ଭାରତକୁ ବଦନାମ କରୁଥିବା ନେଇ ବିଜେପି ଅଭିଯୋଗର ଜବାବ ରଖିଲେ ରାହୁଲ, ଜାଣନ୍ତୁ କହିଲେ କ’ଣ?
5/03/2023 at 8:35 PM

ନୂଆଦିଲ୍ଲୀ ୫।୩: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଭାରତକୁ ବିଦେଶରେ ବଦନାମ କରୁଥିବା ନେଇ ବିଜେପି ଅଭିଯୋଗର ପ୍ରତିକ୍ରିୟା ରଖିଛନ୍ତି। ଲଣ୍ଡନରେ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ ଆସୋସିଏସନ ସହିତ କଥାବାର୍ତ୍ତାରେ ରାହୁଲ କହିଛନ୍ତି ଯେ ସେ କେବିବି ବିଦେଶ ମାଟିରେ ଭାରତର ଅପମାନ କରି ନାହାନ୍ତି। ରାହୁଲ କହିଛନ୍ତି ଯେ ତାଙ୍କ କେମ୍ବ୍ରିଜ ବ୍ୟାଖ୍ୟାନରେ ଭାରତକୁ ବଦନାମ କରିବା ଭଳି କୌଣସି କଥା ହିଁ ନଥିଲା। ତେବେ ମୋଦି ବାରମ୍ବାର ବିଦେଶରେ ଗତ ୬୦-୭୦ବର୍ଷରେ ଭାରତରେ କିଛି ହୋଇନଥିବା ବାରମ୍ବାର କହୁଥିବା ରାହୁଲ କହିଛନ୍ତି।
ମୋଦି ବିଦେଶ ମାଟିରେ ଏପରି କହି ଭାରତୀୟ ଓ ସେମାନଙ୍କ ଜେଜେ ଜେଜେମାଙ୍କୁ ଅପମାନିତ କରୁଛନ୍ତି ବୋଲି ରାହୁଲ କହିଛନ୍ତି। ତେବେ ମୁଁ କେବେବି ମୋ ଦେଶକୁ ଅପମାନ କି ବଦନାମ କରିନଥିବା ସେ କହିଛନ୍ତି। ଏଥିରେ ମୋର କୌଣସି ଆଗ୍ରହ ମଧ୍ୟ ନାହଁ ଓ କେବେବି ଏପରି କରିବିନି ବୋଲି ରାହୁଲ କହିଛନ୍ତି। ହେଲେ ବିଜେପି ମୋ ଶବ୍ଦଗୁଡିକୁ ଭାଙ୍ଗିରୁଜି ଦେଶରେ ଉପସ୍ଥାପିତ କରୁଥାଇପାରେ ବୋଲି ସେ କହିଛନ୍ତି। ଏ ନେଇ ରାହୁଲ ଗଣମାଧ୍ୟମ ଉପରେ ମଧ୍ୟ ବର୍ଷିଛନ୍ତି। ଟିଆରପି କାରଣରୁ ଭାରତରେ ଗଣମାଧ୍ୟମ ଏହା ସହିତ ଖେଳିବାକୁ ପସନ୍ଦ କରୁଥିବା ସେ କହିଛନ୍ତି।

