ଟ୍ରେନ୍ ରହଣୀ ଦାବି, ମାର୍ଚ୍ଚ ୨୩ରେ ବେଲପାହାଡରେ ରେଳରୋକ
21/03/2023 at 4:40 PM

ଝାରସୁଗୁଡା ୨୧।୩: ବେଲପାହାଡ ରେଳ ଷ୍ଟେସନରେ ୯ଟି ଟ୍ରେନର ରହଣୀ ଦାବିରେ ଆସନ୍ତା ମାର୍ଚ୍ଚ ୨୩ ତାରିଖ ରେଳରୋକ ଆନ୍ଦୋଳନ ସହ ଅର୍ଥନୈତିକ ଅବରୋଧ କରାଯିବ l ଏହି ଆନ୍ଦୋଳନର ଡାକରା ଦେଇଛି ବେଲପାହାଡ ଲଖନପୁର ରେଳ ୟୁଜର ଫୋରମ୍ l ଝାରସୁଗୁଡାରେ ସାମ୍ବାଦିକ ସମ୍ମିଳନୀରେ କରି ଏହି ସୂଚନା ଦେଇଛନ୍ତି ବେଲପାହାଡ ଲଖନପୁର ରେଳ ୟୁଜର ଫୋରମ୍ l ବିଳାସପୁର ଡିଭିଜନର ଡିଆରଏମଙ୍କ ଅପମାନ ସୁଚକ ମନ୍ତବ୍ୟର ପ୍ରତିବାଦ ଏବଂ ବେଲପାହାଡରେ ରେଳ ରହଣୀ ଦାବିରେ ଏହି ରେଳରୋକ ଆନ୍ଦୋଳନ କରାଯିବ l ଏହି ଆନ୍ଦୋଳନ ପାଇଁ ବେଲପାହାଡ ସହର ବନ୍ଦ ସହ କୋଇଲା ପରିବହନକୁ ସମ୍ପୂର୍ଣ୍ଣ ଭାବରେ ବ୍ୟହତ କରାଯିବ l

ମାର୍ଚ୍ଚ ୨୩ ତାରିଖ ସକାଳ ୭ଟାରୁ ଏହି ରେଳରୋକ ଆନ୍ଦୋଳନ ଆରମ୍ଭ କରାଯାଇ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ କରାଯିବ l କେବଳ ରେଳରୋକ କରାଯିବ ନାହିଁ ରେଳବାଇର ଅର୍ଥନୈତିକ ଅବରୋଧ କରାଯିବା ସହ ବେଲପାହାଡ ସହରରେ ମଧ୍ୟ ବନ୍ଦ ପାଳନ କରାଯିବ l ବେଲପାହାଡ ଷ୍ଟେସନରେ ରହୁଥିବା ଅନେକ ଟ୍ରେନ୍ ରହଣୀକୁ କୋଭିଡ଼ ସମୟରେ ବାତିଲ କରାଯାଇଥିବା ବେଳେ କୋଭିଡ୍ ପରେ ଏହାର ପୁନଃ ରହଣୀ କରାଯାଇନାହିଁ l ଯାହାଫଳରେ ବେଲପାହାଡ଼ ତଥା ଆଖପାଖ ଅଂଚଳବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେଣୁ କୋଭିଡ଼ ବେଳେ ରହଣୀ ବାତିଲ ହୋଇଥିବା ସମସ୍ତ ଟ୍ରେନର ବେଲପାହାଡ ଷ୍ଟେସନରେ ପୁନଃ ରହଣୀ ଦାବିରେ ଏହି ରେଳ ରୋକ କରାଯିବ l