ପ୍ରଧାନମନ୍ତ୍ରୀଙ୍କ ସହ ଡିବେଟ୍ ଲାଗି ୧୦୦% ପ୍ରସ୍ତୁତ, ରାହୁଲ କହିଲେ –ମୁଁ ଜାଣିଛି ସେ ମୋ ସହିତ କରିବେନି

Published By : Prameya-News7 Bureau | May 10, 2024 IST

ଲକ୍ଷ୍ନୌ ୧୦।୫: ଜଷ୍ଟିସ୍ ଲୋକୁର, ଶାହ ଓ ସାମ୍ବାଦିକ ଏନ.ରାମଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଡିବେଟ୍ ନିମନ୍ତେ ଦିଆଯାଇଥିବା ନିମନ୍ତ୍ରଣକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ସ୍ୱୀକାର କରିଛନ୍ତି। ଏହା ସହିତ ସେ କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଜାଣେ, ସେ ମୋ ସହିତ ଡିବେଟ୍ କରିବେନି। ଶୁକ୍ରବାର ଲକ୍ଷ୍ନୌରେ ଅନୁଷ୍ଠିତ ସମ୍ବିଧାନ ସମ୍ମିଳନୀରେ ରାହୁଲ ଗାନ୍ଧି କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଯେ କୌଣସି ପ୍ରସଙ୍ଗରେ ଡିବେଟ୍ ନିମନ୍ତେ ୧୦୦ ପ୍ରତିଶତ ପ୍ରସ୍ତୁତ। 

ରାହୁଲ ଗାନ୍ଧି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଯଦି ମୋ ସହିତ ଡିବେଟ୍ କରିବାକୁ ଅରାଜି ଆମର ସଭାପତି ଖଡଗେ ଜୀ ଅଛନ୍ତି, ସେ ତାଙ୍କ ସହ ଡିବେଟ୍ କରିପାରନ୍ତି। ସମ୍ବିଧାନକୁ ହାତରେ ଧରି ସମ୍ମିଳନୀକୁ ପହଞ୍ଚିଥିବା ରାହୁଲ ଗାନ୍ଧି ଏଠାରେ ମଧ୍ୟ ମୋଦି ସରକାରଙ୍କୁ ସଂରକ୍ଷଣ ବିରୋଧୀ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଦେଶରେ ପଛୁଆ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ସଂଖ୍ୟା ୯୦ ପ୍ରତିଶତ। ହେଲେ ସେମାନଙ୍କ ଲାଗି ସବୁଆଡୁ ରାସ୍ତା ବନ୍ଦ କରି ରଖା ଯାଇଛି। 

ସମ୍ବିଧାନ ସେମାନଙ୍କୁ ସଂରକ୍ଷଣର ଯେଉଁ ଲାଭ ଦେଉଛି ତାକୁ ସମାପ୍ତ କରାଯାଉଛି। ସଂସ୍ଥାଗୁଡିକର ଘରୋଇକରଣ କରିବା ହିଁ ଏହାର ମାର୍ଗ। ଯଦି ସରକାରୀ ସଂସ୍ଥା ହିଁ ରହିବନି ସଂରକ୍ଷଣ କିଏ କାହାକୁ ଦେବ?ରାହୁଲ କହିଛନ୍ତି ଯେ ମୋଦି ପ୍ରଧାନମନ୍ତ୍ରୀ ନୁହନ୍ତି ରାଜା ଅଟନ୍ତି। ସଂସଦ ସହ ତାଙ୍କର କୌଣସି ନେଣଦେଣ ନାହିଁ। ମନ୍ତ୍ରୀମଣ୍ଡଳ ଓ ସମ୍ବିଧାନର ମଧ୍ୟ ତାଙ୍କୁ କୌଣସି ଆବଶ୍ୟକତା ନାହିଁ। ଏକବିଂଶ ଶତାବ୍ଦୀର ସେ ରାଜା। ଅସଲରେ ସେ କେବଳ ରାଜାଙ୍କ ଫ୍ରଣ୍ଟ, କ୍ଷମତା ତାଙ୍କର ଅନ୍ୟ କେଉଁଠି। ତାଙ୍କ ପଛରେ ଥିବା ୩ ଫାଇନାନ୍ସର ଟେମ୍ପୋ ବାଲା ସେମାନେ ସବୁକିଛି ଚଳାଉଛନ୍ତି।   

ସବୁ ବିଜେପି ନେତା ଖୋଲାଖୋଲି କହୁଛନ୍ତି ଆମେ ସଂରକ୍ଷଣକୁ ସମାପ୍ତ କରିଦେବୁ। ତେବେ ମୋ କଥା ବି ଶୁଣ ତୁମେ କେବେବି ସଂରକ୍ଷଣକୁ ବନ୍ଦ କରିପାରିବ ନାହିଁ। କାରଣ ସଂରକ୍ଷଣ ୯୦ ପ୍ରତିଶତ ଲୋକଙ୍କ ଶ୍ୱର। ସଂରକ୍ଷଣ ଉପରେ ଆକ୍ରମଣ, ସମ୍ବିଧାନ ଉପରେ ଆକ୍ରମଣ, ସେନା ଉପରେ ଆକ୍ରମଣ, ଆର୍ଥିକ ବ୍ୟବସ୍ଥା ଉପରେ ଆକ୍ରମଣ କାହିଁକି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ଏବେ ଟିକେ ପ୍ରୋବ୍ଲେମ ହୋଇଛି ମୋଦିଜୀ ମଧ୍ୟ ଆଦାନୀ ଅମ୍ବାନୀ ଜପିବାରେ ଲାଗିଲେଣି। ତାଙ୍କଠୁ ବଞ୍ଚାଅ ବଞ୍ଚାଅ କହିଲେଣି। ହେଲେ ସେମାନେ ବଞ୍ଚାଇ ପାରିବେନି। ଏବେ କେବଳ ଜନତା ହିଁ ବଞ୍ଚାଇ ପାରିବେ ବୋଲି କହିଛନ୍ତି ରାହୁଲ ଗାନ୍ଧି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.