୨୦୨୩-୨୪ ବଜେଟ୍କୁ ଅମୃତ କାଳ ନୁହେଁ ‘ମିତ୍ରକାଳ’ର କହିଲେ ରାହୁଲ ଗାନ୍ଧି, ଖୋଜିଲେ ଭବିଷ୍ୟତର ଭିଜନ
1/02/2023 at 8:50 PM

ନୂଆଦିଲ୍ଲୀ ୧।୨: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ୨୦୨୩-୨୪ ବଜେଟ୍କୁ ‘ମିତ୍ରକାଳ’ ବଜେଟ୍ ବୋଲି କହିଛନ୍ତି। ଏଥିରୁ ସରକାରଙ୍କ ପାଖରେ ଭାରତର ଭବିଷ୍ୟତ ନିର୍ମାଣ ଲାଗି କୌଣସି ରୂପରେଖ ନଥିବା ସ୍ପଷ୍ଟ ହୋଇଥିବା କହିଛନ୍ତି ରାହୁଲ। ବଜେଟ୍ ନେଇ ରାହୁଲ ଏକ ଟ୍ୱିଟ୍ କରିଥିବା ବେଳେ ‘ମିତ୍ର କାଳ ବଜେଟ୍ରେ ରୋଜଗାର ସୃଜନ ନେଇ କୌଣସି ଦୃଷ୍ଟିକୋଣ ନଥିବା, ମୂଲ୍ୟବୃଦ୍ଧି ମୁକାବିଲା ନିମନ୍ତେ ଯୋଜନା ନଥିବା ସର୍ବୋପରି ସମାଜରେ ଅସମାନତା ଦୂର କରିବା ପାଇଁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନଥିବା’ ଉଲ୍ଲେଖ କରିଛନ୍ତି।
‘Mitr Kaal’ Budget has:
— Rahul Gandhi (@RahulGandhi) February 1, 2023
NO vision to create Jobs
NO plan to tackle Mehngai
NO intent to stem Inequality
1% richest own 40% wealth, 50% poorest pay 64% of GST, 42% youth are unemployed- yet, PM doesn’t Care!
This Budget proves Govt has NO roadmap to build India’s future.
ରାହୁଲ କହିଛନ୍ତି ଯେ ଦେଶର ୧ ପ୍ରତିଶତ ଧନୀ ଲୋକଙ୍କ ପାଖରେ ରହିଛି ୪୦ ପ୍ରତିଶତ ସମ୍ପତ୍ତି, ୫୦ ପ୍ରତିଶତ ଗରିବ ଲୋକେ ଦେଉଛନ୍ତି ୬୪ ପ୍ରତିଶତ ଜିଏସଟି, ୪୨ ପ୍ରତିଶତ ଯୁବକ ବେକାର। ଏହା ପରେବି ପ୍ରଧାନମନ୍ତ୍ରୀଙ୍କର କୌଣସି ପରୁଆ ନାହିଁ। ବଜେଟରୁ ଦେଶର ଭବିଷ୍ୟତ ନିର୍ମାଣ ଲାଗି ସରକାରଙ୍କ ପାଖରେ କୌଣସି ଦୂରଦୃଷ୍ଟି ନାହିଁ ବୋଲି ରାହୁଲ କହିଛନ୍ତି। ଆଗାମୀ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ସମାଜର ସବୁ ବର୍ଗକୁ ସାଧିବାକୁ ଉଦ୍ୟମ କରାଯାଇଛି।

ଅର୍ଥମନ୍ତ୍ରୀ ମଧ୍ୟମ ଆୟକାରୀ ବର୍ଗ ଓ ଚାକିରୀ ଜୀବିଙ୍କ ସୁବିଧା ପାଇଁ ଆୟକର ସୀମା ବୃଦ୍ଧି କରିଥିବା ବେଳେ କ୍ଷୁଦ୍ର ସଞ୍ଚୟ ଯୋଜନାରେ ନିବେଶ ସୀମା ବୃଦ୍ଧି କରି ବୟଷ୍କ ଓ ନୂଆ ସଞ୍ଚୟ ଯୋଜନା ମାଧ୍ୟମରେ ମହିଳାଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ଏହା ସହ ଭିତ୍ତିଭୂମି ବିକାଶ ବାବଦ ଖର୍ଚ୍ଚରେ ୩୩ ପ୍ରତିଶତର ବଡ ବୃଦ୍ଧି ପ୍ରସ୍ତାବ ଦେଇଛନ୍ତି। ତେବେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ ଅର୍ଥମନ୍ତ୍ରୀଙ୍କ ଦୀର୍ଘ ବଜେଟ ଭାଷଣର କେଉଁଠାରେ ବି ଗରିବ, ବେକାରୀ, ଅସମାନତା ଓ ସମାନତାର ଉଲ୍ଲେଖ ନଥିବା କହିଛନ୍ତି। ଏଥିରୁ ସରକାର ଲୋକଙ୍କ ଜୀବିକା, ସେମାନଙ୍କ ଚିନ୍ତା, ଧନୀ ଓ ଗରିବଙ୍କ ମଧ୍ୟରେ ବଢୁଥିବା ଅସମାନତା ଦୂରିକରଣ ପାଇଁ କୌଣସି ଯୋଜନା ନାହିଁ ବୋଲି କହିଛନ୍ତି।