ଶୁଟିଂ ବିଶ୍ବକପ୍‌ରେ ସ୍ବର୍ଣ୍ଣ ପଦକ ଜିଣିଲେ ଭାରତୀୟ ଶୁଟର ରାହି ସରନୋବତ, ନିରାଶ ହେଲେ ମନୁ: ୪ ମେଡାଲ୍‌ ସହ ଷଷ୍ଠ ସ୍ଥାନରେ ଭାରତ

Published By : Prameya-News7 Bureau | June 28, 2021 IST

ନୂଆଦିଲ୍ଳୀ ୨୮/୬: ଅଲିମ୍ପିକ୍‌ ପୂର୍ବରୁ ଭାରତୀୟ ଶୁଟିଂ ପାଇଁ ଭଲ ଖବର ମିଳିଛି। କ୍ରୋଏସିଆରେ ଆୟୋଜିତ ଶୁଟିଂ ବିଶ୍ବକପ୍‌ରେ ୨୫ ମିଟର ସ୍ପୋର୍ଟସ୍‌ ପିସ୍ତଲରେ ଭାରତୀୟ ଶୁଟର ରାହି ସରନୋବତ ମହିଳା ବର୍ଗରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କିନ୍ତୁ ମନୁ ଭାକର ସପ୍ତମ ସ୍ଥାନରେ ରହିଯାଇଛନ୍ତି। ଓ୍ବାର୍ଲଡ୍‌ କପ୍‌ରେ ରାହିଙ୍କର ଏହା ଦ୍ବିତୀୟ ମେଡାଲ।  ଏହା ପୂର୍ବରୁ ସେ ୧୦ ମିଟର ଏୟାର ପିସ୍ତଲ ମହଳା ବର୍ଗରେ ବ୍ରୋଞ୍ଜ ମେଡାଲ୍‌ ଜିଣିଥିଲେ।

ରାହି ୨୫ ମିଟର ସ୍ପୋର୍ଟସ୍‌ ଫାଇନାଲ୍‌ରେ ୩୯ ପଏଣ୍ଟ ପାଇଥିବା ବେଳେ ବିଶ୍ବ ରେକର୍ଡ କରିବାକୁ ଗୋଟିଏ ପଏଣ୍ଟ ପଛରେ ରହିଗଲେ। ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିବା ନିଜର ପ୍ରତିଦ୍ବନ୍ଦୀଙ୍କଠୁ ସେ ୮ ପଏଣ୍ଟ ଆଗରେ ଅଛନ୍ତି। ଭାରତ  ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଗୋଲ୍ଡ, ଏକ ସିଲଭର ଏବଂ ଦୁଇଟି ବ୍ରୋଞ୍ଜ ମେଡାଲ୍‌ ସହ ଷଷ୍ଠ ସ୍ଥାନରେ ପହଞ୍ଚିଥିବା ବେଳେ ୪ ସ୍ବର୍ଣ୍ଣ, ୪ ରୌପ୍ୟ ଏବଂ ୨ ବ୍ରୋଞ୍ଜ ପଦକ ସହ ଋଷ ଶୀର୍ଷରେ ରହିଛି।

କ୍ବାଲିଫାଇଙ୍ଗ ମ୍ୟାଚ୍‌ରେ ୫୯୧ ଅଙ୍କ ସହ ରାହି ଦ୍ବିତୀୟ ଏବଂ ମନୁ ତୃତୀୟରେ ରହିଥିଲେ। କିନ୍ତୁ ଫାଇନାଲ୍‌ରେ ମନୁ ଭଲ ପ୍ରଦର୍ଶନ କରିପାରିନଥିଲେ। ଅନ୍ୟପଟେ ରବିବାର ଦିନ ୫୦ ମିଟର ରାଇଫଲ୍‌ ଥ୍ରୀ ପୋଜିସନ୍‌ରେ ଶୁଟର ସଞ୍ଜୀବ ରାଜପୁତ ଏବଂ ବିଶ୍ବର ନମ୍ବର ଓ୍ବାନ୍‌ ଐଶ୍ବର୍ଯ୍ୟପ୍ରତାପ ସିଂହ ତୋମାର ମେଡାଲ ଜିତିପାରିନଥିଲେ। ଫାଇନାଲ୍‌ରେ ସ୍ଥାନ ପାଇଥିଲେ ହେଁ ତୋମାର ଷଷ୍ଠ ସ୍ଥାନରେ ରହିଯାଇଥିଲେ। ସେ ଦିଲ୍ଲୀରେ ଆୟୋଜିତ ହୋଇଥିବା ଶୁଟିଂ ବିଶ୍ବକପ୍‌ରେ ଗୋଲ୍ଡ ମେଡାଲ୍‌ ଜିତିଥିଲେ।

ଏହା ସହ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍‌ ଇଭେଣ୍ଟରେ ମନୁ ଭାକର ଏବଂ ସୌରଭ ଚୌଧୁରୀ ଭାରତ ପାଇଁ ସିଲଭର ମେଡାଲ ଜିଣିଛନ୍ତି । ଏହା ପୂର୍ବରୁ ୧୦ ମିଟର ଏୟାର ପିସ୍ତଲରେ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛି ଭାରତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.