ରାହୁଲ କହିଲେ ମୋତେ ଆଜି ସବୁ କିଛି ପଚାରି ଦିଅ, ଇଡି ଅଧିକାରୀଙ୍କ ଜବାବ- ବୁଧବାର ବି ଆସିବାକୁ ପଡିବ

Published By : Prameya-News7 Bureau | June 14, 2022 IST

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଥିତ ଧନଶୋଧନ ମାମଲାରେ ଇଡି ଅଧିକାରୀ କ୍ରମାଗତ ଦ୍ୱିତୀୟ ଦିନ ରାହୁଲ ଗାନ୍ଧୀଙ୍କୁ ପଚରାଉଚୁରା କରିଛନ୍ତି । ଏପରିକି ବୁଧବାର ତୃତୀୟ ଦିନ ବି ତାଙ୍କୁ କାର୍ଯ୍ୟାଳୟ ଆସିବାକୁ କୁହାଯାଇଛି । ଅଦ୍ୟାବଧି ଇଡି ରାହୁଲଙ୍କୁ ୧୯ ଘଣ୍ଟାରୁ ଅଧିକ ସମୟ ପଚରାଉଚୁରା କରି ସାରିଛି । ତେବେ ଦ୍ୱିତୀୟ ଦିନରେ ତାଙ୍କୁ ପଚରା ଉଚୁରା ପୂରା କରିବାକୁ ଅଧିକାରୀ ଅନୁରୋଧ କରିଥିଲେ ରାହୁଲ । ମାତ୍ର ଅଧିକାରୀ ବୁଧବାର ପୁଣି ଥରେ ହାଜର ହେବାକୁ କହିଛନ୍ତି ।

ସୂତ୍ର ମୁତାବକ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇଡି ଅଧିକାରୀଙ୍କୁ ମଙ୍ଗଳବାର ପଚରା ଉଚୁରା ପୂରା କରିବାକୁ କହିଥିଲେ । ରାହୁଲ କହିଥିଲେ, ଆଜି ମୋତେ ସବୁ କିଛି ପଚାରି ଦିଅନ୍ତୁ, ସେ ଯେତେ ବିଳମ୍ବ ହେଉନା କାହିଁକି । ମାତ୍ର ଅଧିକାରୀ ଏମିତି କରିବାକୁ ମନା କରିବା ସହ ଆସନ୍ତାକାଲି ବି ଦପ୍ତର ଆସିବାକୁ ନୋଟିସ୍ ଦେଇଛନ୍ତି ।

ସୂତ୍ର ଅନୁଯାୟୀ, ରାହୁଲ ଗାନ୍ଧୀଙ୍କୁ ପାଖାପାଖି ୨୫ ପ୍ରଶ୍ନ ପଚରା ଯାଇଛି । ବୁଧବାର ମଧ୍ୟ ରାହୁଲଙ୍କୁ ବିଳମ୍ବିତ ସମୟ ଯାଏଁ ପଚରା ଉଚୁରା କରାଯିବାର ସମ୍ଭାବନା ରହିଛି । ଅନ୍ୟପଟେ ହରିଶ ରାୱତ ଏବଂ ରଣଦୀପ ସୁରଜେୱାଲାଙ୍କ ପରି ଶୀର୍ଷ କଂଗ୍ରେସ ନେତାଙ୍କୁ ଇଡି କାର୍ଯ୍ୟାଳୟ ବାହାରୁ ପୋଲିସ ନିଜ ହେପାଜତକୁ ନେଇଥିଲା । ଏହି ସବୁ ନେତା କାର୍ଯ୍ୟକର୍ତ୍ତାଙ୍କ ସହ ଶୋଭାଯାତ୍ରା କରିବାକୁ ଉଦ୍ୟମ କରିଥିଲେ । ଅନେକ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି ।

ପ୍ରଥମ ଦିନରେ ଇଡି ରାହୁଲଙ୍କୁ ଆଠ ଘଣ୍ଟା ଧରି ପଚରା ଉଚୁରା କରିଥିଲା। ପ୍ରଥମ ରାଉଣ୍ଡରେ ପାଖାପାଖି ତିନି ଘଣ୍ଟା ପଚରା ଉଚୁରା କରିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ସାଢେ ପାଞ୍ଚ ଘଣ୍ଟା ପଚରାଉଚୁରା କରିଥିଲା ଇଡି। ରାହୁଲ ଗାନ୍ଧୀ ମନି ଲଣ୍ଡ୍ରିଂ ନିରୋଧ ଆଇନର ଧାରା ୫୦ ଆଧାରରେ ନିଜର ବୟାନ ଲିଖିତ ରୂପେ ଦେଇଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.