ପ୍ରେସ୍ ଓ ସାମ୍ବାଦିକଙ୍କୁ ନେଇ ପୁଣି ଥରେ ନିଜର ମତ ରଖିଲେ ରାହୁଲ ଗାନ୍ଧି, କହିଲେ- ମୁଁ କହେନା ‘ଗୋଦି ମିଡିଆ’
17/01/2023 at 8:08 PM

ହୋସିଆରପୁର ୧୭।୧: ପଞ୍ଜାବ ହୋସିଆର ପୁରରେ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି ଗଣମାଧ୍ୟମକୁ ନେଇ ପୁଣି ଥରେ ନିଜର ବିଚାର ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ମୁଁ କେବେ ‘ଗୋଦି ମିଡିଆ’ କହେନା, ଏହା ମୋର ବାକ୍ୟ ନୁହେଁ। ମୁଁ କେବେ ସାମ୍ବାଦିକଙ୍କୁ ଭୁଲ ବୋଲି କହେନା। ଆମେ ସ୍ୱାଧୀନ ଓ ନିରପେକ୍ଷ ଗଣମାଧ୍ୟମ ଚାହୁଁଛୁ। ଜନୈକ ସାମ୍ବାଦିକଙ୍କ ପ୍ରଶ୍ନର ଜବାବରେ ସେ ଏହା କହିଛନ୍ତି। ରାହୁଲ କହିଛନ୍ତି ଯେ ମୁଁ ସବୁବେଳେ ମିଡିଆକୁ ନିୟନ୍ତ୍ରିତ କରାଯାଉଥିବା କହି ଆସୁଛି, ତା ଉପରେ ଚାପ ପକାଯାଉଥିବା କହୁଛି।
ମୁଁ ଆପଣମାନଙ୍କ ଭଳି ସାମ୍ବାଦିକଙ୍କ ସମାଲୋଚନା କେବେ ବି କରିନି, କାରଣ ଆପଣମାନେ ଆପଣଙ୍କ କାମ କରୁଛନ୍ତି। ତେବେ ମୁଁ ମିଡିଆ ସଂରଚନା( ଷ୍ଟ୍ରକ୍ଚର) କୁ ସମାଲୋଚନା କରୁଛି ବୋଲି ରହୁଲ କହିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ନିରପେକ୍ଷ ଓ ସ୍ୱତନ୍ତ୍ର ଗଣମାଧ୍ୟମ ଚାହେଁ। ଆମେ ସ୍ୱାଧୀନ ସଂସ୍ଥା ଚାହୁଁଛୁ, ଆମେ ଚାହିଁକି ବି ଗଣମାଧ୍ୟମକୁ ନିୟନ୍ତ୍ରିତ କରିପାରିବାନି। ଗଣମାଧ୍ୟମ ଦ୍ୱାରା ଘୃଣା ବ୍ୟାପ୍ତ କରାଯାଉଛି, ଏହା ଦ୍ୱାରା ଲୋକଙ୍କ ଧ୍ୟାନ ଭଟକା ଯାଉଛି ବୋଲି ରାହୁଲ କହିଛନ୍ତି। ଗଣମାଧ୍ୟମ ‘ୱାଚ୍ ଡଗ୍’ ଭଳି, ଆପଣମାନେ ଜରୁରି ପ୍ରଶ୍ନ କରୁ ନାହାନ୍ତି ବୋଲି ରାହୁଲ କହିଛନ୍ତି।
#WATCH | "I did not bring 'Godi Media', it is not my phrase. I do not criticise journalists but I criticize the structure of media. I want fair & independent media…" said Congress MP Rahul Gandhi, Hoshiarpur pic.twitter.com/L8CiJFNoh5
— ANI (@ANI) January 17, 2023
ସାମ୍ବାଦିକ ସମ୍ମିଳନୀରେ ରାହୁଲ ବିଜେପି ଓ ଆରଏସଏସକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଆଜି ଆରଏସଏସ୍ ଓ ବିଜେପି ଦ୍ୱାରା ଦେଶର ସବୁ ସଂସ୍ଥାଙ୍କୁ ନିୟନ୍ତ୍ରଣ କରାଯାଉଛି। ଏପରିକି ସେମାନେ ନିର୍ବାଚନ କମିଶନ ଓ ନ୍ୟାୟପାଳିକାକୁ ମଧ୍ୟ ନିଜ ନିୟନ୍ତ୍ରଣରେ କରିବାକୁ ଚାହୁଁଛନ୍ତି। ଏବେ ସବୁ ସଂସ୍ଥା ଚାପରେ ଅଛନ୍ତି ପ୍ରେସ୍ ଚାପରେ ଅଛି ବ୍ୟୁରୋ କ୍ରାଟ ଚାପରେ ଅଛନ୍ତି, ନିର୍ବାଚନ ଆୟୋଗ ଚାପରେ ଅଛନ୍ତି ଓ ନ୍ୟାୟ ପାଳିକା ଉପରେ ମଧ୍ୟ ଚାପ ପକାଯାଉଛି ବୋଲି ରାହୁଲ କହିଛନ୍ତି।
ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ଏବେ ପଞ୍ଜାବରେ ଚାଲିଛି। ତାମିଲନାଡୁର କନ୍ୟା କୁମାରୀରୁ ସେପ୍ଟେମ୍ବର ୭ ତାରିଖରୁ ବାହାରିଥିବା ଯାତ୍ରା ଜାନୁୟାରୀ ୩୦ ତାରିଖ ଦିନ ଜମ୍ମୁ-କାଶ୍ମୀରରେ ସମାପ୍ତ ହେବ। ରାହୁଲ ଗାନ୍ଧି ଜମ୍ମୁ-କାଶ୍ମୀରର ଗ୍ରୀଷ୍ମକାଳୀନ ରାଜଧାନୀରେ ଜାତୀୟ ପତାକା ଉତ୍ତୋଳନ କରିବେ। ଏହି ପଦଯାତ୍ରା ଏପର୍ଯ୍ୟନ୍ତ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣା ଅତିକ୍ରମ କରିସାରିଛି।