ରାହୁଲ ଗାନ୍ଧୀ ଅଯୋଗ୍ୟ ମାମଲା: ଜୟପୁରରେ କଂଗ୍ରେସର ବିକ୍ଷୋଭ, ବର୍ଷିଲେ ତାରାବାହିନୀ ପତି
26/03/2023 at 4:58 PM

ନୂଆଦିଲ୍ଲୀ: ମାନହାନୀ କେସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜେଲଦଣ୍ଡ ଓ ସାଂସଦ ସଭ୍ୟ ପଦ ରଦ୍ଦ ପରେ କଂଗ୍ରେସର ବିକ୍ଷୋଭ ଜାରି ରହିଛି। ଆଜି ଜୟପୁରରେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀ ଏହାର ଅଭିନବ ପ୍ରତିବାଦ କରିଥିଲେ । ମୁହଁରେ ମାସ୍କ ଆଉ ମାସ୍କ ଉପରେ ତାଲା ମାରି ଗାନ୍ଧୀ ମୂର୍ତ୍ତି ପାଖରେ ଧାରଣାରେ ବସିଥିଲେ ତାରା । ତାରାଙ୍କ ସହ ଜୟପୁର ପୌରପାଳିକାର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତିଙ୍କ ସମେତ କୋଟପାଡ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଶଙ୍କର ରାଓ ମଧ୍ୟ ମୁହଁରେ ତାଲା ମାରି ଧାରଣାରେ ବସିଥିଲେ। ଏହି ସମୟରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ତାରାବାହିନୀ ପତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଗଣତନ୍ତ୍ରର ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ଆଗକୁ ନିର୍ବାଚନ ଥିବାବେଳେ ଆଦାନୀ ପ୍ରସଙ୍ଗ ଉଠାଇ ରାହୁଲ ମୋଦୀଙ୍କୁ ଘାଇଲା କରିଛନ୍ତି।ତେଣୁ ଆକ୍ରୋଶ ମୂଳକ ଭାବେ ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ ହୋଇଥିବା ଅଭିଯୋଗ କରିଛନ୍ତି ତାରା। ତେବେ କଂଗ୍ରେସ ଏଥିରେ ଡରିବ ନାହିଁ ବରଂ ଲଢେଇ ଜାରି ରଖିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମୋଦୀ ସାଙ୍ଗିଆକୁ ନେଇ ଏକ ମାହହାନୀ ମାମଲାରେ ଗୁଜରାଟର ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ସହ ଜରିମାନା ଲଗାଇଛନ୍ତି। ସମ୍ବିଧାନର ଆଇନ ଅନୁସାରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଛି। ଏହାକୁ ନେଇ ଦେଶର ରାଜଧାନୀ ବେଶ ସରଗରମ ହୋଇ ଉଠିଛି। ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ। ଏବେ ମଧ୍ୟ ତଳ କୋର୍ଟର ରାୟକୁ ଉପରକୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ କଂଗ୍ରେସ ନିକଟରେ ବିକଳ୍ପ ରହିଛି। ତେଣୁ ସଭିଙ୍କ ନଜର ସୁପ୍ରିମକୋର୍ଟ ଉପରେ ରହିଛି।