କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗିରଫ

Published By : Prameya-News7 Bureau | October 26, 2018 IST

ନୂଆଦିଲ୍ଲୀ ୨୬|୧୦: ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କୁ ରାତି ଅଧିଆ ଛୁଟିରେ ଯିବା ପାଇଁ ନିର୍ଦେଶ ଦେବା ଘଟଣାର ପ୍ରୀତିଵଦ କରିଛି କଂଗ୍ରେସ ଓ ଅନ୍ୟ ସମଭାବାପନ୍ନ ଦଳ | ଦିଲ୍ଲୀ ସମେତ ସମଗ୍ର ଦେଶରେ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଦିଲ୍ଲୀ ଲୋଧି ରୋଡ଼ରେ ଥିବା ଦୟାଲ ସିଂ କଲେଜ ଠାରୁ ସିବିଆଇ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସାଢେ ୪ କି:ମି: ରାସ୍ତାରେ ରାଲି କରାଯିବ ସହ ସିବିଆଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା | କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ରାଲିର ସର୍ବାଗ୍ରେ ରହିଥିଲେ | କଂଗ୍ରେସର ଏହି ବିକ୍ଷୋଭକୁ ତୃଣ ମୂଳ କଂଗ୍ରେସ ସିପିଏମ, ସିପିଆଇ, ଲୋକ ତାନ୍ତ୍ରିକ ଜନତା ଦଳ ପ୍ରମୁଖ ସମର୍ଥନ କରି ରାଲି ଓ ବିକ୍ଷୋଭରେ ସାମିଲ ହୋଇଥିଲେ | ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ପୋଲିସ ଗିରଫ କରିନେଇଛି | ରାତି ଅଧିଆ କାର୍ଯ୍ୟାନୁଷ୍ଠାନରେ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ କ୍ଷମତାଚ୍ୟୁତ କରି ଅଡୁଆରେ ପଡିଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । ସିବିଆଇରେ ଯେଉଁ ଅନ୍ତଃକନ୍ଦଳ ଚାଲିଛି ତାକୁ ରାଜନୈତିକ ମୋଡ ଦେଇ ଆକ୍ରମଣାତ୍ମକ ପନ୍ଥା ଆପଣାଇଛି କଂଗ୍ରେସ । ଆଲୋକ ବର୍ମାଙ୍କୁ ତାଙ୍କ ପଦକୁ ଫେରାଇ ନେବା ସହ ରାତି ଅଧିଆ କାର୍ଯ୍ୟାନୁଷ୍ଠାନ ନେଇ ପଦରୁ ବାହାର କରାଯାଇଥିବାରୁ ତାକୁ ନେଇ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ବିକ୍ଷୋଭକାରୀ ମାନେ ଦାବି କରିଛନ୍ତି । ରାଫେଲ ଡ଼ିଲ ଦୁର୍ନୀତିରୁ ରକ୍ଷା ପାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏସବୁ ଚାଲ ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି | କଂଗ୍ରେସ ସାଧାରଣ ସମ୍ପାଦକ ଅଶୋକ ଗେହ୍ଲଟ ମଧ୍ୟ ସାମ୍ବାଦିକ ମାନଙ୍କୁ ସମାନ କଥା କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.