରେସ୍କ୍ୟୁ ସରିବା ସହିତ ମରାମତି କାମ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଯେଉଁ ଗତିରେ କାମ ଚାଲିଛି ଦୁଇଟି ମେନ ଲାଇନର କାମ ସରିଛି। ଉପରେ ବିଜୁଳୀକରଣ କାମ ଜାରି ରହିଛି। ମୃତକ ଓ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରୟାସ କରାଯାଉଛି । ବାଲେଶ୍ବର, ସୋର, ଭଦ୍ରକ ଓ କଟକ ଏସ୍ସିବିରେ ଚିକିତ୍ସିତ ହେଉଥିବା ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବାବଦରେ ମେଡିକାଲ ଟିମଙ୍କ ସହିତ ରେଳ ବିଭାଗ ଯୋଗାଯୋଗରେ ରହିଛି ।
ଏ ଖବର ପଢନ୍ତୁ- ଟ୍ରେନ୍ ଦୁର୍ଘଟଣାରେ ନେତାଙ୍କ ହୀନ ରାଜନୀତିକୁ ନିନ୍ଦା କଲେ ସୋନୁ ସୁଦ, ଏକ ନୂଆ ପଲିସି ଆଣିବାକୁ କଲେ ଅନୁରୋଧ
ପ୍ରାରମ୍ଭିକ ରିପୋର୍ଟରୁ ଜଣା ପଡ଼ିଛି ଯେ, ସିଗନାଲରେ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ରେଲଓ୍ଵେ ବୋର୍ଡ ଅଧିକାରୀଙ୍କ ମତରେ କରମଣ୍ଡଳ ଏକ୍ସପ୍ରେସ୍ ଘଣ୍ଟାପ୍ରତି ୧୨୮ କିଲୋମିଟର ଏବଂ ଯଶବନ୍ତପୁର ଏକ୍ସପ୍ରେସ୍ ୧୨୬ କିଲୋମିଟର ବେଗରେ ଯାତ୍ରା କରୁଥିଲା। ତେବେ ଦୁର୍ଘଟଣା ସମୟରେ ମାଲଗାଡ଼ିର ବଗି ଲାଇନଚ୍ୟୁତ୍ ହୋଇନଥିଲା। ସବୁଠୁ ଅଧିକ କ୍ଷତି କରମଣ୍ଡଳ ଏକ୍ସପ୍ରେସ୍ର ହୋଇଛି।

ଏହା ପୂର୍ବରୁ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଟୁଇଟ୍ କରି ଜଣାଇଛନ୍ତି ଯେ, ଦୁର୍ଘଟଣାସ୍ଥଳରେ ଅପ୍ ଲାଇନ୍ ଟ୍ରାକ ଲିଙ୍କ୍ କାମ ସଂପୂର୍ଣ୍ଣ ହୋଇଛି। ଅପରାହ୍ନ ୪ଟା ୪୫ରେ କାମ ସରିବା ପରେ ଓଭରହେଡ୍ ବିଦ୍ୟୁତକରଣ କାର୍ଯ୍ୟ ଆରମ୍ଭ ହୋଇଛି। ରେଳ ବିଭାଗର ଦେଢ଼ ହଜାର କର୍ମଚାରୀ ଟ୍ରାକ ନିର୍ମାଣ କାମରେ ଲାଗିଛନ୍ତି । ଆଜି ରାତି କିମ୍ବା ଆସନ୍ତାକାଲି ଟ୍ରେନ ଚାଲିବା ନେଇ ସମ୍ଭାବନା ରହିଛି। ପ୍ରାୟ ୫ ଶହ ମିଟର ରେଳ ଲାଇନ୍ କୁ ନୂଆ ନିର୍ମାଣ କରିବାକୁ ପଡ଼ିବ । ତେଣୁ ସବୁ ନୂଆ ମ୍ୟାଟେରିଆଲ ଲଗାଯାଉଛି । ସେପଟେ ଯଶବନ୍ତପୁର-ହାୱଡା ଏକ୍ସପ୍ରେସ ଯାଉଥିବା ରୁଟ୍କୁ ଲିଙ୍କ କରି ଦିଆଯାଇଛି ବୋଲି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୂଚନା ଦେଇଛନ୍ତି। କେବଳ ଓଭର ହେଡ ଇଲେକ୍ଟ୍ରିଫିକେଶନକୁ ଠିକ୍ କରାଯାଉଛି। ଯେତେ ଶୀଘ୍ର ସରିବ ସେତେ ଗୋଟିଏ ରୁଟରେ ଶୀଘ୍ର ଟ୍ରେନ ଚଳାଚଳ କରାଇବାକୁ ଉଦ୍ୟମ କରାଯିବ।

ସୂଚନାଯୋଗ୍ୟ, ଦୁର୍ଘଟଣାସ୍ଥଳରେ ଦିନରାତି ୨୪ ଘଣ୍ଟା ମରାମତି କାମ ଚାଲିଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ରହି କାମ ତଦାରଖ କରୁଛନ୍ତି। ପାଖାପାଖି ୧୦୦୦ ରେଳ କର୍ମଚାରୀ, ରେସ୍କ୍ୟୁ ଅପରେସନର ଯବାନ, ଟେକ୍ନିସିଆନଙ୍କଠୁ ନେଇ ଇଞ୍ଜିନିୟର୍ସ ଦିନ ରାତି କାମରେ ଲାଗିଛନ୍ତି। ଟ୍ରାକ ଉପରେ ପଡ଼ି ରହିଥିବା ବଗିଗୁଡ଼ିକୁ ହଟା ଯାଇଛି। ଦୁର୍ଘଟଣା ପରେ ୨ ଏକ୍ସପ୍ରେସ୍ ଏବଂ ମାଲଗାଡ଼ିର ଅବଶିଷ୍ଟ ବଗିକୁ ଟ୍ରାକକୁ ହଟା ଯାଇଛି।
ରେଳ ଦୁର୍ଘଟଣାକୁ ୨ ଦିନ ବିତି ସାରିଛି। ଦୁର୍ଘଟଣା ପରଠୁ ଲଗାତାର ୨୪ ଘଣ୍ଟା ଘଟଣାସ୍ଥଳରେ ରିଲିଫ୍ କାମ ଜାରି ରହିଛି। ବଗିଗୁଡ଼ିକରୁ ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତଙ୍କ ସଂଖ୍ୟା ୧୧୦୦ରୁ ଅଧିକ ରହିଛି। ହସ୍ପିଟାଲ୍ ଗୁଡ଼ିକରେ ମୃତଦେହ ଗୁଡ଼ିକୁ ରଖାଯାଇଛି। ମୃତ ସଂଖ୍ୟାକୁ ଦୃଷ୍ଟିରେ ରଖି ସ୍କୁଲ ଏବଂ ଶୀତଳଭଣ୍ଡାରକୁ ଶବାଗାରରେ ପରିଣତ କରାଯାଇଛି।