କେରଳ ୱାଇନାଡରୁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଜାଣନ୍ତୁ ତାଙ୍କର ମୋଟ ସମ୍ପତ୍ତି ଓ ନଗଦ ପରିମାଣ

Published By : Prameya-News7 Bureau | April 03, 2024 IST

ୱାଇନାଡ  ୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧି ବୁଧବାର କେରଳର ୱାଇନାଡ ଆସନରୁ ୨୦୨୪ ଲୋକସଭା ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ରରେ ରାହୁଲ ଯେଉଁ ନିର୍ବାଚନୀ ସତ୍ୟପାଠ ଦାଖଲ କରିଛନ୍ତି ସେହି ଅନୁସାରେ ତାଙ୍କ ନିକଟରେ ଏବେ ନଗଦ ୫୫ ହଜାର ଟଙ୍କା ଅଛି। ୨୦୨୨-୨୩ ଆର୍ଥିକ ବର୍ଷରେ ରାହୁଲ ଗାନ୍ଧିଙ୍କ ମୋଟ ଆୟ ୧,୦୨,୭୮,୬୮୦ ଟଙ୍କା ଥିଲା। ରାହୁଲ ତାଙ୍କ ଆଫିଡେଭିଟରେ ସୂଚୀତ କରିଛନ୍ତି ଯେ ତାଙ୍କ ନାମରେ ବ୍ୟାଙ୍କରେ ୨୬.୨୫ ଲକ୍ଷ ଟଙ୍କା ଡିପୋଜିଟ ଅଛି। 

ରାହୁଲ ସେୟାର ବଜାରରେ ମଧ୍ୟ ନିବେଶ କରିଛନ୍ତି। ମାର୍କେଟରେ ତାଙ୍କର୪ କୋଟି ୩୩ ଲକ୍ଷ ଟଙ୍କା ନିବେଶ  ରହିଛି। ସେ ମ୍ୟୁଚୁଆଲ ଫଣ୍ଡରେ ୩.୮୧ କୋଟି ଟଙ୍କା ନିବେଶ କରିଥିବାର ନିର୍ବାଚନୀ ସତ୍ୟପାଠରେ ସୂଚିତ କରିଛନ୍ତି। ଏହା ଛଡା ସଭରେନ ଗୋଲ୍ଡ ବଣ୍ଡରେ ତାଙ୍କର ୧୫.୨ଲକ୍ଷ ଟଙ୍କା ନିବେଶ କରିଥିବା ବେଳେ ତାଙ୍କର ୪.୨ ଲକ୍ଷ ଟଙ୍କାର ଜ୍ୱେଲରୀ ମଧ୍ୟ ଅଛି। ଏହା ଛଡା ରାହୁଲ ଗାନ୍ଧିଙ୍କ ନାମରେ ଏନଏସଏସ, ପୋଷ୍ଟାଲ ସେଭିଙ୍ଗସ ଓ ଇନସ୍ୟୋରାନ୍ସ ପଲିସିରେ ପାଖାପାଖି ୬୧.୫୨ଲକ୍ଷ ଟଙ୍କା ରହିଛି। 

ରାହୁଲଙ୍କର ମୋଟ ୯,୨୪,୫୯,୨୬୪ ଟଙ୍କାର ଚଳନ୍ତି ସମ୍ପତ୍ତି ଅଛି। ସେହିପରି ତାଙ୍କ ଅଚଳନ୍ତି ସମ୍ପତ୍ତିର ମୋଟ ମୂଲ୍ୟ ୧୧,୧୪,୦୨,୫୯୮ ଟଙ୍କାର ବୋଲି ଦର୍ଶାଇଛନ୍ତି। ଏହିପରି ତାଙ୍କର ମୋଟ ସମ୍ପତ୍ତି ୨୦,୩୮,୬୧,୮୬୨ ଟଙ୍କାର ବୋଲି ସୂଚିତ କରିଛନ୍ତି। ସେହିପରି ରାହୁଲଙ୍କ ଉପରେ ୪୯,୭୯,୧୮୪ ଟଙ୍କାର ଋଣ ଉଧାର ମଧ୍ୟ ରହିଛି। ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧି ତାଙ୍କ ରାଜନୈତିକ ଜୀବନର ପ୍ରଥମ ନିର୍ବାଚନ ୨୦୦୪ ମସିହାରେ ଲଢିଥିଲେ। ସେତେବେଳେ ତାଙ୍କ ମୋଟ ସମ୍ପତ୍ତି ୫୫ଲକ୍ଷ ଟଙ୍କା ଦର୍ଶାଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.