କୃଷକଙ୍କୁ କହିଲେ ରାହୁଲ- ସରକାର ପ୍ରଥମେ ଆପଣଙ୍କ ଗୋଡରେ କୁରାଢି ମାରିଲେ, ଏବେ ଛାତିରେ ଛୁରି ଭୁଶିଲେ
29/09/2020 at 3:59 PM

ନୂଆଦିଲ୍ଲୀ ୨୯।୦୯: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କୃଷି ସମ୍ବନ୍ଧିତ ନୂତନ ଆଇନକୁ ନେଇ ମଙ୍ଗଳବାର ପୁଣି ଥରେ ସରକାରଙ୍କ ଉପରେ ନିଶାଣ ସାଧିଛନ୍ତି। ସେ କହିଛନ୍ତି ଦେଶର ଭବିଷ୍ୟତ ପାଇଁ ଏହି ଆଇନର ବିରୋଧ କରିବା ଜରୁରୀ। ଚାଷୀଙ୍କ ସହ ଡିଜିଟାଲ ସମ୍ବାଦ ସମୟରେ ସେ କହିଛନ୍ତି ବିମୁଦ୍ରୀକରଣ ଓ ଜିଏସଟି ପରି ଏହି ଆଇନର ଲକ୍ଷ୍ୟ କେବଳ କୃଷକ ଓ ଶ୍ରମିକଙ୍କୁ ଦୁର୍ବଳ କରିବା ରହିଛି। ଏହି ଡିଜିଟାଲ ସମ୍ବାଦରେ ପଞ୍ଜାବ, ହରିୟାଣା, ମହାରାଷ୍ଟ୍ର, ବିହାର ଓ ଅନେକ ରାଜ୍ୟର କୃଷକ ନୂତନ ଆଇନ ସମ୍ବନ୍ଧରେ ନିଜର ମତାମତ ରଖିଥିଲେ।
ରାହୁଲ ଦାବି କରିଛନ୍ତି, ନୋଟ୍ବନ୍ଦୀ ସମୟରେ କୁହାଯାଇଥିଲା ଯେ ଏହା କଳାଧନ ବିପକ୍ଷରେ ଲଢେଇ। ତାହା ସବୁ ମିଥ୍ୟା ଥିଲା। ଏହାର ଲକ୍ଷ୍ୟ କୃଷକ ଓ ଶ୍ରମିକଙ୍କୁ ଦୁର୍ବଳ କରିବାର ଥିଲା। ଏହା ପରେ ଦେଶରେ ଜିଏସଟି ଲାଗୁ ହେଲା, ଏହାର ଲକ୍ଷ୍ୟ ମଧ୍ୟ ତାହା ଥିଲା। କରୋନା ସଙ୍କଟ ସମୟରେ କୃଷକ, ଶ୍ରମିକ ଓ ଗରିବଙ୍କୁ ଆର୍ଥିକ ସହାୟତା ଦିଆଗଲା ନାହିଁ। କେବଳ କିଛି ବଡ ଉଦ୍ୟୋଗପତିଙ୍କୁ ଟଙ୍କା ଦିଆଗଲା। କରୋନା କାଳରେ ଉଦ୍ୟୋଗପତିଙ୍କ ଆୟ ବଢି ଚାଲିଲା ଏବଂ ଆପଣଙ୍କ ଆୟ କମ ହୋଇ ଚାଲିଲା। ଏହା ସତ୍ଵେ ବି ଉଦ୍ୟୋଗପତିଙ୍କୁ ଟଙ୍କା ଦିଆଗଲା ବୋଲି ରାହୁଲ କହିଛନ୍ତି।
ସେ ଅଭିଯୋଗ କରିଛନ୍ତି, ଏହି ତିନି କୃଷି ସମ୍ବନ୍ଧିତ ଆଇନ୍ ଏବଂ ନୋଟବନ୍ଦୀ ଓ ଜିଏସଟି ମଧ୍ୟରେ ଅଧିକ କିଛି ଫରକ ନାହିଁ। ଫରକ କେବଳ ଏତିକି ପ୍ରଥମେ ଆପଣଙ୍କ ଗୋଡରେ କୁରାଢି ମରାଗଲା ଏବଂ ଏବେ ଛାତିରେ ଛୁରା ମରାଯାଇଛି। ରାହୁଲ କହିଛନ୍ତି, ଏହି ଆଇନ କୃଷକଙ୍କ ପାଇଁ ନୁହେଁ। ତେଣୁ ଆଇନକୁ ଦେଶର ଭବିଷ୍ୟତ ପାଇଁ ବିରୋଧ କରିବାକୁ ପଡିବ।