ରାହୁଲଙ୍କୁ ନାହିଁ ସଂସଦ ସଦସ୍ୟତା ରଦ୍ଦ ହେବାର ଦୁଃଖ, ଆମେରିକାରେ କହିଲେ-ମୋ ଲାଗି ଏହା ବିଜେପିର ଉପହାର
2/06/2023 at 5:58 PM

ନୂଆଦିଲ୍ଲୀ ୨।୬: କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ଲୋକସଭା ସାଂସଦ ରୂପେ ତାଙ୍କର ଅଯୋଗ୍ୟତା ବାସ୍ତବରେ ଲାଭଜନକ ସାବ୍ୟସ୍ତ ହୋଇଛି। କାରଣ ଏହା ଦ୍ୱାରା ସେ ନିଜକୁ ପରିଭାଷିତ କରିବାକୁ ପୁଣି ଥରେ ସୁଯୋଗ ପାଇଛନ୍ତି। ୱାସିଂଟନ ଡିସିରେ ଗୁରୁବାର ପ୍ରେସ୍ କ୍ଲବକୁ ସମ୍ବୋଧିତ କରିବା ଅବସରରେ ରାହୁଲ କହିଛନ୍ତି ଯେ ସଂସଦ ସଦସ୍ୟ ରୂପେ ମୋତେ ଅଯୋଗ୍ୟ ଘୋଷଣା କରାଯିବା ମୋ ଲାଗି ନୂଆ ଆକାଶ ଖୋଲି ଦେଇଛି ।
ସେ କହିଛନ୍ତି ଯେ ମୋତେ ଲାଗୁଛି ବିଜେପିର ମୋ ପ୍ରତି ଏହା ଏକ ଉପହାର। ତେବେ ସେମାନେ ଏପର୍ଯ୍ୟନ୍ତ ଏହା ଅନୁଭବ ମଧ୍ୟ କରିପାରି ନାହାନ୍ତି। ପୂର୍ବତନ ସାଂସଦ କହିଛନ୍ତି ଯେ ରାଜନୀତି ଏକ ଶରଳ ରେଖା ନୁହେଁ। ଏହା ସମ୍ପୂର୍ଣ୍ଣରୂପେ ଏକ ଭିନ୍ନ ଦିଗରେ ଗତିକରେ। ଏଣୁ ମୋତେ ଲାଗୁଛି ସେମାନେ ମୋତେ ଏକ ଉପହାର ଦେଇଛନ୍ତି। ଗତ ମାର୍ଚ୍ଚ ମାସରେ ସାଂସଦ ରାହୁଲ ଗାନ୍ଧିଙ୍କୁ ତାଙ୍କ ବିରୋଧରେ ରୁଜୁ ମାନହାନୀ ମୋକଦ୍ଦମାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି। ଏଣୁ ସଂସଦରେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି।
ମୁସଲିମ୍ ଲିଗ୍କୁ ଧର୍ମନିରପେକ୍ଷ ଦଳ କହିଲେ ରାହୁଲ ଗାନ୍ଧୀ, ବିଜେପି କହିଲା- ଏହା ତାଙ୍କ ବିବଶତା
ରାହୁଲ କହିଛନ୍ତି ଯେ ୧୯୪୭ ପରେ ଭାରତୀୟ ଇତିହାସରେ ମୁଁ ପ୍ରଥମ ବ୍ୟକ୍ତି ଯାହାଙ୍କୁ ମାନହାନୀ ମୋକଦ୍ଦମାରେ ସବୁଠୁ ବଡ଼ ଦଣ୍ଡାଦେଶ କରାଯାଇଛି। ସଂସଦରେ ମୁଁ ଦେଇଥିବା ଆଦାନୀ ଭାଷଣର ଠିକ ପର ଦିନ ମୋତେ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏଥିରୁ ଦେଶରେ କଣ ଚାଲିଛି ତାହା କେବଳ ଅନୁମାନ କରାଯାଇପାରେ ବୋଲି ରାହୁଲ କହିଛନ୍ତି। କଂଗ୍ରେସ ନେତା କହିଛନ୍ତି ଯେ ମୋତ ହତ୍ୟା ଧମକ ଦିଆଯାଉଛି, ଏଥିରେ ମୁଁ ଏତେ ଚିନ୍ତିତ ନୁହେଁ। ସମସ୍ତଙ୍କୁ ମରିବାକୁ ହେବ ଏହା ମୁଁ ମୋ ଜେଜମା ଇନ୍ଦିରା ଗାନ୍ଧି ଓ ପିତା ରାଜୀବ ଗାନ୍ଧିଙ୍କଠାରୁ ଶିଖିଛି।
ଏହା ପୂର୍ବରୁ ବୁଧବାର ରାହୁଲ ଷ୍ଟାନଫୋର୍ଡ ୟୁନିଭର୍ସିଟିରେ କହିଥିଲେ ଯେ ମୁଁ କେବେ ବି ଭାବିନଥିଲି ମାନହାନୀର ଏକ ମୋକଦ୍ଦାମାରେ ମୋତେ ଅଧିକତମ ଦଣ୍ଡାଦେଶ କରାଯିବ ଓ ଏଥି ଯୋଗୁ ମୁଁ ସଂସଦ ସଦସ୍ୟ ଭାବେ ଅଯୋଗ୍ୟ ହୋଇଯିବି। ତେବେ ଜଣେ ସାଂସଦ ଭାବେ ମୋତେ କାମ କରିବାକୁ ଢେର ସୁଯୋଗ ମିଳିଥିଲା ବୋଲି ସେ କହିଥିଲେ। ରାହୁଲ ଗାନ୍ଧି ଏବେ ୬ ଦିବସୀୟ ଆମେରିକା ଗସ୍ତରେ ଅଛନ୍ତି। ଏଥି ପାଇଁ ସେ ମଙ୍ଗଳବାର ସାନଫ୍ରାନସିସ୍କୋରେ ପହଞ୍ଚିଥିଲେ।