କର୍ଣ୍ଣାଟକ କୋଲାରରୁ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିବେ ରାହୁଲ ଗାନ୍ଧି, ୨୦୧୯ରେ ଏହିଠାରେ କରିଥିଲେ ମୋଦି ସରନେମ ଟିପ୍ପଣୀ
29/03/2023 at 6:42 PM

ବେଙ୍ଗାଲୁରୁ ୨୯।୩: କର୍ଣ୍ଣାଟକରେ ମେ ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ବୁଧବାର ତାରିଖ ଘୋଷଣା ହୋଇଛି। ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିର୍ବାଚନ ଲଢିବା ଲାଗି ଅଣ୍ଟା ଭିଡିଛି। ଏଥିରେ ଯାହା ଖବର ଆସୁଛି କଂଗ୍ରେସ ନେତା ରାହୁଲ ଗାନ୍ଧି ଆଗାମୀ ମାସରେ ତାଙ୍କର କର୍ଣ୍ଣାଟକ ଅଭିଯାନ ଆରମ୍ଭ କରିବେ। ପୂର୍ବତନ ସାଂସଦ ରାହୁଲ ଗାନ୍ଧିଙ୍କ ପ୍ରଥମ ରାଲି ଅନେକ ଦିଗରୁ ଖାସ ହେବ ବୋଲି ଏବେ ଅନୁମାନ କରାଯାଉଛି। ମିଡିଆ ରିପୋର୍ଟ ଅନୁସାରେ ରାହୁଲ ଗାନ୍ଧି ଏପ୍ରିଲ ୫ ତାରିଖରେ କୋଲାରରେ ରାଲି କରିବେ।
କୋଲାର ସେହି ସ୍ଥାନ ଯେଉଁଠି ରାହୁଲ ଗାନ୍ଧି ମୋଦି ସରନେମକୁ ନେଇ ଭାଷଣରେ ଟିପ୍ପଣୀ କରିଥିଲେ। ଏହି ଟିପ୍ପଣୀ ଯୋଗୁ ତାଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ ହୋଇଥିବା ବେଳେ ତାଙ୍କ ସଂସଦ ସଦସ୍ୟତା ମଧ୍ୟ ସମାପ୍ତ ହୋଇଯାଇଛି। କର୍ଣ୍ଣାଟକ ପାର୍ଟି ମୁଖ୍ୟ ଡି.କେ.ଶିବ କୁମାର ‘ରାହୁଲ ଗାନ୍ଧି କୋଲାର ଫେରିବେ ଓ ତାଙ୍କର ସତ୍ୟମେବ ଜୟତେ ରାଲି’ ଆରମ୍ଭ କରିବେ ବୋଲି କହିଛନ୍ତି। ଆମେ ତାଙ୍କୁ ଅନୁରୋଧ କରିଛୁ ସେ ତାଙ୍କର ନିର୍ବାଚନ ଅଭିଯାନ ସେହି ଠାରୁ ଆରମ୍ଭ କରନ୍ତୁ ଯେଉଁଠି ସେ ବିବାଦୀୟ ବୟାନ ଦେଇଥିଲେ। ରାହୁଲ କୋଲାରରୁ ହିଁ ତାଙ୍କର ମେଗା ରାଲି ଆରମ୍ଭ କରିବେ ବୋଲି ଶିବକୁମାର କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧି କର୍ଣ୍ଣାଟକର କୋଲାରରେ ଏକ ରାଲି କରିଥିଲେ। ଯେଉଁଥିରେ ସେ ମୋଦି ସରକାର ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବାର ଅଭିଯୋଗ କରିଥିଲେ। ରାହୁଲ ତାଙ୍କ ଭାଷଣରେ ସବୁ ଚୋରଙ୍କ ସରନେମ କାହିଁକି ମୋଦି ବୋଲି ପ୍ରଶ୍ନ କରିଥିଲେ। ଭାଷଣରେ ତାଙ୍କର ଏହି ଟିପ୍ପଣୀକୁ ବିଜେପି ଅନ୍ୟାନ୍ୟ ପଛୁଆବର୍ଗଙ୍କ ଅପମାନ ଭାବେ ଦେଖିଥିଲା ଓ ଗୁଜରାଟର ଜଣେ ବିଜେପି ନେତା ପୂର୍ଣ୍ଣେଶ ମୋଦି ଏହା ବିରୋଧରେ କୋର୍ଟରେ ମୋକଦ୍ଦମା ରୁଜୁ କରିଥିଲେ।
ରାହୁଲ ଗାନ୍ଧି ଭାଷଣରେ କରିଥିବା ଟିପ୍ପଣୀ ଲାଗି କ୍ଷମା ଯାଚନା କରିବାକୁ ମନା କରିଦେଇଥିଲେ। ଏଣୁ କୋର୍ଟ ତାଙ୍କୁ ୨ ବର୍ଷ ଦଣ୍ଡାଦେଶ କରିଥିବା ବେଳେ ରାହୁଲଙ୍କ ସଂସଦ ସଦସ୍ୟତା ସମାପ୍ତ ହୋଇଯାଇଛି। ଏହି ଘଟଣାକୁ ନେଇ ଦେଶର ୧୮ ବିରୋଧୀ ଦଳ ନେତା ସରକାରଙ୍କୁ ସମାଲୋଚନା କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ମେ ୧୦ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ହେବ। ନିର୍ବାଚନ ଫଳାଫଳ ମେ ୧୩ ତାରିଖରେ ଘୋଷଣା ହେବ। ନିର୍ବାଚନ କମିଶନଙ୍କ ଏହି ଘୋଷଣା ସହିତ ଆଗାମୀ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ଶାସକ ବିଜେପି ଓ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟରେ ନିର୍ବାଚନୀ ଯୁଦ୍ଧର ବିଗୁଲ ବାଜିଛି।

କର୍ଣ୍ଣାଟକ ବିଧାନସଭା ୨୨୪ ସଦସୀୟ। ଏବେ ବିଜେପି ହାତରେ ୧୧୯ଟି ସିଟ୍ ଥିବା ବେଳେ କଂଗ୍ରେସ ପାଖରେ ୭୫ଟି ଆସନ ରହିଛି। ଏଥିରେ ତୃତୀୟ ବିରୋଧୀ ଦଳ ଜେଡିଏସ୍ ନିକଟରେ ୨୮ଟି ଆସନ ରହିଛି। ଏଥିରେ ୨ଟି ସିଟ୍ ରିକ୍ତ ରହିଛି। ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ନିର୍ବାଚନ ଲାଗି ଏପ୍ରିଲ ୧୩ ତାରିଖ ଦିନ ଅଧିସୂଚନା ଜାରି ହେବ ବୋଲି ଘୋଷଣା କରିଛନ୍ତି। ଏଥିରେ ପ୍ରାର୍ଥୀପତ୍ର ଦାଖଲ ଲାଗି ଏପ୍ରିଲ ୨୦ ତାରିଖ ଶେଷ ଦିନ ରହିଛି।