ପଞ୍ଜାବରେ ରାହୁଲ ଗାନ୍ଧିଙ୍କ ବଡ଼ ଘୋଷଣା, କହିଲେ-କେନ୍ଦ୍ରରେ ‘ଇଣ୍ଡିଆ’ ମେଣ୍ଟ ସରକାର ହେବାମାତ୍ରେ ଚାଷୀଙ୍କୁ ହେବ ଋଣ ଛାଡ

Published By : Prameya-News7 Bureau | May 29, 2024 IST

ଲୁଧିଆନା ୨୯।୫: ଲୋକସଭା ନିର୍ବାଚନ ୨୦୨୪ର ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ସେମାନଙ୍କ ତାକତ ଲଗାଇ ଦେଇଛନ୍ତି। ଏଥି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ୨୯ ମେ ବୁଧବାର ପଞ୍ଜାବର ଲୁଧିଆନାରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଦେଶର ଚାଷୀଙ୍କୁ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ସେ କେନ୍ଦ୍ରରେ ଇଣ୍ଡିଆ ମେଣ୍ଟର ସରକାର ହେବାମାତ୍ରେ ଚାଷୀଙ୍କ ଋଣ ଛାଡ ନୂଆ ସରକାରଙ୍କ ପ୍ରଥମ କାର୍ଯ୍ୟ ହେବ ବୋଲି କହିଛନ୍ତି। 

କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ଆମେ ଚାଷୀଙ୍କ ଋଣ ଛାଡ କରିବୁ ଠିକ୍ ସେହିପରି ଯେପରି ସେମାନେ(ବିଜେପି) କୋଟିପତିଙ୍କ ଋଣ ଛାଡ କରିଛନ୍ତି। ରାହୁଲ କହିଛନ୍ତି ଯେ ଆମେ କେବଳ ଥରଟିଏ ଚାଷୀଙ୍କ ଋଣ ଛାଡ କରିବୁନି, ଏଥି ପାଇଁ ଆମେ ଏକ ଆୟୋଗ ଗଠନ କରିବୁ। ଯାହାକୁ ଦେଶରେ ଚାଷୀଙ୍କ ଋଣ ଛାଡ ଆୟୋଗ କୁହାଯିବ। ସେ କହିଛନ୍ତି ଯେ ଯେବେ ବି ଚାଷୀଙ୍କ ଋଣ ଛାଡ ଆବଶ୍ୟକତା ପଡିବ ଆୟୋଗ ସରକାରଙ୍କୁ ଜଣାଇବେ ଓ ସରକାର ଚାଷୀଙ୍କ ଋଣ କ୍ଷମା କରିବେ। 

ରାହୁଲ କହିଛନ୍ତି ଯେ କେବଳ ଥରେ, ଦିଥର କି ତିନିଥର ନୁହେଁ ଚାଷୀ ଯେବେବି ହତାସ ହେବ ଓ ଋଣ ଛାଡ ଆବଶ୍ୟକ କରିବ ସେତେବେଳେ ତା ଋଣ କ୍ଷମା ହେବ। ରାହୁଲ କହିଛନ୍ତି ଯେ ଚାଷୀଦେଶର ମେରୁଦଣ୍ଡ ଏଣୁ ତାର ସୁରକ୍ଷା ଦରକାର। ଏହି ଜନସଭାରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି, କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି କହୁଛନ୍ତି ଚାଷୀଙ୍କୁ ଆଇନତଃ ଏମଏସପି ଦିଆଯାଇପାରିବନି। କଂଗ୍ରେସ ସାଂସଦ କହିଛନ୍ତି ଯେ ଜୁନ ୪ ତାରିଖ ପରେ କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର ହେବ ଓ ଆମେ ଚାଷୀଙ୍କୁ ପ୍ରଥମଥର ଆଇନତଃ ଏମଏସପି ଦେଇ ଦେଖାଇବୁ। 

ରାହୁଲ ଗାନ୍ଧି କହିଛନ୍ତି ଯେ ପଞ୍ଜାବରେ ଡ୍ରଗସ୍ ମାମଲା ବଢିବଢି ଚାଲିଛି। ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ପଞ୍ଜାବକୁ ନିଜର ସବୁ ଶକ୍ତିର ସହ ଡ୍ରଗ୍ସ ବିରୋଧରେ ଲଢିବାକୁ ହେବ। ଉଲ୍ଲେଖଯୋଗ୍ୟ ଯେ ପଞ୍ଜାବରେ ଆମଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇ ନାହିଁ। ହେଲେ କେନ୍ଦ୍ରରେ ଉଭୟ ଦଳ ମେଣ୍ଟ ପାଇଁ ସହମତ ହୋଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.