ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ହିଣ୍ଡନବର୍ଗ ରିପୋର୍ଟକୁ ନେଇ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ରିପୋର୍ଟକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ ଛୋଟ, ଖୁଚୁରା ନିବେଶକଙ୍କ ସମ୍ପତ୍ତି ସୁରକ୍ଷାର ଦାୟିତ୍ୱ ନେଇଥିବା ରେଗୁଲେଟର ସେବିର ବିଶ୍ୱସନୀୟତାକୁ ଏହାର ଅଧ୍ୟକ୍ଷଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଆଘାତ ଦେଇଛି।
ରାହୁଲ ଗାନ୍ଧି କହିଛନ୍ତି ଯେ ସାରା ଦେଶର ସଚ୍ଚୋଟ ନିବେଶକ ଏବେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି, ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍ ଏପର୍ଯ୍ୟନ୍ତ ଇସ୍ତଫା ଦେଇ ନାହାନ୍ତି କାହିଁକି? ଯଦି ନିବେଶକ ସେମାନଙ୍କ କଷ୍ଟାର୍ଜିତ ନିବେଶ ହରାଇବେ ତେବେ ଏଥିପାଇଁ କିଏ ଦାୟି ହେବେ, ସେବି ଅଧ୍ୟକ୍ଷା ନା ଗୌତମ ଆଦାନୀ? ସାମ୍ନାକୁ ଆସିଥିବା ନୂଆ ତଥା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଧାରରେ ସୁପ୍ରିମକୋର୍ଟ ପୁଣି ଥରେ ଏହି ମାମଲାର ସ୍ୱତଃ ସଂଜ୍ଞାନ ନେଇ ଯାଞ୍ଚ କରିବେ କି?
କଂଗ୍ରେସ ମଧ୍ୟ ସେବି ଉପରେ ଉଠାଇଛି ପ୍ରଶ୍ନ
ଏହା ପୂର୍ବରୁ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ ଆଦାନୀ ମହାଘୋଟାଲା ଏବେ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଏହା ପୂର୍ବରୁ ଯେବେ ତମାମ ଅଭିଯୋଗ ହେଉଥିଲା ମାମଲା ସେବିଙ୍କ ନିକଟକୁ ଯାଇଥିଲା, ହେଲେ କିଛି ହୋଇ ନଥିଲା। ଶ୍ରୀନେତ କହିଛନ୍ତି ଯେ ଏବେ ଜଣାପଡିଲା ସେହି ପାଣ୍ଠିରେ ସେବି ଅଧ୍ୟକ୍ଷାଙ୍କ ନିବେଶ ଥିଲା। କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ ଏହାର କନେକ୍ସନ ବିନୋଦ ଆଦାନୀଙ୍କ ସହ ରହିଛି, ଯିଏ ଗୌତମ ଆଦାନୀଙ୍କ ଭାଇ। ଶ୍ରୀନେତ କହିଛନ୍ତି ଯେ ବୁଚ୍ ଦମ୍ପତ୍ତି ସିଙ୍ଗାପୁରରେ ନିବେଶ କରିଥିଲେ। ରିପୋର୍ଟ ଆଧାରରେ ଶ୍ରୀନେତ କହିଛନ୍ତି ଯେ ଏହି ନିବେଶ ୨୦୧୭ରୁ ୨୦୨୨ ମଧ୍ୟରେ ହୋଇଥିଲା ଓ ଏହା ସେତେବେଳେ ହୋଇଥିଲା ଯେତେବେଳେ ମାଧବୀ ପୁରୀ ବୁଚ୍ ସେବିର ପୂର୍ଣ୍ଣକାଳୀନ ସଦସ୍ୟା ଥିଲେ ଓ ସିଙ୍ଗାପୁର କମ୍ପାନୀରେ ତାଙ୍କ ୧୦୦ ପ୍ରତିଶତ ଷ୍ଟେକ୍ ଥିଲା।
The integrity of SEBI, the securities regulator entrusted with safeguarding the wealth of small retail investors, has been gravely compromised by the allegations against its Chairperson.
