ଚା' ପିଇବାକୁ କୃଷକ ଘରେ ଅଟକିଲେ ରାହୁଲ ଗାନ୍ଧୀ, ମଉକା ପାଇ ରାହୁଲଙ୍କ ପାଖରେ ଇଲେକ୍ଟ୍ରିକ୍ ବିଲ୍‌ ନେଇ ଅଭିଯୋଗ କଲେ କୃଷକ

Published By : Prameya-News7 Bureau | December 12, 2022 IST

ନୂଆଦିଲ୍ଲୀ: ବର୍ତ୍ତମାନ ରାଜସ୍ଥାନରେ ରାହୁଲଙ୍କର ଭାରତ ଯୋଡ଼ ଯାତ୍ରା ଜାରି ରହିଛି। ସୋମବାର ରାଜସ୍ଥାନରେ ଏହାକୁ ୭ଦିନ ପୂରିଥିବା ବେଳେ ଆଜି ଜଣେ କୃଷକଙ୍କ ଘରୁ ଚା ପିଇବାକୁ ଯାଇଥିବା ରାହୁଲ ଗାନ୍ଧୀଙ୍କୁ ହଟହଟା ହେବାକୁ ପଡ଼ିଛି। ରାହୁଲ ଚା ପିଇବାକୁ ଯାଇଥିବା ବେଳେ କୃଷକ ପରିବାର ତାଙ୍କୁ ସିଧା ବିଜୁଳି ବିଲ୍‌ର ସମସ୍ୟା କଥା କହିଥିଲେ।

ଡିସେମ୍ବର ୫ ତାରିଖରେ ରାଜସ୍ଥାନରେ ରାହୁଲଙ୍କର ଭାରତ ଯୋଡ଼ଯାତ୍ରା ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଓ ସଚିନ ପାଇଲଟଙ୍କ ସମେତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ନାଚ ଗୀତ କରି ଏହାକୁ ରାଜସ୍ଥାନରେ ସ୍ୱାଗତ କରିଥିଲେ। ସୋମବାର ଏହାକୁ ୭ ଦିନ ପୂରିଥିବା ବେଳେ ରାହୁଲଙ୍କୁ କୃଷକ ପରିବାର ପକ୍ଷରୁ ଏହି ଅଭିଯୋଗ ଶୁଣିବାକୁ ମିଳିଛି।

ରାହୁଲ ଆଜି ବୁନ୍ଦୀର ସୱାଇ ମଧୋପୁର ଜିଲ୍ଲା ଗସ୍ତରେ ଥିଲେ। ଆଜି ସକାଳେ ୮.୩୦ରେ ରାହୁଲ ଖିଜୁରୀର ଜଣେ କୃଷକଙ୍କ ଘରେ ଚା ପିଇବାକୁ ଅଟକିଥିଲେ। ଆଉ ମଉକା ପାଇ କୃଷକ ବେଣୀପ୍ରସାଦ ମୀନା ରାହୁଲଙ୍କ ସିଧା ତାଙ୍କ ସମସ୍ୟା ଜଣାଇଥିଲେ। ଅଧିକ ଇଲେକ୍ଟ୍ରିକ୍ ବିଲ୍ ଦେବାକୁ ତାଙ୍କୁ ବାଧ୍ୟ କରାଯାଉଛି। ଗାଁର ଲୋକଙ୍କୁ ବିଜୁଳି ବିଲ୍‌ର କୌଣସି କୋହଳ କରାଯାଉ ନାହିଁ ବୋଲି ମୀନା ଅଭିଯୋଗ କରିଛନ୍ତି।

ମୀନା କହିଛନ୍ତି ବିଜୁଳି ବିଲ୍ ମିଟର ଅନୁସାରେ ଅସୁନାହିଁ। ବିଭାଗ ନିଜ ଇଚ୍ଛା ଅନୁସାରେ ବିଲ୍ ପଠାଉଛି।ଏବଂ ଗ୍ରାହକଙ୍କୁ ଦେବାକୁ ବାଧ୍ୟ କରୁଛି। ପୂରା ଗାଁରେ ଏଭଳି ସ୍ଥିତି ବୋଲି ରାହୁଲଙ୍କୁ କହିଛନ୍ତି ମୀନା। କେବଳ ସେତିକି ନୁହେଁ ସାର ବିଷର ବର୍ଦ୍ଧିତ ମୂଲ୍ୟକୁ ନେଇ କୃଷକମାନେ ହଇରାଣ ହେଉଥିବା କଥା ମଧ୍ୟ କହିଥିଲେ ମୀନା।

ଏନେଇ ମୀନା କହିଛନ୍ତି ଯେ ସାର ବେଗର ମୂଲ୍ୟ ୨୭୦ ଟଙ୍କା ଥିବା ବେଳେ ଏହା  ୬୦୦ ଟଙ୍କାରେ ବିକ୍ରି ହେଉଛି। ବ୍ଲାକ୍ ମାର୍କେଟିଂ ଏପରି ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏସବୁ ପରେ ଯେ ରାହୁଲ ଗାନ୍ଧୀ ତାଙ୍କ ଘରେ ଆସି ଚା ପିଇବେ ସେ ଏକଥା କେବେ ବି ଭାବିପାରି ନଥିଲେ ବୋଲି ମୀନା କହିଛନ୍ତି। ରାହୁଲଙ୍କ ସହ ପ୍ରିୟଙ୍କା ମଧ୍ୟ ଥିଲେ। ମୀନାଙ୍କର ୩ ଝିଅ ଦୁଇ ପୁଅ ହୋଇଥିବା ବେଳେ ସମସ୍ତଙ୍କୁ ରାହୁଲ ଚୋକୋଲେଟ୍ ଦେଇଥିଲେ ବୋଲି ମୀନା କହିଛନ୍ତି।

ସୂଚନା ଥାଉକି କଂଗ୍ରେସର ଭାରତ ଯୋଡ଼ ଯାତ୍ରା ସେପ୍ଟେମ୍ବର ୭ ତାରିଖରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା। ସେଠାରୁ ଆରମ୍ଭ ହୋଇ ଏହା ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ କଭର କରିସାରିଛି। ଏବେ ରାଜସ୍ଥାନରେ ୭ ଦିନ ହେବା ଭାରତ ଯୋଡ଼ ଯାତ୍ରା କାର୍ଯ୍ୟକ୍ରମ ଚଳାଇଛନ୍ତି ରାହୁଲ୍।

ତେବେ ଏପର୍ଯ୍ୟନ୍ତ କଭର ହୋଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରାଜସ୍ଥାନ ହେଉଛି ପ୍ରଥମ କଂଗ୍ରେସ ଶାସିତ ରାଜ୍ୟ। ଦଳ ୧୭ ଦିନରେ ଏଠି ୫୦୦ କିମି କଭର କରିବ। ଏହାପରେ ଡିସେମ୍ବର ୨୧ ତାରିଖରେ ହରିୟାଣାରେ ଯାତ୍ରା ଆରମ୍ଭ ହେବ।


  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.