କୃଷକଙ୍କ ପାଇଁ ଆଜି ରାସ୍ତାକୁ ଓହ୍ଲାଇବେ ରାହୁଲ ଗାନ୍ଧୀ, ରାଷ୍ଟ୍ରପତିଙ୍କୁ ଭେଟିବେ କଂଗ୍ରେସ ନେତା

Published By : Prameya-News7 Bureau | December 24, 2020 IST

ନୂଆଦିଲ୍ଲୀ,୨୪/୧୨: ନୂଆ କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାକୁ ପ୍ରତ୍ୟାହାର କରିବା ପାଇଁ ଅନ୍ନଦାତାମାନେ ଆନ୍ଦୋଳନ କରୁଛନ୍ତି । ଗତ ୨୮ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଛି । ଏହାମଧ୍ୟରେ ଗୁରୁବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ କୃଷକଙ୍କ ପାଇଁ ସକାଳ ୧୦ଟା୪୫ରେ ବିଜୟ ଚୌକରୁ ରାଷ୍ଟ୍ରପତି ଭବନ ଯାଏଁ ପଦଯାତ୍ରା କରିବେ । ରାହୁଲଙ୍କ ନେତୃତ୍ୱରେ ଅନ୍ୟ କଂଗ୍ରେସ ସାଂସଦ ମଧ୍ୟ ଏଥିରେ ସାମିଲ ହେବେ ।

ପଦଯାତ୍ରା ପରେ ରାହୁଲଙ୍କ ସହ ଅନ୍ୟ କଂଗ୍ରେସ ନେତା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ । ଏହାସହ ୨ କୋଟି ଦସ୍ତଖତ ଥିବା ଏକ ଦାବିପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବେ । ଏଥିରେ କୃଷି ନିୟମକୁ ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି ।

କଂଗ୍ରେସର କହିବାନୁସାରେ, କେନ୍ଦ୍ର ସକକାର କୃଷି ଆଇନ କରି କୃଷକଙ୍କୁ କଷ୍ଟ ଦେଇଛନ୍ତି । ଏପରିକି କେନ୍ଦ୍ର କୃଷି ମନ୍ତ୍ରୀ ଅନ୍ନଦାତାଙ୍କୁ ଅପମାନ କରିଛନ୍ତି । ପ୍ରବଳ ଥଣ୍ଡାରେ କୃଷକମାନେ ଧାରଣା ଦେଉଛନ୍ତି । ଏବେସୁଦ୍ଧା ୪୪ଜଣ କୃଷକଙ୍କ ଜୀବନ ଗଲାଣି ।

ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂଙ୍କ ଜନ୍ମ ଜୟନ୍ତୀ ଓ କୃଷକ ଦିବସ ଉପଲକ୍ଷେ ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇଥିଲେ । ଟିଏମସି, ଶିବସେନା ଆଦି ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରି କର୍ପୋରେଟ୍ ପ୍ରତି ଭଲ ପାଇବା ପ୍ରସଙ୍ଗରେ ଘେରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.