ମୁଁ ଥିଲି ଭାରତୀୟ ଜେଜିଙ୍କ ପ୍ରିୟ ଓ ପ୍ରିୟଙ୍କା ଇଟାଲୀୟ ଆଈଙ୍କର: ରାହୁଲ
21/02/2023 at 9:17 PM

ନୂଆଦିଲ୍ଲୀ ୨୧।୨: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସେ ତାଙ୍କ ଜେଜି ଇନ୍ଦିରା ଗାନ୍ଧିଙ୍କ ପ୍ରିୟ ଥିଲେ ବୋଲି କହିଛନ୍ତି। ସେହପରି ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି (ଭଦ୍ରା)ଙ୍କୁ ଇଟାଲୀୟ ଆଈ ଅର୍ଥାତ ତାଙ୍କ ଆଈ ପାଓଲା ମାଇନୋ ବେଶ୍ ଭଲ ପାଉଥିଲେ । ରାହୁଲ ଗାନ୍ଧିଙ୍କ ଆଈ ଇଟାଲୀୟ ନାଗରିକ ଥିଲେ, ଯାହାଙ୍କର କିଛି ମାସ ପୂର୍ବରୁ ପରଲୋକ ହୋଇଛି। ଇଟାଲୀୟ ସମ୍ବାଦପତ୍ର ‘କୋରିୟରେ ଦେଲା ସେରା’କୁ ରାହୁଲ ଦେଇଥିବା ସାକ୍ଷାତକାରରେ ତାଙ୍କ ବିବାହ ବିଷୟରେ ମଧ୍ୟ କହିଛନ୍ତି।
୫୨ ବର୍ଷିୟ ରାହୁଲ ଗାନ୍ଧି କହିଛନ୍ତି ଯେ ସେ ବି ଚାହାନ୍ତି ତାଙ୍କର ପିଲାପିଲି ହୁଅନ୍ତୁ। ତେବେ ଏପର୍ଯ୍ୟନ୍ତ ବିବାହ କରିନଥିବା ବେଳେ ପିଲାପିଲି କୁଆଡୁ ଆସିବେ ବୋଲି ପଚରା ଯିବାରେ ଏହା ଅଜବ କଥା ମୁଁ ଏ ବିଷୟରେ କହି ପାରିବନି ବୋଲି କହିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ବହୁତ କିଛି କରିବାକୁ ଅଛି, ତେବେ ପିଲା ପିଲି ହୁଅନ୍ତୁ ବୋଲି ସେ କହିଛନ୍ତି। ଦାଢି ବଢେଇବା ପ୍ରସଙ୍ଗରେ ପଚରା ଯିବାରୁ ପଦଯାତ୍ରା (ଭାରତ ଯୋଡୋ ଯାତ୍ରା) କାଳରେ ଦାଢି କାଟିବିନି ବୋଲି ନିଷ୍ପତ୍ତି କରିଥିଲି। ଏଣୁ ଦାଢି କାଟି ନଥିଲି। ଏବେ ଆଗକୁ ଦାଢି ରଖିବି କି ନା ସେ ନେଇ ନିଷ୍ପତ୍ତି ନେବି ବୋଲି କହିଛନ୍ତି।

ରାହୁଲ କହିଛନ୍ତି ଯେ ତାଙ୍କ ଆଈ ୯୮ ବର୍ଷ ଆୟୁ ପର୍ଯ୍ୟନ୍ତ ଜୀବିତ ଥିଲେ। ମୋର ତାଙ୍କ ପ୍ରତି ବହୁତ ଭଲପାଇବା ଥିଲା। ସେହିପରି ମାମୁଁ ୱାଲ୍ଟର ଓ ତାଙ୍କ ପୁଅ ଝିଅମାନେ ଏବଂ ତାଙ୍କ ପରିବାର ସହ ମୋର ସମ୍ପର୍କ ବେଶ ଭଲ ଅଛି। ସମ୍ବାଦପତ୍ରରେ ତାଙ୍କର ଏହି ସାକ୍ଷାତକାର ଫେବୃଆରୀ ୧ ତାରିଖ ଦିନ ପ୍ରକାଶ ପାଇଥିଲା। ଏହି ସାକ୍ଷାତକାରରେ ସେ କହିଥିଲେ ଯେ କୌଣସି ଦେଶରେ ଫାଶୀ ବାଦ ସେତେବେଳେ ଗୋଡ ଲମ୍ବାଏ ଯେତେବେଳେ ଗଣତାନ୍ତ୍ରିକ ବ୍ୟବସ୍ଥା ଧ୍ୱଂସ୍ତ ହେବାରେ ଲାଗେ ଓ ସଂସଦ ଠିକ ଭାବେ କାମ ନ କରେ।
ଏଥିରେ ବିରୋଧୀ ଦଳ ଯଦି ଫାଶୀବାଦର ମୁକାବିଲା ଲାଗି ଏକ ବିକଳ୍ପ ବିଚାର ଉପସ୍ଥାପନ କରିପାରିଲେ ହିଁ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ପରାଜିତ କରାଯାଇ ପାରିବ ବୋଲି ସେ କହିଥିଲେ।