ରାହୁଲ ଦ୍ରାବିଡ଼ ଦେଲେ ସଙ୍କେତ, ଟି-୨୦ ଅନ୍ତର୍ଜାତୀୟରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ କ୍ୟାରିୟର ସମାପ୍ତ !

Published By : Prameya-News7 Bureau | January 06, 2023 IST

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ଵ କପ୍‌ ୨୦୨୨ରେ ଭାରତ ସେମି ଫାଇନାଲ୍‌ରେ ଇଂଲଣ୍ଡ ନିକଟରୁ ୧୦ ଓ୍ଵିକେଟ୍‌ରେ ପରାଜିତ ହୋଇଥିଲା। ଉକ୍ତ ମ୍ୟାଚ୍ ପରଠୁ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଗୋଟିଏ ବି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳି ନାହାନ୍ତି। ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ଦ୍ଵିତୀୟ ଟି-୨୦ ପରେ ଏହାର ସଙ୍କେତ  ଦେଇଛନ୍ତି ଯେ, ଏହି ଦୁଇ ଖେଳାଳିଙ୍କ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟର ସମାପ୍ତ ହୋଇଛି। ରୋହିତଙ୍କ ଅନୁପସ୍ଥିତିରେ ସଂପ୍ରତି ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଫର୍ମାଟ୍‌ରେ ଭାରତୀୟ ଦଳର ନେତୃତ୍ଵ ନେଉଛନ୍ତି।

ରାହୁଲ ଦ୍ରାବିଡ ମ୍ୟାଚ୍ ପରେ କହିଛନ୍ତି, ଟି-୨୦ ବିଶ୍ଵ କପ୍ ୨୦୨୨ର ସେମି ଫାଇନାଲ୍ ମ୍ୟାଚ୍ ପରେ ଆପଣ ଦେଖି ପାରିବେ ଯେ ମାତ୍ର ତିନି ଚାରି ଖେଳାଳି ଅଛନ୍ତି ଯେଉଁମାନେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଖେଳିଥିଲେ ଏବଂ ବର୍ତ୍ତମାନ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଖେଳୁଛନ୍ତି। ଆଗାମୀ ଟି-୨୦ ସିଜିନ୍‌କୁ ନେଇ ଆମର ଚିନ୍ତାଧାରା ଭିନ୍ନ ରହିଛି। ଯୁବ ଦଳ ଶ୍ରୀଲଙ୍କା ପରି ଦଳ ସହିତ ଏ ପର୍ଯ୍ୟନ୍ତ ଯେମିତି ଖେଳିଛନ୍ତି ତାହା ବହୁତ ଭଲ ଅନୁଭବ ରହିଛି। ତେବେ ବର୍ତ୍ତମାନ ଅଧିକ ଧ୍ୟାନ ଆଇସିସି ଦିନିକିଆ ବିଶ୍ଵ କପ୍‌ ଏବଂ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ ଉପରେ ରହିଛି। ତେଣୁ ବର୍ତ୍ତମାନର ସମୟ ଟି-୨୦ ଫର୍ମାଟ୍‌ରେ ଯୁବ ଖେଳାଳିଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେଇ ସେମାନଙ୍କ ଦକ୍ଷତା ପରଖିବା।

ଦ୍ରାବିଡଙ୍କ କଥା ମଧ୍ୟ ସଂପୂର୍ଣ୍ଣ ଠିକ୍ ଅଛି। କାରଣ ଇଂଲଣ୍ଡ ବିପକ୍ଷ ଟି-୨୦ ବିଶ୍ଵ କପ୍‌ ସେମି ଫାଇନାଲ୍ ଖେଳିଥିବା ଚୂଡାନ୍ତ ଏକାଦଶରୁ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ୍‌ ଏବଂ ଅର୍ଶଦୀପ ସିଂ ହିଁ ଏମିତି ଚାରି ଖେଳାଳି ଯେଉଁମାନେ ବର୍ତ୍ତମାନ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଶୃଙ୍ଖଳା ଖେଳୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.