ସୁରକ୍ଷା ତ୍ରୁଟିକୁ ନେଇ ମୁହଁ ଖୋଲିଲେ ରାହୁଲ ଗାନ୍ଧି, କହିଲେ ବୁଲେଟ୍ ପୃଫ କାରରେ ଚାଲି ପାରିବନି ଭାରତ ଯୋଡୋ ଯାତ୍ରା
31/12/2022 at 2:41 PM

ନୂଆଦିଲ୍ଲୀ ୩୧।୧୨: ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧିଙ୍କ ସୁରକ୍ଷା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଗୃହମନ୍ତ୍ରୀଙ୍କୁ ପତ୍ର ଲେଖାଯାଇଥିଲା। ଏହାକୁ ନେଇ ସୁରକ୍ଷା ଏଜେନ୍ସୀମାନେ ମଧ୍ୟ ଜବାବ ଦେଇଛନ୍ତି। ଯେଉଁଥିରେ ରାହୁଲ ଗାନ୍ଧି ପ୍ରୋଟକଲ ଭାଙ୍ଗୁଥିବା ସୁରକ୍ଷା ଏଜେନ୍ସୀ କହିଛନ୍ତି। ଏହାକୁ ନେଇ ବିଜେପି ରାହୁଲ ଗାନ୍ଧିଙ୍କ ବିରୋଧରେ ଆକ୍ରମକ ହୋଇ ଉଠିଥିଲା। ଏବେ ରାହୁଲ ଗାନ୍ଧି ମାମଲାରେ ମୁହଁ ଖୋଲିଛନ୍ତି। କହିଛନ୍ତି ଯେ ବୁଲେଟ୍ ପ୍ରୁଫ ଗାଡିରେ ବସି ଭାରତ ଯୋଡୋ ଯାତ୍ରା ହୋଇପାରିବ ନାହିଁ।
ରାହୁଲ କହିଛନ୍ତି ଯେ ଏବେ ମୁଁ ଭାରତ ଯୋଡୋ ଯାତ୍ରାରେ ଅଛି। ସରକାର ଚାହୁଁଛନ୍ତି ଯେ ମୁଁ ବୁଲେଟ୍ ପୃଫ ଗାଡିରେ ଭାରତ ଯୋଡୋ ଯାତ୍ରା କରେ। ମୋତେ ହଇରାଣ କର ନାହିଁ। ବୁଲେଟ୍ ପୃଫ ଗାଡିରେ ବସି କନ୍ୟାକୁମାରୀରୁ କାଶ୍ମୀର ଯାତ୍ରା କର, ଏହେ ମୋତେ ସ୍ୱୀକାର ନୁହେଁ। ଭାରତ ଯୋଡୋ ଯାତ୍ରାରେ ବୁଲେଟ୍ ପୃଫ ଗାଡିରେ ବସି କେମିତି କରିବି ବୋଲି ରାହୁଲ ଓଲଟି ପ୍ରଶ୍ନ କରିଛନ୍ତି।

ଏହା ସହ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ନେତାଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସିନିୟର ନେତାମାନେ ବୁଲେଟ୍ ପୃଫ ଗାଡିରୁ ବାହାରିଲେ ଚିଠି ହେଉ ନାହିଁ। ସେମାନେ ମଧ୍ୟ ରୋଡ ସୋ କରୁଛନ୍ତି ଖୋଲା ଜିପରେ ଯାଉଛନ୍ତି ତାଙ୍କ ପାଇଁ ପ୍ରୋଟକଲ ଅଲଗା ହେଲେ ମୋତେ ଚିଠି ଲେଖା ଯାଉଛି ଯେ ଆପଣ ବୁଲେଟ୍ ପୃଫ ଗାଡିରେ ବାହାରନ୍ତୁ। ରାହୁଲ କହିଛନ୍ତି ଯେ ସିଆରପିଏଫ ବରିଷ୍ଠ ଅଧିକାରୀମାନେ ଜାଣନ୍ତି ମୋ ସୁରକ୍ଷା ପାଇଁ କଣ କରିବାକୁ ହେବ। ତେବେ ବୁଲେଟ୍ ପୃଫ ଗାଡିରେ ଯାତ୍ରା କରି ହେବନି ବୋଲି ସେ ସିଧାସିଧା କହିଛନ୍ତି।
ଏହା ଛଡା ରାହୁଲ ଗାନ୍ଧି ତାଙ୍କ ଟି-ସାର୍ଟ ସମ୍ପର୍କରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ମୋ ଟି-ସାର୍ଟ ପିନ୍ଧା ଯୋଗୁ ସେମାନେ ଡିଷ୍ଟର୍ବ ହେଉଛନ୍ତି କାହିଁକି । ସେମାନେ କଣ ଭାବିଛନ୍ତି ମୁଁ ସ୍ୱିଟର ପିନ୍ଧେ, ଲୋକଙ୍କୁ ଅସୁବିଧା କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଯାତ୍ରା ପରେ ମୁଁ ଭିଡିଓ କରିବି ଟି-ସାର୍ଟରେ କିପରି ଚଲାଯାଏ ଓ ଥଣ୍ଡାରୁ କିପରି ବର୍ତ୍ତିହେବ ବୋଲି ସେ କହିଛନ୍ତି। ରାହୁଲ କହିଛନ୍ତି ଯେ ଥଣ୍ଡାକୁ ତୁମେ ଡରୁଛ, ଏଥି ପାଇଁ ସ୍ୱିଟର ପିନ୍ଧୁଛ। ମୋତେ ଥଣ୍ଡା ଲାଗୁ ନାହିଁ ତେବେ ଭାବୁଛି ଥଣ୍ଡା ଲାଗିଲେ ସ୍ୱିଟର ପିନ୍ଧିବା ଆରମ୍ଭ କରିବି ।

ରାହୁଲ ଗାନ୍ଧି ଆରଏସଏସ ଓ ବିଜେପି ନେତାମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ ସେମାନେ ଯେତେ ଆକ୍ରମଣ କରୁଛନ୍ତି ଆମକୁ ଆମ ପୋଜିସନ ଇମ୍ପୃଭ କରିବାକୁ ଅଧିକ ସୁଯୋଗ ମିଳୁଛି। ମୁଁ ଚାହୁଁଛି ସେମାନେ ଆଉଟିକେ ଆଗ୍ରେସିଭ ହୋଇ ଆକ୍ରମଣ କରନ୍ତୁ ଯାହା ଦ୍ୱାରା କଂଗ୍ରେସ ପାର୍ଟି ଓ ମୋତେ ଲାଭ ମିଳୁ। ମୁଁ ସେମାନଙ୍କୁ ଏକପ୍ରକାର ଗୁରୁ ମନେ କରୁଛି। ଏଥିରେ ସେମାନେ ଆମକୁ ରାସ୍ତା ଦେଖାଉଛନ୍ତି ଆମକୁ କଣ କରିବା ଦରକାର ଆଉ କଣ ନ କରିବା ବୋଲି କହିଛନ୍ତି ରାହୁଲ।