ରାହୁଲ ଦେବ ହେଲେ ପାକିସ୍ତାନ ବାୟୁସେନାର ପ୍ରଥମ ହିନ୍ଦୁ ପାଇଲଟ୍

Published By : Prameya-News7 Bureau | May 06, 2020 IST

ଇସଲାମାବାଦ ୬।୫ : ପାକିସ୍ତାନ ବାୟୁସେନା ଇତିହାସରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ପାଇଲଟଙ୍କୁ ମନୋନୀତ କରାଯାଇଛି । ଏହି ହିନ୍ଦୁ ଯୁବକଙ୍କର ନାମ ରାହୁଲ ଦେବ ଏବଂ ସେ ପାକିସ୍ତାନୀ ବାୟୁସେନାରେ ଜେନେରାଲ ଡ୍ୟୁଟି ପାଇଲଟ୍ ପଦବୀରେ ରହିବେ।

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ରାହୁଲ ଦେବ ସିନ୍ଧ ପ୍ରଦେଶର ସବୁଠୁ ବଡ ଜିଲ୍ଲା ଥାରପରକରର ବାସିନ୍ଦା । ବହୁ ସଂଖ୍ୟାରେ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଥାରପରକରରେ ବସବାସ କରନ୍ତି । ପାକିସ୍ତାନୀ ବାୟୁସେନାରେ ପାଇଲଟ୍ ଭାବରେ ରାହୁଲ ଦେବଙ୍କ ଚୟନକୁ ନେଇ ସମସ୍ତ ପାକିସ୍ତାନ ହିନ୍ଦୁ ପଞ୍ଚାୟତ ସଚିବ ରବି ଦୱାନୀ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟର ଅନେକ ଲୋକ ପାକିସ୍ତାନୀ ସେନା ଏବଂ ସିଭିଲ ସର୍ଭିସରେ ସେବା କରିସାରିଛନ୍ତି ।

ପାକିସ୍ତାନରେ ଅନେକ ଡାକ୍ତର ମଧ୍ୟ ହିନ୍ଦୁ ସମ୍ପ୍ରଦାୟର ଅଛନ୍ତି । ସେ କହିଛନ୍ତି ଯେ, ଯଦି ସରକାର ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତି ଧ୍ୟାନ ଦିଅନ୍ତି, ତେବେ ଆଗାମୀ ଦିନରେ ଅନେକ ରାହୁଲ ଦେବ ଦେଶ ସେବା କରିବାକୁ ପ୍ରସ୍ତୁତ ହୋଇଯିବେ ।

ସୋସିଆଲ ମିଡିଆରେ ରାହୁଲ ଦେବଙ୍କର ମଧ୍ୟ ଚର୍ଚ୍ଚା କରାଯିବା ସହ ତାଙ୍କୁ ପ୍ରଶଂସା କରାଯାଉଛି । ସିନ୍ଧ ପ୍ରଦେଶର ଏକ ପଛୁଆ ଅଞ୍ଚଳରୁ ହୋଇ ରାହୁଲ ପାକିସ୍ତାନୀ ବାୟୁସେନାରେ ଜିଡିପି (ଜେନେରାଲ ଡ୍ୟୁଟି ପାଇଲଟ୍) ପରି ଏକ ବଡ ପଦ ହାସଲ କରିଛନ୍ତି । ସୋସିଆଲ ମିଡିଆ ୟୁଜର୍ସ ରାହୁଲ ଦେବଙ୍କ ସଫଳତାକୁ ଅସାଧାରଣ ବୋଲି କହୁଛନ୍ତି।

ତରପରକର ଜିଲ୍ଲାର ମାନବ ବିକାଶ ସୂଚକାଙ୍କ ପୁରା ସିନ୍ଧ ପ୍ରାନ୍ତରେ ସବୁଠାରୁ ଖରାପ ରହିଛି । ଭିତ୍ତିଭୂମି, ସ୍ବାସ୍ଥ୍ୟ ସୁବିଧା ଏବଂ ଶିକ୍ଷା ବ୍ୟବସ୍ଥାର ଅବସ୍ଥା ବିପର୍ଯ୍ୟସ୍ତ ରହିଛି । ଗତ କିଛି ବର୍ଷ ମଧ୍ୟରେ ଜିଲ୍ଲାରେ ଖାଦ୍ୟ ଓ ଜଳ ସଙ୍କଟ ଆହୁରି ବିଗିଡି ଯାଇଥିଲା । ଏହି ସମସ୍ତ ଚ୍ୟାଲେଞ୍ଜ ସତ୍ତ୍ବେ ରାହୁଲ ଦେବ ତାଙ୍କ ପରି ଅନେକ ଲୋକଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.