ରାହୁଲ ଗାନ୍ଧୀ ରାମ ନୁହନ୍ତି, କିନ୍ତୁ ବିଜେପି ରାବଣର ପଥରେ ଚାଲୁଛି: ଜବାବ ଦେଲେ ସଲମାନ ଖୁର୍ସିଦ
28/12/2022 at 11:09 AM

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା ପରଠୁ ବିବାଦ ଜାରି ରହିଛି। ଏହାକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ବାକ୍ଯୁଦ୍ଧ ଚରମରେ ପହଞ୍ଚିଛି। ଏହି କ୍ରମରେ ବୁଧବାର କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ କହିଛନ୍ତି ରାହୁଲ ଗାନ୍ଧୀ ରାମ ନୁହନ୍ତି କିନ୍ତୁ ବିଜେପି ରାବଣର ପଥ ଅନୁସରଣ କରୁଛି। ରାହୁଲ ଗାନ୍ଧୀ ରାମ ନୁହନ୍ତି କିନ୍ତୁ ସେ ରାମଙ୍କ ପଥ ଅନୁସରଣ କରୁଛନ୍ତି। ବିଜେପି ଆମକୁ କହୁଛି ଆପଣ ରାମଙ୍କ ପଥରେ ଚାଲିବାର ଅଧିକାର ନାହିଁ। ସଲମା ଖୁର୍ସିଦ କହିଛନ୍ତି, ଆମେ ଏଥିପାଇଁ ଆପତ୍ତି କରୁଛୁ ଯେ, ବିଜେପି ରାମଙ୍କ ପରିବର୍ତ୍ତେ ରାବଣଙ୍କ ରାସ୍ତାରେ ଚାଲୁଛି।
ଏହି ବିବାଦ ସେତେବେଳେ ଆରମ୍ଭ ହେଲା ଯେତେବେଳେ ଖୁର୍ସିଦ କହିଲେ ଯେ, ରାହୁଲ ଗାନ୍ଧୀ ଜଣେ ଅଲୌକିକ ପୁରୁଷ। ଯେତେବେଳେ ଆମେ ଦିଲ୍ଲୀରେ ଭୀଷଣ ଶୀତରେ ଥରୁଛୁ ଏବଂ ଜ୍ୟାକେଟ୍ ପିନ୍ଧୁଛୁ ସେଠି ରାହୁଲ କେବଳ ଟି ସାର୍ଟ ପିନ୍ଧି ଭାରତ ଯୋଡୋ ଯାତ୍ରା କରୁଛନ୍ତି। ସେ ଯୋଗୀଙ୍କ ପରି ତପସ୍ୟା କରୁଛନ୍ତି। ସେ ଭାରତ ଯୋଡୋ ଯାତ୍ରା ଏବଂ ରାମ ଯାତ୍ରା ମଧ୍ୟରେ ସମାନ୍ତର ଥିବା କହିଛନ୍ତି। ରାମଙ୍କ କଠଉ ବହୁତ ଦୂର ପର୍ଯ୍ୟନ୍ତ ଯାତ୍ରା କରିଛି। ଯେଉଁଠି ରାମ ପହଞ୍ଚିପାରନ୍ତି ନାହିଁ ସେଠାରେ ଭରତ ତାଙ୍କ କଠଉ ଧରି ପହଞ୍ଚି ଯାଆନ୍ତି। ଠିକ୍ ସେହିପରି ଆମେ କଠଉ ନେଇ ଉତ୍ତର ପ୍ରଦେଶ ଯାଉଛୁ। ବର୍ତ୍ତମାନ କଠଉ ଉତ୍ତରପ୍ରଦେଶ ପହଞ୍ଚି ସାରିଛି। ରାମଜୀ(ରାହୁଲ ଗାନ୍ଧୀ) ମଧ୍ୟ ଆସିବେ। କଂଗ୍ରେସ କର୍ମୀ ଭରତଙ୍କ ପରି କାମ କରୁଥିବା ସଲମାନ ଖୁର୍ସିଦ କହିଥିଲେ।
ଏହାର ଜବାବ ଦେଇ ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, ଏହି ହେଉଛି ସେହି କଂଗ୍ରେସ ଯିଏ ରାମାୟଣକୁ କାଳ୍ପନିକ କହି ଆସିଛି। ଆଜି ସେହି ଦଳ ରାହୁଲଙ୍କୁ ରାମଙ୍କ ସହ ତୁଳନା କରୁଛି। ଏହିପରି କଂଗ୍ରେସ ହିନ୍ଦୁଙ୍କ ଭାବାବେଗ ସହ ଖେଳୁଛି। ଏହି ବିବାଦରେ ନିଜ ବୟାନ ସପକ୍ଷରେ ସଲମାନ ଖୁର୍ସିଦ କହିଛନ୍ତି, ସେ ରାହୁଲଙ୍କୁ ରାମଙ୍କ ସହ କେବେ ତୁଳନା କରି ନାହାନ୍ତି। କେହି ମଧ୍ୟ ଭଗବାନଙ୍କ ସ୍ଥାନ ନେଇ ପାରିବେ ନାହିଁ, କେବଳ ତାଙ୍କ ଦ୍ଵାରା ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରି ପାରିବେ।