ଚାକିରୀ କରିଥିଲେ ରାହୁଲ ଗାନ୍ଧି, ଜାଣନ୍ତୁ ପ୍ରଥମ ବେତନ ମିଳିଥିଲା କେତେ?
22/01/2023 at 4:55 PM

- –ଭାରତ ଯୋଡୋ ଯାତ୍ରାରେ ଲୋକ, ସେମାନଙ୍କ ସମସ୍ୟା ଓ ସଂସ୍କୃତିର ପ୍ରତ୍ୟକ୍ଷ ଅଭିଜ୍ଞତା କରିଛନ୍ତି ରାହୁଲ ଗାନ୍ଧି
- –ତାଙ୍କ ବ୍ୟକ୍ତିଗତ ଜୀବନର ଅନେକ ତଥ୍ୟ ଆସିଛି ସାମ୍ନାକୁ
- -ଲଣ୍ଡନରେ କରିଥିଲେ ଚାକିରୀ, ପାଇଥିଲେ ୨୫୦୦ ପାଉଣ୍ଡ ଦରମା
ନୂଆଦିଲ୍ଲୀ ୨୨।୧: ରାହୁଲ ଗାନ୍ଧିଙ୍କ କନ୍ୟାକୁମାରୀରୁ କାଶ୍ମୀର ଭାରତ ଯୋଡୋ ଯାତ୍ରା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଦକ୍ଷିଣରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ରାଜସ୍ଥାନ ସମେତ ଅନେକ ରାଜ୍ୟ ଦେଇ ଗତି କରିଛି। ଏହି ଯାତ୍ରା କାଳରେ ରାହୁଲ ସ୍ଥାନୀୟ ଲୋକ, ସେମାନଙ୍କ ସମସ୍ୟା ଓ ସଂସ୍କୃତି ଆଦିକୁ ପ୍ରତ୍ୟକ୍ଷ ଅନୁଭୂତି କରିବାର ସୁଯୋଗ ପାଇଛନ୍ତି। ଏହି ପଦଯାତ୍ରା କାଳରେ ରାହୁଲଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କିତ ଅନେକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ରାହୁଲଙ୍କ ଜୀବନର ପ୍ରଥମ ଚାକିରୀ କଥା ମଧ୍ୟ ଜଣାପଡିଛି।
ନିକଟରେ ରାହୁଲ ଏକ ସାକ୍ଷାତକାରରେ ଅନେକ ବର୍ଷ ପୂର୍ବେ ଏକ କମ୍ପାନୀରେ ଚାକିରୀ କରିଥିବାର କହିଛନ୍ତି। ତେବେ ଏ କଥା ରାହୁଲ ତାଙ୍କ ବ୍ୟକ୍ତିଗତ ୱେବସାଇଟ୍ରେ ବି ଉଲ୍ଲେଖ କରିଛନ୍ତି। ତେବେ ରାହୁଲଙ୍କ ଚାକିରୀ ଓ ତାଙ୍କ ବେତନ କଥା ଖୁବ୍ କମ୍ ଲୋକଙ୍କୁ ଜଣାଥିବ। ‘କର୍ଲ ଟେଲସ୍’ ନାମକ ଏକ ୟୁ ଟ୍ୟୁବ୍ ଚାନେଲକୁ ସାକ୍ଷାତକାର ଦେବା କାଳରେ ରାହୁଲ ଲଣ୍ଡନରେ କରିଥିବା ତାଙ୍କ ପ୍ରଥମ ଚାକିରୀର କଥା କହିଥିଲେ। ଏହି କମ୍ପାନିର ନାମ ‘ମନିଟର’ଥିଲା ଓ ଏହା ଏକ ଷ୍ଟ୍ରାଟେଜିକ କନସଲ୍ଟିଂ କମ୍ପାନୀ ଥିଲା। ଏଥିରେ ସେ କହିଛନ୍ତି ଯେ ତାଙ୍କୁ ଚେକ୍ରେ ମିଳିଥିବା ପ୍ରଥମ ଦରମା ସେତେବେଳ ସମୟରେ ଯଥେଷ୍ଟ ଅଧିକ ଥିଲା।

