ଭୁବନେଶ୍ବର: ନିର୍ବାଚନୀ ପ୍ରଚାର ଜମିଲାଣି, ଏଥର ଓଡ଼ିଶା ଆସିବେ ରାହୁଲ ଗାନ୍ଧି । କଂଗ୍ରେସର ଭୋଟ୍ ବ୍ୟାଗ୍ ଭର୍ତ୍ତି କରିବାକୁ ଓଡ଼ିଶାବାସୀଙ୍କୁ ମାଗିବେ ସମର୍ଥନ। କେବଳ ରାହୁଲ ଗାନ୍ଧି ନୁହନ୍ତି ତେଲଙ୍ଗନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଓଡ଼ିଶା ଆସୁଛନ୍ତି । ମେ’ ୩ ତାରିଖରେ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଥିଲା ବେଳେ ମେ’ ୮ ତାରିଖରେ ତେଲଙ୍ଗନା ମୁଖ୍ୟମନ୍ତ୍ରୀ ରାୟଗଡ଼ା ଆସୁଛନ୍ତି ।
ବିଶେଷ କରି ରାହୁଲ ଗାନ୍ଧିଙ୍କ ଏକ ବିରାଟ ସଭାର କାର୍ଯ୍ୟକ୍ରମ ରହିଛି । ଏଥିରେ ୧ ଲକ୍ଷରୁ ଅଧିକ ସମର୍ଥକ ସାମିଲ ହେବେ ବୋଲି ରାଜ୍ୟ କଂଗ୍ରେସ ପକ୍ଷକୁ ସୂଚନା ମିଳିଛି । ଅନ୍ୟଟପଟେ ରାୟଗଡ଼ା ଆସୁଛନ୍ତି, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ସେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣି ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରା ଆମଲାଭଟା ଛକ ପାର୍ଯ୍ୟନ୍ତ ଯିବେ । ଏହି ସମୟରେ ସେ ବିଭିନ୍ନ ଛକ ମାନଙ୍କରେ ଲୋକଙ୍କୁ ଉଦ୍ବୋଧନ ଦେବେ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ରହୁଥିବା ତେଲଗୁ ସଂପ୍ରଦାୟର ଭୋଟରଙ୍କୁ କଂଗ୍ରେସ ଆଡ଼କୁ ଟାଣିବାକୁ ଏକ ଜନସଭା କାର୍ଯ୍ୟକ୍ରମ ହେବ । ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ । ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା ।