ଭୋପାଳ: ଆରଏସଏସ କଦାପି ଜୟ ଶ୍ରୀରାମ କିମ୍ବା ଜୟ ସୀତା ରାମର ନାରା ଦେବ ନାହିଁ। କାରଣ ତାଙ୍କ ସଂଗଠନରେ ଜଣେ ହେଲେ ସୀତା ନାହାନ୍ତି। ଭାରତ ଯୋଡୋ ରାଲି ସମୟରେ ମଧ୍ୟ ପ୍ରଦେଶରେ ଏହା କହିଛନ୍ତି କଂଗ୍ରେସର ଓ୍ଵାଇନାଡ ସାଂସଦ ରାହୁଲ ଗାନ୍ଧୀ। ଏହା ସେମାନଙ୍କ ପାଇଁ ସହଜ ହେବ ନାହିଁ,କାରଣ ଆରଏସଏସର ସଭାରେ ଜଣେ ହେଲେ ମହିଳା ଆସନ୍ତି ନାହିଁ। ସୀତାକୁ ସେମାନେ ବାହାରକୁ ଫିଙ୍ଗି ଦେଇଛନ୍ତି ବୋଲି ରାହୁଲ କହିଛନ୍ତି।
ମଧ୍ୟ ପ୍ରଦେଶର ଆଗାର ମାଲଓ୍ଵାରେ ଏକ ଜନସଭାକୁ ସମ୍ବୋଧିତ କରି ଏହା କହିଛନ୍ତି ରାହୁଲ ଗାନ୍ଧୀ। ସେ କହିଛନ୍ତି, ମଧ୍ୟ ପ୍ରଦେଶରେ ପଣ୍ଡିତ ମୋ ନିକଟକୁ ଆସିଥିଲେ। କହିଲେ ଭଗବାନ ରାମ ଜଣେ ତପସ୍ଵୀ। ସେ ନିଜ ଜୀବନକୁ ତପସ୍ୟାରେ କାଟିଛନ୍ତି। ଗାନ୍ଧୀ ଜୀ ହେ ରାମ ଶବ୍ଦକୁ ପ୍ରୟୋଗ କରୁଥିଲେ। ତାଙ୍କର ଏହା ଏକ ସ୍ଲୋଗାନ ଥିଲା। ପଣ୍ଡିତ ଆଉ ଏକ ସ୍ଲୋଗାନ ଦେଇଥିଲେ ଯେ, ଜୟ ଶ୍ରୀରାମ କିମ୍ବା ଜୟ ସୀତା ରାମ। ଏହାର ଅର୍ଥ ରାମ ଯେଉଁଠି ସୀତା ସେଇଠି। ଭଗବାନ ରାମ ସୀତାଙ୍କ ପାଇଁ କଣ ନାହିଁ କରିଛନ୍ତି। ସେ ସୀତାଙ୍କ ପାଇଁ ଲଢେଇ କରିଥିଲେ। ଆମେ ସେହି ସ୍ଥାନକୁ ସମ୍ମାନ କରୁ ଯେଉଁଠି ରାମ ସୀତାଙ୍କ ପାଇଁ ସବୁ କିଛି କରିଥିଲେ। ତୃତୀୟ ସ୍ଲୋଗାନ ହେଉଛି ଜୟ ଶ୍ରୀରାମ, ଯେଉଁଠି ଆମେ ଭଗବାନ ରାମଙ୍କ ପ୍ରଶଂସା କରୁଛୁ।
ଏହା ପରେ ପଣ୍ଡିତ ମୋତେ କହିଥିଲେ, ବିଜେପିର ପ୍ରତିଟି ସ୍ଲୋଗାନରେ ଜୟ ଶ୍ରୀରାମ ଶୁଣିବାକୁ ପାଇବେ। କିନ୍ତୁ କେବେ ବି ଜୟ ସିୟା ରାମ ଶୁଣିବାକୁ ପାଇନଥିବେ। ମୁଁ ଜୟ ସିୟା ରାମଙ୍କୁ ବହୁତ ଭଲ ପାଏ ବୋଲି ରାହୁଲ କହିଛନ୍ତି।