ଏବେ ଟି-ସାର୍ଟରେ ଚଳୁଛି.. କାମ ନଦେଲେ ଦେଖିବା କହିଲେ ରାହୁଲ ଗାନ୍ଧି
28/12/2022 at 1:47 PM

ନୂଆଦିଲ୍ଲୀ ୨୮।୧୨: କଂଗ୍ରେସ ବୁଧବାର ୧୩୮ତମ ସ୍ଥାପନା ଦିବସ ପାଳନ କରିଛି। ଏହି ଆବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପାର୍ଟି ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟଦିନ ଭଳି ରାହୁଲ ଆଜିବି ଟି- ସାର୍ଟ ପିନ୍ଧି କାର୍ଯ୍ୟକ୍ରମକୁ ଆସିଥିବା ବେଳେ ଏଥିଲାଗି ବିଜେପିର ବୟାନବାଜୀକୁ ନେଇ ମଜାକିଆ ଜବାବ ଦେଇଥିଲେ, ଯାହା ହାସ୍ୟରୋଳ ସୃଷ୍ଟି କରିଥିଲା।

ଅବସରରେ ଜଣେ ସାମ୍ବାଦିକ ଆଜି ବି ଟି-ସାର୍ଟ.. ବୋଲି ପଚାରି ଦେଇଥିଲେ। ଏହାର ଜବାବରେ ରାହୁଲ ଟି-ସାର୍ଟରେ ଏବେ ଚଳୁଛି.. ଯେଉଁ ପର୍ଯ୍ୟନ୍ତ ଚଳୁଛି ଚଳୁ ବୋଲି କହିଥିଲେ। ଯଦି ଆଗକୁ କାମ ନଦେବ ତେବେ ଦେଖିବା ବୋଲି ରାହୁଲ ସାମ୍ବାଦିକଙ୍କୁ କହିଥିଲେ। ଉଲ୍ଲେଖ ଯୋଗ୍ୟ ଯେ ଦିଲ୍ଲୀରେ ଏବେ ଭୀଷଣ ଥଣ୍ଡା ପଡିଛି। ଏଥିରେ ରାହୁଲ ଗାନ୍ଧି ବିଭିନ୍ନ କାର୍ଯ୍ୟକ୍ରମକୁ କେବଳ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧି ପହଞ୍ଚି ଯାଉଛନ୍ତି। ଲୋକେ କୋର୍ଟ, ଜ୍ୟାକେଟ୍ ପିନ୍ଧି ଥଣ୍ଡା ସମ୍ଭାଳିପାରୁନଥିବା ବେଳେ ରାହୁଲ କିପରି ଖାଲି ଟି-ସାର୍ଟ ପିନ୍ଧି ବୁଲୁଛନ୍ତି ତାହା ଅନେକଙ୍କ ଆଶ୍ଚର୍ଯ୍ୟ କରୁଛି।

ଉତ୍ତରପ୍ରଦେଶ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ କଂଗ୍ରେସକୁ ରାହୁଲ ବାବାଙ୍କ ଜନ୍ମର ୫୨ ବର୍ଷ ପରେ ପ୍ରଥମ ଥର ନୂଆ ସ୍କିଲରେ ଦେଖିବାକୁ ମିଳୁଥିବା କହିଛନ୍ତି। ଯିଏ ଭୀଷଣ ଥଣ୍ଡାରେ ବି କେବଳ ଟି-ସାର୍ଟ ପିନ୍ଧି ବାହାରେ ବୁଲି ପାରୁଛନ୍ତି। ସେହିପରି ହରିୟାଣା କୃଷିମନ୍ତ୍ରୀ ରାହୁଲ ଗାନ୍ଧିଙ୍କ ଉପରେ କମେଣ୍ଟ କରି ରାହୁଲ ଦେଶର ସେନାକୁ କୁହନ୍ତୁ ସେ କେଉଁ ଔଷଧ ଖାଉଛନ୍ତି ବୋଲି କହିଛନ୍ତି। ତେବେ ଏହି ଅବସରକୁ ସମ୍ବୋଧିତ କରି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ଭାରତ ଯୋଡୋ ଯାତ୍ରା ଯୋଗୁ ଦେଶର କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କୁ ସଞ୍ଜିବନୀ ମିଳିଛି। ଏହା ପୂର୍ବରୁ ଖଡଗେ ଟ୍ୱିଟ୍ କରିଥିଲେ। ଏଥିରେ ଭାରତୀୟ ଜାତୀୟ କଂଗ୍ରେସ ସର୍ବଦା ସର୍ବଦା ଦେଶର ଲୋକଙ୍କ ଭଲ ଓ ପ୍ରଗତି ଲାଗି କାମ କରିଥିବା ଉଲ୍ଲେଖ କରିଥିଲେ।