ବେରୋଜଗାରୀ ଯୁବପୀଢ଼ିଙ୍କୁ ମିଳିଲା ରାହୁଲଙ୍କ ସମର୍ଥନ, ମୋଦି ସରକାରଙ୍କ ବିରୋଧରେ ଆରମ୍ଭ କଲେ ନୂଆ ଅଭିଯାନ

Published By : Prameya-News7 Bureau | September 10, 2020 IST

ନୂଆଦିଲ୍ଲୀ ୧୦/୦୯: ମାର୍ଚରେ କରୋନା ପ୍ରଭାବକୁ ଦେଖି କେନ୍ଦ୍ର ସରକାର ଲକଡାଉନ୍ ଘୋଷଣା କରିଥିଲେ। ଯାହା ଦ୍ବାରା ଅର୍ଥବ୍ୟବସ୍ଥା ବିଗିଡ଼ିବା ସହ ଜିଡିପି ହାର ୨୩%ରେ ପହଞ୍ଚିଲା। ତେବେ କେନ୍ଦ୍ର ସରକାର ଏହାକୁ ଆକ୍ଟ ଅଫ୍ ଗଡ୍ ବୋଲି କହିଥିଲେ। ଏହାକୁ ନେଇ କିନ୍ତୁ ବିରୋଧୀ ଦେଳ ବେଶ୍ ବର୍ଷିଥିଲେ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବେରୋଜଗାରୀ, ଅର୍ଥବ୍ୟବସ୍ଥା ଓ ଜିଏସଟିକୁ ନେଇ ମୋର୍ଚ ଖୋଲି ରଖିଛନ୍ତି। ଏହା ସହ ସେ ଅନଲାଇନ୍ କ୍ୟାମ୍ପେନ୍ ମଧ୍ୟ ଆରମ୍ଭ କରିଛନ୍ତି।

ରାହୁଲ ଗାନ୍ଧି ସାମାଜିକ ଗଣମାଧ୍ୟମରେ #SpeakUpForJobs ନାଁରେ ଅଭିଯାନ ଆରମ୍ଭ କରିଛନ୍ତି। ଏହା ଜରିଆରେ ସେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳୁଛି, ମୋଦି ସରକାର କିଛି ନ ବୁଝି ଲକଡାଉନ୍ ଲାଗୁ କରିଦେଲେ। ଯେଉଁଥିପାଇଁ ଅର୍ଥବ୍ୟବସ୍ଥା ଅତିମାତ୍ରାରେ ପ୍ରଭାବିତ ହୋଇଛି। ଏହା ସହ ଜିଡ଼ିପି ଗ୍ରୋଥରେ ୨୩ ପ୍ରତିଶତ କମିଛି ଓ ଲୋକ ଚାକିରି ହରାଇବା ସହ କ୍ଷୁଦ୍ର ତଥା ମଧ୍ୟମ ବ୍ୟାପାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେଥିପାଇଁ ଦାବି କରାଯାଉଛି କେନ୍ଦ୍ର ସରକାର ବେରୋଜଗାରୀ ଯୁବପିଢ଼ି ଓ ଗରିବଙ୍କୁ ତୁରନ୍ତ ନ୍ୟାୟ ଦିଅନ୍ତୁ। ଅର୍ଥାତ ୧୨ ମାସ ପାଇଁ ମାସକୁ ୬ ହଜାର ଟଙ୍କା ଦିଅନ୍ତୁ। ଏହା ବାଦ୍ ରାହୁଲ ଅନେକ କଥା କହିବା ସହ ଏମଏସଏଇକୁ ସମର୍ଥନ କରିବାକୁ ପରାମର୍ଶ ଦେଇଛନ୍ତି। ଦେଶର ଯୁବପିଢ଼ିଙ୍କୁ #speakupforjobsରେ ଯୋଡି ହେବାକୁ ରାହୁଲ ଅପିଲ କରିଛନ୍ତି।

ସେ ଗତକାଲି ମଧ୍ୟ ଗୋଟିଏ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ କହିଥିଲେ ଅଚାନକ ଲକଡାଉନ ଘୋଷଣା ମୃତ୍ୟୁଦଣ୍ଡ ସହ ବରାବର ପ୍ରମାଣିତ ହୋଇଛି। ପ୍ରତିଶ୍ରୁତି ଥିଲା ୨୧ ଦିନରେ କରୋନା ଦୂର ହେବ ମାତ୍ର ଶେଷ କଲେ କୋଟିଏ ରୋଜଗାର ଓ ଛୋଟ ଉଦ୍ୟୋଗ। ରାହୁଲ ଗାନ୍ଧୀଙ୍କ ଅନୁସାରେ କରୋନା ନାଁରେ ଯାହା କଲେ ତାହା ଅସଂଗଠିତ କ୍ଷେତ୍ର ଉପରେ ତୃତୀୟ ଆକ୍ରମଣ ଥିଲା କାରଣ ଗରିବ ଲୋକ ନିତିଦିନ ରୋଜଗାର କରନ୍ତି ଓ ପେଟ ପୋଷନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.