ତେବେ ସେ ପାଇଥିବା ପ୍ରଥମ ବେତନରେ କଣ କରିଥିଲେ ପଚରାଯିବାରେ ସେତେବେଳେ ରାହୁଲ ଭଡା ଘରେ ରହୁଥିଲେ ଓ ପାଇଥିବା ବେତନ ସେହି ସବୁ ଖର୍ଚ୍ଚରେ ବ୍ୟୟ ହୋଇଥିଲା ବୋଲି କହିଥିଲେ। ତେବେ ରାହୁଲଙ୍କ ପ୍ରଥମ ପେ ଚେକ୍ କେତେ ଥିଲା ସେ ସମ୍ପର୍କରେ ପଚରା ଯିବାରେ ସେ ୨ହଜାର ୫୦୦ ପାଉଣ୍ଡ ପାଖାପାଖି ୩ ହଜାର ପାଉଣ୍ଡ ପାଇଥିଲେ ବୋଲି କହିଥିଲେ। ସେତେବେଳେ ରାହୁଲଙ୍କ ବୟସ ମାତ୍ର ୨୫ ବର୍ଷ ଥିଲା। ରାହୁଲ ଯେତେବେଳେ ରାଗନ୍ତି ସେତେବେଳେ ସେ କେଉଁ ୩ଟି ଶବ୍ଦ ଉଚ୍ଚାରଣ କରନ୍ତି ବୋଲି ପ୍ରଶ୍ନରେ ସେ ପ୍ରାୟତଃ ଏପରି ପରିସ୍ଥିତିରେ ଚୁପ ହୋଇଯାଆନ୍ତି ବୋଲି କହିଛନ୍ତି। ତେବେ ପ୍ରାୟ ‘ଡୋଣ୍ଟ ଡୁ ଦ୍ୟାଟ୍’ କହିଥାନ୍ତି ବୋଲି ସେ କହିଛନ୍ତି।
ରାହୁଲଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଏହି ସାକ୍ଷାତକାରରେ ଅନେକ କିଛି ପଚରା ଯାଇଥିଲା। ଯେପରିକି ବେଡ ସାଇଡ୍ରେ ଥିବା ଡ୍ରରେ ସେ କଣ ରଖନ୍ତି ବୋଲି ପଚରାଯିବାରେ ସେଥିରେ ସେ ପାସପୋର୍ଟ, ଆଇିଡି, ରୁଦ୍ରାକ୍ଷ, ଭଗବାନ ଶିବ ଓ ବୁଦ୍ଧଙ୍କ ଫଟୋ, ପର୍ସ ଓ ଫୋନ ରଖିଥାନ୍ତି ବୋଲି କହିଛନ୍ତି। ତେବେ ସେ ସୋସିଆଲ ମିଡିଆରେ ଅଧିକ ସମୟ ବିତାଉ ନଥିବା ସ୍ୱୀକାର କରିଛନ୍ତି। ସେହିପରି ସେ ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଏପରି ୩ଟି କାମ ଯାହା ସେ କରିବାକୁ ଚାହାନ୍ତି ବୋଲି ମଧ୍ୟ ରାହୁଲଙ୍କୁ ପଚରା ଯାଇଥିଲା। ପ୍ରଶ୍ନର ଜବାବରେ ରାହୁଲ ଦେଶରେ ଶିକ୍ଷାର ଟ୍ରାନ୍ସଫର୍ମେସନ ପ୍ରଥମେ କରିବାକୁ ଚାହିଁବେ ବୋଲି କହିଥିଲେ। ସେହିପରି କୃଷକ, ଶ୍ରମିକ ଓ ବେକାର ଯୁବକଙ୍କୁ ସୁରକ୍ଷା ଦେବାକୁ ଚାହିଁବେ ଏବଂ ଉତ୍ପାଦକତା କ୍ଷେତ୍ରରେ ଜଡିତ ଲୋକଙ୍କ ସହାୟତା କରିବେ ବୋଲି ରାହୁଲ କହିଛନ୍ତି।