ରାହୁଲ କହିଛନ୍ତି ବାସ୍ତବ ତଥ୍ୟ ହେଉଛି ଯେଉଁ ବ୍ୟକ୍ତି ବିଦେଶକୁ ଆସି ଭାରତକୁ ବଦନାମ କରୁଛନ୍ତି ସେ ଆଉ କେହି ନୁହନ୍ତି ଆମ ପ୍ରଧାନମନ୍ତ୍ରୀ। ଦେଶରେ ଆରଏସଏସ ଓ ବିଜେପିକୁ ହରାଇବା ଏବେ ଲୋକଙ୍କ ମନର ଗଭୀରତାରେ ବସାବାନ୍ଧିଗଲାଣି। ସେ କହିଛନ୍ତି ଯେ ଭାରତ ଯୋଡୋ ଯାତ୍ରା କାଳରେ ଅନେକ ଦୃଷ୍ଟିକୋଣ ଥିଲା। ଏହି ଯାତ୍ରାରେ ଅଣ୍ଡର କରେଣ୍ଟ ମଧ୍ୟ ଥିଲା। ତେବେ ଆମେ ସଂସ୍ଥାଗତ ଢାଞ୍ଚା ସହ ଲଢେଇ କରୁଛେ। ଆରଏସଏସ ଓ ବିଜେପି ସେହି ସବୁ ସଂସ୍ଥା (ଯାଞ୍ଚ ଏଜେନ୍ସୀ)ଙ୍କୁ ହାତକୁ ନେଇ ଯାଇଛନ୍ତି ଯେଉଁ ଗୁଡିକ ନିରପକ୍ଷେ ରହିବା କଥା ବୋଲି ରାହୁଲ କହିଛନ୍ତି।
ରାହୁଲ ତାଙ୍କ କେମ୍ବ୍ରିଜ ଭାଷଣରେ ଭାରତୀୟ ଗଣତନ୍ତ୍ର ଉପରେ ଆକ୍ରମଣ ହେଉଥିବା କହିଥିଲେ। କାରଣ ନ୍ୟାୟପାଳିକା ସହିତ ଏଜେନ୍ସୀ ଓ ମିଡିଆ ଉପରେ ସରକାରଙ୍କ ଦ୍ୱାରା ଆକ୍ରମଣ ହେଉଛି। ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ବାସ୍ତୁ କଳାକୁ ଭାଙ୍ଗୁଛନ୍ତି ଓ ଏପରି ବିଚାର ଥୋପୁଛନ୍ତି ଯାହାକୁ ଭାରତ କେବେ ଆତ୍ମସାତ କରିପାରିବନି। ବିଜେପି ସରକାର ବିରୋଧୀ ଦଳ ନେତାଙ୍କ ଉପରେ ନଜର ରଖୁଥିବା ଅଭିଯୋଗ କରି ରାହୁଲ କହିଛନ୍ତି ଯେ ତାଙ୍କ ଫୋନରେ ବି ପେଗାସସ ଥିଲା ଓ ଗୁଇନ୍ଦା ଅଧିକାରୀମାନେ ତାଙ୍କ କଲ ଟ୍ରାକ୍ ହେଉଥିବା କହିଥିଲେ।

ତେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ରାହୁଲଙ୍କୁ କରାଯାଇଥିବା ପ୍ରଶ୍ନକୁ ସେ ଟାଳି ଯାଇଛନ୍ତି। ସେ କହିଛନ୍ତି ଯେ ଏହା ଉପରେ ମୁଁ ଏପର୍ଯ୍ୟନ୍ତ ଚର୍ଚ୍ଚା କରି ନାହିଁ। ତେବେ ଆମର ଲକ୍ଷ ଦେଶରେ ବିଜେପି ଓ ଆରଏସଏସକୁ ହରାଇବା ବୋଲି କହିଛନ୍ତି। ହେଲେ କେମ୍ବ୍ରିଜ ଭାଷଣରେ ସେ ଏପରି କୌଣସି ଓଲଟା ସିଧା କଥା କହିନଥିବା ରାହୁଲ କହିଛନ୍ତି। କିନ୍ତୁ ଶବ୍ଦକୁ ଭାଙ୍ଗିରୁଜି ଉପସ୍ଥାପିତ କରିବା ବିଜେପିର ସୌକ ବୋଲି କହିଛନ୍ତି। ରାହୁଲ କହିଛନ୍ତି ଯେ ବିଜେପି ଚାହେଁ ସବୁ କିଛି ଶାନ୍ତ ରହୁ। ଯାହା ଦ୍ୱାରା ଭାରତକୁ ସେ ନିଜର ନିକଟତମ ବନ୍ଧୁଙ୍କ ମଧ୍ୟରେ ବାଣ୍ଟି ପାରିବେ। ସେମାନେ ଚାହାନ୍ତି ଲୋକଙ୍କ ଧ୍ୟାନ ଭଗ୍ନ ହେଉ ଓ ଭାରତର ସମ୍ପତ୍ତିକୁ ତିନି,ଚାରି ପାଞ୍ଚଜଣଙ୍କ ମଧ୍ୟରେ ବାଣ୍ଟି ଦିଆଯାଉ ବୋଲି କହିଛନ୍ତି।