ରାହୁଲ ଗାନ୍ଧି ଦୋଷୀ; ରାୟ ଶୁଣାଇଲେ ସୁରଟ ଜିଲ୍ଲା କୋର୍ଟ, ‘ମୋଦି’ ସର୍ନେମ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ
23/03/2023 at 11:33 AM

ଗାନ୍ଧିନଗର ୨୩/୦୩: ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ । ମାନହାନୀ ମକଦମାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ରାୟ ଶୁଣାଇଛନ୍ତି ସୁରଟ କୋର୍ଟ । ରାହୁଲ ଗାନ୍ଧିଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁରଟ ଜିଲ୍ଲା କୋର୍ଟ । ‘ମୋଦି’ ସର୍ନେମ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ ଗାନ୍ଧି । ୨୦୧୯ କର୍ଣ୍ଣାଟକର ଏକ ନିର୍ବାଚନ ରାଲିରେ ସବୁ ‘ମୋଦି’ ସର୍ନେମ୍ ଚୋର କହିଁକି ବୋଲି କହିଥିଲେ । ସେ ଲଳିତ ମୋଦି ହୁଅନ୍ତୁ କି ନୀରବ ମୋଦି କି ନରେନ୍ଦ୍ର ମୋଦି ହୁଅନ୍ତୁ । ରାହୁଲ ଗାନ୍ଧି ଏହି ବୟାନ ପରେ ସୁରଟରେ ଏକ ମାନହାନୀ ମାମଲା ରୁଜୁ ହୋଇଥିଲା । ସୁରଟ ଜିଲ୍ଲା କୋର୍ଟ ମାମଲାର ଶୁଣାଣି କରି ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଜେଲ ଦଣ୍ଡ ଶୁଣାଇଛନ୍ତି ।
ସୁରଟ୍ ସେସନ୍ କୋର୍ଟଙ୍କ ରାୟ ପରେ ରାହୁଲ ଗାନ୍ଧିଙ୍କୁ ତୁରନ୍ତ ୩୦ ଦିନ ପାଇଁ ଜାମିନ ମିଳିଛି । କୋର୍ଟ ରାହୁଲ ଗାନ୍ଧିଙ୍କୁ ଉଚ୍ଚ ଅଦାଲତରେ ଆବେଦନ ପାଇଁ ଏକ ମାସ ସମୟ ଦେଇ ଜାମିନ ପ୍ରଦାନ କରିଛନ୍ତି । ସେପଟେ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ପରେ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ପଦ ସଂକଟରେ ରହିଛି ।
ସୁରଟ୍ ଜିଲ୍ଲା କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏଚଏଚ ବର୍ମା ମାର୍ଚ୍ଚ ୧୭ ତାରିଖରେ ମାମଲାର ଶୁଣାଣି କରି ରାୟ ସୁରକ୍ଷିତ ରଖିଥିଲେ । ଗୁରବାର ଜିଲ୍ଲା କୋର୍ଟ ୪ ବର୍ଷ ପୁରୁଣା ମାମଲାରେ ରାୟ ଶୁଣାଇଛନ୍ତି । ଏହି ସମୟରେ ସୁରଟ୍ କୋର୍ଟରେ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତି ରହିଥିଲେ । ୨୦୧୯ ଅପ୍ରେଲ୍ ୧୩ ତାରିଖରେ କର୍ଣ୍ଣାଟକର ଏକ ରାଲିରେ ମୋଦି ସର୍ନେମ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୁର୍ଣ୍ଣେଶ ମୋଦି ରାହୁଲଙ୍କ ନାଁରେ ଏକ ମାନହାନୀ ମକଦମା ରୁଜୁ କରିଥିଲେ ।