'ନୂଆ କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏଁ ଘରକୁ ଫେରିବେନି ଚାଷୀ'-ରାହୁଲ ଗାନ୍ଧୀ

Published By : Prameya-News7 Bureau | December 24, 2020 IST

ନୂଆଦିଲ୍ଲୀ ୨୪/୧୨ : କୃଷି ଆନ୍ଦୋଳନକୁ ନେଇ ରାଜନୀତି ଚରମ ସୀମାରେ ପହଞ୍ଚିଛି। ଗୁରୁବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ୨ କୋଟି ଲୋକଙ୍କ ଦସ୍ତଖତ ସହିତ ସ୍ମାରକପତ୍ର ହସ୍ତାନ୍ତର କରିଛନ୍ତି। ଅପରପକ୍ଷରେ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ହେପାଜତ ନେଇଛି। ରାଷ୍ଟ୍ରପତିଙ୍କୁ ସାକ୍ଷାତ ପରେ ରାହୁଲ ଗାନ୍ଧୀ ସାମ୍ବାଦିକଙ୍କୁ କହିଛନ୍ତି ଯେ ଭାରତରେ ଆଉ ଗଣତନ୍ତ୍ର ଶାସନ ନାହିଁ। ଦଳ ନେତାଙ୍କୁ ହେପାଜତକୁ ନେବା ଘଟଣାକୁ ନେଇ ସେ କହିଛନ୍ତି ଗଣତନ୍ତ୍ର ସ୍ୱପ୍ନରେ ଥାଇପାରେ କିନ୍ତୁ ବାସ୍ତବରେ ଆଦୌ ନାହିଁ।

ନୂଆ କୃଷି ଆଇନକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କ୍ରୋନି ପୁଞ୍ଜିପତିଙ୍କ ପାଇଁ ଟଙ୍କା ରୋଜଗାର କରୁଛନ୍ତି। ଯିଏ ତାଙ୍କ ବିରୁଦ୍ଧରେ ଠିଆ ହେବାକୁ ଚେଷ୍ଟା କରିବ ତାଙ୍କୁ ଆତଙ୍କବାଦୀ କୁହାଯିବ। ସେ କୃଷକ ଶ୍ରମିକ କିମ୍ବା ମୋହନ ଭଗବତ ବି ହୁଅନ୍ତୁ ନା କାହିଁକି ତାଙ୍କୁ ଆତଙ୍କବାଦୀ କୁହାଯିବ। ସେ କହିଛନ୍ତି, 'ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ଚାହୁଁଛି ଯେ ନୂଆ କୃଷକ ଆଇନ ପ୍ରତ୍ୟାହାର ନ ହେବା ଯାଏଁ କୃଷକ ଘରକୁ ଫେରିବେନି। ସରକାରଙ୍କୁ ସଂସଦର ସଂଯୁକ୍ତ ଅଧିବେଶନ ଡାକିବା ଉଚିତ ଏବଂ ଏହିସବୁ ଆଇନ ପ୍ରତ୍ୟାହାର କରିବା ଉଚିତ। କୃଷକ ଓ ଶ୍ରମିକଙ୍କ ସହ ବିରୋଧୀ ଦଳ ଛିଡା ହୋଇଛନ୍ତି।

{"id":382109,"sizeSlug":"large","linkDestination":"none"}

ରାଷ୍ଟ୍ରପତିଙ୍କୁ ରାହୁଲ କହିଛନ୍ତି ଯେ ନୂଆ କୃଷି ଆଇନ କୃଷକ ବିରୋଧୀ। କୃଷକ ଏହି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। ରାଷ୍ଟ୍ରପତିଙ୍କୁ ରାହୁଲ ପ୍ରଶ୍ନ କରିଛନ୍ତି ଯେ, ଚୀନ ଏବେ ବି ସୀମାରେ ଅଛି। ଚୀନ ଭାରତର ହଜାର କିଲୋମିଟର ଜମି ଛଡେଇ ନେଇଛି। ପ୍ରଧାନମନ୍ତ୍ରୀ ଏ ସମ୍ବନ୍ଧରେ କାହିଁକି ଚୁପ ଅଛନ୍ତି, କାହିଁକି କିଛି କହୁନାହାନ୍ତି ?

ରାହୁଲ କହିଥିଲେ, ଆପଣଙ୍କ ପାଖରେ ଜଣେ ଅକ୍ଷମ ବ୍ୟକ୍ତି ଅଛନ୍ତି ଯିଏ କିଛି ବୁଝନ୍ତିନି ଏବଂ ଆଉ ୩-୪ ଜଣ ଲୋକଙ୍କ ତରଫରୁ ଏକ ସିଷ୍ଟମ ଚଲାଇଛନ୍ତି।

ଏହା ପୂର୍ବରୁ କଂଗ୍ରେସ ବିଜୟ ଛକରୁ ରାଷ୍ଟ୍ରପତି ଭବନ ଯାଏଁ ମୋର୍ଚ୍ଚା କରିଥିଲା ଯାହାକୁ ପୋଲିସ ଅଟକାଇ ଦେଇଥିଲା। ଏହାସହ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ହେପାଜତକୁ ନେଇଥିଲା। ପ୍ରିୟଙ୍କା ଗାନ୍ଧୀ କହିଥିଲେ, କୃଷକଙ୍କ ସମର୍ଥନରେ ସ୍ୱର ଦୃଢ କରିବାକୁ ଆମେ ମୋର୍ଚ୍ଚା ବାହାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.