ରୋହିତ-ରାହୁଲଙ୍କ ଏହି ରଣନୀତିକୁ ପ୍ରଶଂସା କଲେ ପୂର୍ବତନ ପାକ୍ ଅଧିନାୟକ, କହିଲେ...

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ, ୧୫|୦୮: ଭାରତ ଲଗାତର ଭାବେ କ୍ରିକେଟରେ ଦମଦାର ପ୍ରଦର୍ଶନ କରୁଛି । ରୋହିତ ଶର୍ମା ଓ କୋଚ୍ ରାହୁଲ ଦ୍ରାବିଡଙ୍କ ଯୋଡି ଗୋଟିଏ ପରେ ଗୋଟିଏ ସଫଳତାର ଶିଢି ଚଢୁଛନ୍ତି । ଦଳରେ ନୂଆ ନୂଆ ପରିବର୍ତ୍ତନ ହେଉଛି । ଏକ୍ସପେରିମେଣ୍ଟ୍ ବି ହେଉଛି । ଗତ ୬ ମାସରେ ଟିମ୍ ଇଣ୍ଡିଆ ୬ ଅଧିନାୟକଙ୍କୁ ଦେଖିଲାଣି । ଟି୨୦ ବିଶ୍ୱକପ୍ ପୂର୍ବରୁ ଏହି ଏକ୍ସପେରିମେଣ୍ଟକୁ ନେଇ ଲୋକେ ଆଶଙ୍କାରେ ରହିଛନ୍ତି । କିନ୍ତୁ ପୂର୍ବତନ ପାକିସ୍ତାନୀ ଅଧିନାୟକ ସଲମାନ୍ ବଟ୍ ଭାରତର ଏପରି ନୀତିକୁ ପ୍ରଶଂସା କରିଛନ୍ତି ।

ସଲମାନ୍ ବଟ୍ କହିଛନ୍ତି ଯେ, ଭାରତର ରୋଟେସନ୍ ପଲିସି ବହୁତ ଭଲ । ଏଥିରେ ଖେଳାଳିଙ୍କୁ ବିଶ୍ରାମ ମିଳିଥାଏ । ସବୁ ଖେଳାଳିଙ୍କ ସାମର୍ଥ୍ୟ ଜାଣିବାକୁ ସୁଯୋଗ ମିଳେ । ଖେଳାଳି ଏହାଦ୍ୱାରା ନିଜ କଥା ଚିନ୍ତା କରିପାରନ୍ତି । କ୍ୟାରିଅର ବି ଦୀର୍ଘ ଦିନ ଚାଲିଥାଏ ।

ସେ ଆହୁରି କହିଛନ୍ତି ଯେ, ରୋଟେସନ୍ ପଲିସି ଏବେ ଭାରତ ପାଇଁ ସାଧାରଣ କଥା । କାରଣ ସବୁ ସିରିଜରେ ଭିନ୍ନ ଭିନ୍ନ ଖେଳାଳି ଖେଳିଥାନ୍ତି । ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ମିଳୁଛି । ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ମିଳିଛି । ଏଥିରେ ଅନେକ ଚ୍ୟାଲେଞ୍ଜ୍ ଥିଲେ ବି ଦଳ ଶକ୍ତିଶାଳୀ ହୋଇଥାଏ ।

ପାକ୍ ପୂର୍ବତନ କ୍ରିକେଟର୍ କହିଛନ୍ତି ଯେ, କେବଳ ଖେଳାଳି ନୁହେଁ, କୋଚିଂ ଷ୍ଟାଫଙ୍କ ସହ ମଧ୍ୟ ଏପରି ହୁଏ । କେବେ ରାହୁଲ ଦ୍ରାବିଡ ପୁଣି କେବେ ଭିଭିଏସ ଲକ୍ଷ୍ଣଣଙ୍କୁ ଦାୟିତ୍ୱ ଦିଆଯାଏ । ଏପରି ଭାବେ କୋଚ୍ ମଧ୍ୟ ବିଶ୍ରାମ ପାଇଥାନ୍ତି ।

ସୂଚନାଯୋଗ୍ୟ, ଦ୍ରାବିଡ ଭାରତର କୋଚ୍ ହେଲା ପରେ ରୋଟେସନ୍ ପଲିସି ଲଗାତର ଭାବେ ବୃଦ୍ଧି ପାଉଛି । ରୋହିତ ଶର୍ମା ନିୟମିତ ଅଧିନାୟକ ଥିଲେ ବି ଋଷଭ ପନ୍ତ, କେଏଲ ରାହୁଲ, ଶିଖର ଧାଓ୍ୱନ, ଜସପ୍ରିତ ବୁମରାହ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ରୋହିତଙ୍କ ଅନୁପସ୍ଥିତିରେ ନେତୃତ୍ୱ ନେଉଛନ୍ତି । ଏହା ରୋଟେସନ୍ ପଲିସି କାରଣରୁ ହେଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.