— Rahul Gandhi (@RahulGandhi) August 11, 2024
Honest investors across the country have pressing questions for the government:
- Why… pic.twitter.com/vZlEl8Qb4b
ସେବି ମୁଖିଆଙ୍କ ଅଫସୋର ନିବେଶ ଉପରେ ଉଠିଛି ପ୍ରଶ୍ନ
କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ ବୁଚ୍ ଗୌତମ ଆଦାନୀଙ୍କ ଭାଇ ବିନୋଦ ଆଦାନୀ ସମ୍ପର୍କିତ ଅଫସୋର ସଂସ୍ଥାଙ୍କ ସମ୍ବଦ୍ଧିତ ପାଣ୍ଠିରେ ନିବେଶ କରିଥିଲେ। ଶ୍ରୀନେତଙ୍କ ଅନୁସାରେ ରିପୋର୍ଟରେ ଅଗୋରା କନସଲ୍ଟିଂର ଉଲ୍ଲେଖ କରାଯାଇଛି, ଯାହା ମାଧବୀ ପୁରୀ ବୁଚଙ୍କ ମାଲିକାନାଧୀନ ସଂସ୍ଥା ଅଟେ। ଏହି କମ୍ପାନୀକୁ ଭାରତରେ ମଧ୍ୟ ଖୁବ ବ୍ୟବସାୟ ମିଳିଥିଲା। ରିପୋର୍ଟରେ ମାଧବୀଙ୍କ ଅଗୋରାର ମାଲିକ ହେବାଠାରୁ ସେବି ମୁଖ୍ୟ ହେବା ପର୍ଯ୍ୟନ୍ତ ରିପୋର୍ଟରେ ଚର୍ଚ୍ଚା କରାଯାଇଛି ଓ ଏହି କଥାର ମଧ୍ୟ ଚର୍ଚା କରାଯାଇଛି ଯେ ମାଧବୀ କିପରି ତାଙ୍କ କମ୍ପାନୀର ନେତୃତ୍ୱ ତାଙ୍କ ସ୍ୱାମୀଙ୍କୁ ଦେଇଥିଲେ।
ହିଣ୍ଡନବର୍ଗ ରିପୋର୍ଟ ଆଧାରରେ ଶ୍ରୀନେତ କହିଛନ୍ତି ଯେ ସେବି ମୁଖ୍ୟଙ୍କ ପତି ବ୍ଲାକଷ୍ଟୋନର ବରିଷ୍ଠ ପରାମର୍ଶଦାତା ଓ ସେ ରିୟଲ ଇଷ୍ଟେଟ ଇନଭେଷ୍ଟମେଣ୍ଟ ଟ୍ରଷ୍ଟ (ଆରଇଆଇଟି)କୁ ପ୍ରମୋଟ କରନ୍ତି। କଂଗ୍ରେସ କହିଛି ଯେ ବୁଚଙ୍କ ଅଫସୋର ନିବେଶ, ତାଙ୍କ କନସଲ୍ଟିଂ ଫାର୍ମ ଅଗୋରା ଓ ବ୍ଲାକଷ୍ଟୋନ ମଧ୍ୟରେ ସମ୍ପର୍କଥିବାର ରିପୋର୍ଟରେ ଉଲ୍ଲେଖ ରହିଛି।
କଂଗ୍ରେସ କରିଛି ଏହି ପ୍ରଶ୍ନ
କଂଗ୍ରେସ ପଚାରିଛି ଏବେର ମୁଖ୍ୟ ପ୍ରଶ୍ନ ହେଉଛି ଏହା ସତ୍ତ୍ୱେ ମାଧବୀ ବୁଚ୍ ସେବି ମୁଖ୍ୟ ରହିବେକି? କାରଣ ରିପୋର୍ଟ ରେଗୁଲେଟରୀର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲଗାଉଛି। ଏହା ଏବେ ପ୍ରଧାନମନ୍ତ୍ରୀଙ୍କ ସଚ୍ଚୋଟତା ପ୍ରତି ମଧ୍ୟ ପ୍ରଶ୍ନଚିହ୍ନ ଲଗାଇଛି। ଏହା ଛଡା କଂଗ୍ରେସ ମୁଖପାତ୍ର ଅନେକ ପ୍ରଶ୍ନ ମଧ୍ୟ କରିଛନ୍ତି। ସେ ପଚାରିଛନ୍ତି ଯେ ଯେବେ ସେ ସେବିରେ ପୂର୍ଣ୍ଣକାଳୀନ ନିର୍ଦ୍ଦେଶିକା ଥିଲେ ସେତେବେଳେ ସେ ତାଙ୍କ ପାଖରେ ଥିବା ପାଣ୍ଠି ଓ ଅଗୋରା କନସଲ୍ଟିଂର ବିବରଣୀ ଦେଇଥିଲେତ? ଏହା ଛଡା ସୁପ୍ରିୟା ଶ୍ରୀନେତ ଅଗୋରା କନସଲ୍ଟିଂକୁ କେଉଁ ସଂସ୍ଥା କାରବାର ଦେଇଛନ୍ତି ଓ କେଉଁସଂସ୍ଥା ଏହା ସହ ଏବେବି କାରବାର କରୁଛନ୍ତି ସେ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି।