ନୂଆଦିଲ୍ଲୀ: କେରଳ ୱାୟନାଡରେ ଭୁସ୍ଖଳନରେ ପ୍ରଭାବିତ ଲୋକଙ୍କ ସାହାଯ୍ୟ ପାଇଁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଗକୁ ଆସିଛନ୍ତି । ସେ ୱାୟନାଡ ପୀଡ଼ିତଙ୍କ ପାଇଁ ଏକ ମାସର ଦରମା ଦାନ କରିଛନ୍ତି । ରାହୁଲ ଗାନ୍ଧୀ ବୁଧବାର ଏକ୍ସରେ ଏକ ପୋଷ୍ଟ କରି ଏହି ଘୋଷଣା କରିବା ସହ ପୀଡ଼ିତଙ୍କ ସାହାଯ୍ୟ କରିବାକୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧୀ ଗତ ଲୋକସଭାରେ ୱାୟନାଡରୁ ସାଂସଦ ଥିଲେ । ରାହୁଲ ଚଳିତ ଲୋକସଭାରେ ବି ରାୟବରେଲି ସହ ୱାୟନାଡରୁ ନିର୍ବାଚିତ ହୋଇଥିଲେ । କିନ୍ତୁ ପରେ ସେ ୱାୟନାଡ ଆସନ ଛାଡ଼ିଥିଲେ ।
ୱାୟନାଡ ଭୂସ୍ଖଳନ ପାଇଁ ନିଦ ଦରମା ଦାନ କରିବା ଘୋଷଣା ସହ ରାହୁଲ ଏକ ପୋଷ୍ଟ ଲେଖିଛନ୍ତି । ଏଥିରେ ସେ ଲେଖିଛନ୍ତି, 'ୱାୟନାଡରେ ଆମ ଭାଇ-ଭଉଣୀ ଏକ ବଡ଼ ବିପର୍ଯ୍ୟୟର ସାମନା କରିଛନ୍ତି ଏବଂ ସେମାନଙ୍କୁ ଆମ ସମର୍ଥନର ଆବଶ୍ୟକତା ରହିଛି । ମୁଁ ମୋର ଏକ ମାସର ଦରମା ପୀଡ଼ିତଙ୍କ ପାଇଁ ଦାମ କରୁଛି । ମୁଁ ସବୁ ଭାରତୀୟଙ୍କୁ ଅନୁରୋଧ କରୁଛି ଯେ ଯେତେ ସମ୍ଭବ ସାହାଯ୍ୟ କରନ୍ତୁ କାରଣ ଛୋଟ ଛୋଟ ସାହାଯ୍ୟ ବି ଗୁରୁତ୍ୱ ରଖୁଛି ।'
ଏହା ପୂର୍ବରୁ ରବିବାର ରାହୁଲ ଗାନ୍ଧୀ ୱାୟନାଡ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଚାଲିଥିବା ଉଦ୍ଧାରକାର୍ଯ୍ୟ ଉପରେ ସ୍ଥାନୀୟ କଂଗ୍ରେସ ନେତାଙ୍କ ସହ ଚର୍ଚ୍ଚା କରିଥିଲେ । ରାହୁଲ ଗାନ୍ଧୀ ୱାୟନାଡରେ ପର୍ଯ୍ୟଟନକୁ ପୁଣି ଥରେ ଜୀବିତ କରିବା ଉପରେ ଜୋର ଦେଇଛନ୍ତି । ଅଗଷ୍ଟରେ ଆସିଥିବା ଭୟଙ୍କର ଭୂସ୍ଖଳନରେ ୱାୟନାଡରେ ପାଖାପାଖି ୩୦୦ ଜଣଙ୍କ ଜୀବନ ଯାଇଥିଲା ।