ଲଗାଣ ବର୍ଷାରେ କ୍ଷତିଗ୍ରସ୍ଥ ହେଲା ରାଇକିଆର କରଡ଼ା ଘାଟି; ରାସ୍ତା ଧସିବାରୁ ଗମନାଗମନ ବାଧାପ୍ରାପ୍ତ
19/08/2022 at 5:07 PM

ବାଲିଗୁଡ଼ା ୧୯/୦୮: ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର କରଡ଼ାଘାଟି କ୍ଷତିଗ୍ରସ୍ତ ହୋଇଛି। ଘାଟିର ତିନୋଟି ଜାଗାରେ କାନ୍ଥ ଧସିଥିବାରୁ ସର୍ବସାଧାରଣ ଯାତାୟତ ଓ ଗମନାଗମନ ବନ୍ଦ ହୋଇ ରହିଛି। ଲୋକମାନେ ଏବେ ବିପଦସଙ୍କୁଳ ଅବସ୍ଥାରେ ବାଇକ୍ ଓ ଅଟୋରେ ସହି ରାସ୍ତାରେ ଯିବାଆସିବା କରୁଛନ୍ତି। ଅଗଷ୍ଟ ୧୩ ଓ ୧୪ ତାରିଖ ୨ ଦିନ ଧରି ଲଗାଣ ବର୍ଷାରେ ଘାଟି ବିଭିନ୍ନ ଜାଗାରେ ଧୋଇଯାଇଛି। ଏହାକୁ ୪ ଦିନ ବିତିଥିଲେ ମଧ୍ୟ କୌଣସି ଜାଗାରେ ମରାମତି ହୋଇନାହିଁ।
ରାଇକିଆ ବ୍ଲକର କରାଡ଼ା, ଇନ୍ଦ୍ରଗଡ଼, ରଣବା, ବଡ଼ ବରବାର ଭଳି ୪ଟି ପଞ୍ଚାୟତର ୧୦ ହଜାର ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଗଞ୍ଜାମ ଜିଲ୍ଲାର ସୋରଡ଼ା ଅଞ୍ଚଳକୁ ମଧ୍ୟ ଏହି ରାସ୍ତା ସଂଯୋଗ କରୁଛି। ତୁରନ୍ତ ଏହି ଘାଟି ରାସ୍ତାକୁ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ରାଇକିଆରୁ କରଡ଼ା ପର୍ଯ୍ୟନ୍ତ ୨୦ କି.ମି. ରାସ୍ତା ଉନ୍ନତିକରଣ ପାଇଁ ୨୦୧୯ରେଡିଆରଡିଏ ପକ୍ଷରୁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ରାସ୍ତା ଓ ଘାଟି କାମ ହୋଇ ପାରିନାହିଁ। ଫଳରେ ଗ୍ରାମବାସୀମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ଯଦି ପୁଣି ଲଘୁଚାପ ଜନିତ ବର୍ଷା ସୃଷ୍ଟି ହୁଏ ତାହେଲେ ଏହାର ସ୍ଥିତି ବେହାଲ ହେବ ବୋଲି ଆଶଙ୍କା କରାଯାଉଛିl